ପିସିସି ସଭାପତି ଚୟନ ନେଇ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ୯ରେ ରାହୁଳଙ୍କୁ ଭେଟିବେ କଂଗ୍ରେସ ବିଧାୟକ

ଭୁବନେଶ୍ବର : ରାଜ୍ୟ ପିସିସି ପରିବର୍ତନ ପ୍ରକ୍ରିୟା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଯିବାକୁ ଡାକରା ମିଳିଛି। ବିଧାୟକମାନେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଭେଟିବା ସହିତ ସଭାପତି ଚୟନ ନେଇ ୱାନ୍‌ ଟୁ ୱାନ୍ ଆଲୋଚନା କରିପାରନ୍ତି। ୫ତାରିଖରେ ଏହି ବୈଠକ ସ୍ଥିର ହୋଇଥିଲେ ହେଁ ପରବର୍ତୀ ସମୟରେ ଏହାକୁ ୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ରାହୁଳଙ୍କ ସହ ଆଲୋଚନା ପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି କୁହାଯାଉଛି।

ଓଡ଼ିଶାରେ ପିସିସି ସଭାପତି ପରିବର୍ତନ ପାଇଁ ଦାବି ଜୋର ଧରିବା ପରେ ଗତ ସପ୍ତାହରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ଓଡ଼ିଶା ଆସି ଏ ସଂପର୍କରେ ଆଲୋଚନା କରିଥିଲେ। ବର୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨୦୧୯ ମସିହାରୁ ଇସ୍ତଫା ଦେଇ ସାରିଥିବାରୁ କିଏ ସଭାପତି ମଙ୍ଗ ଧରିବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଛି। କିଛି ନେତା କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ଜଣକୁ ସଭାପତି କରିବାକୁ ଦାବି କରୁଛନ୍ତି। ଆଉ କିଏ ଜଣେ ଯୁବ ନେତାଙ୍କୁ ଏହି ଦାୟିତ୍ବ ଦେବା ପାଇଁ କହୁଛନ୍ତି। ଏପଟେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇ ସାରିଥିବା ବେଳେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତଫା ମଧ୍ୟ ଚର୍ଚାରେ ରହିଛି। ତେଣୁ ପିସିସି ସଭାପତି ସହିତ ବିଧାୟକ ଦଳ ନେତା ଚୟନ ସଂପର୍କରେ ମଧ୍ୟ ରାହୁଳଙ୍କ ସାମ୍ନାରେ ଆଲୋଚନା ହୋଇପାରେ।

ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଆଜି ତାଙ୍କୁ ଦିଲ୍ଲୀରୁ ଫୋନ୍ ଆସିଥିଲା। ସଭାପତି ଚୟନ ନେଇ ରାହୁଳ-ସୋନିଆଙ୍କ ସହ ଆଲୋଚନା ହେବ। ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଯାହା ଆବଶ୍ୟକ ତାହାର ପ୍ରସ୍ତାବ ରଖିବି। ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ପିସିସି ସଭାପତି ସହିତ ୪ଜଣ କାର୍ଯ୍ୟକାରୀ ସଭାପତି, ୮ଜଣ ଉପ-ସଭାପତି, ୨୦ ସାଧାରଣ ସଂପାଦକ ଘୋଷଣା କରାଯାଉ। ପ୍ରଭାରୀ ଚେଲାକୁମାର ଦଳ ବାହାରର ଅନେକ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ। ତେଣୁ ଦଳ ବାହାର ନେତାଙ୍କୁ ପିସିସି ସଭାପତି କରାଗଲେ କିଛି ଅସୁବିଧା ନାହିଁ। ହାଇକମାଣ୍ଡ ଯାହାର ନାମ ଘୋଷଣା କରିବେ ତାଙ୍କୁ ଗ୍ରହଣ କରିବୁ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଦଳର ବିଶୃଙ୍ଖଳା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ‌କରାଯିବ। କେବଳ ଜଣକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ହେବନାହିଁ। ପୂର୍ବରୁ ଯେଉଁମାନେ ଦଳ ବିରୋଧୀ ମନ୍ତବ୍ୟ ଗଣମାଧ୍ୟମରେ ଦେଇଛନ୍ତି ସେମାନଙ୍କ ପାଇଁ କାହିଁକି ସମାନ ନିୟମ ଲାଗୁ କରାଯାଇ ନାହିଁ। ସମସ୍ତଙ୍କୁ ନୋଟିସ୍ ହେବା ଜରୁରୀ। ତାହାଲେ ଯାଇ ଦଳ ମହଭୁତ ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତା ୯ତାରିଖରେ ଦିଲ୍ଲୀ ଯିବା ପାଇଁ ଡାକରା ଆସିଛି। ରାହୁଳ-ସୋନିଆ ଗାନ୍ଧୀଙ୍କ ପାଖରେ କ’ଣ ଏଜେଣ୍ଡା ରହିବ ତାହା ନେଇ ୯ଜଣ ବିଧାୟକ ପ୍ରଥମେ ଆଲୋଚନା କରିବୁ। ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। କିନ୍ତୁ ସୋନିଆ-ରାହୁଳ ଗାନ୍ଧି ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ ବୋଲି ତାରା କହିଛନ୍ତି।

ଉଲ୍ଲେଖ ଯେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସମୟରେ କଂଗ୍ରେସ ନେତାଙ୍କ ବାଦ୍ ଅନ୍ୟ ଦଳର କିଛି ନେତାଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଯାହାକି ରାଜନୈତିକ ମହଲାରେ ବେଶ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର