ଜୟପୁର: ମୋଦି ସରକାରଙ୍କ ରାଫେଲ୍ ଦୁର୍ନୀତି ହେଉଛି ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି। ଏହି ଦୁର୍ନୀତି ଯୋଗୁଁ ସମଗ୍ର ଦେଶ ଯେତିକି କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା ଏବଂ କୋରାପୁଟ ଜିଲ୍ଲା ମଧ୍ୟ ସେତିକି କ୍ଷତିଗ୍ରସ୍ତ ହୋଇଛି। କୋରାପୁଟର ୧୫ରୁ ୧୭ ହଜାର ସମେତ ଓଡ଼ିଶାର ୪୦ ହଜାରରୁ ଅଧିକ ଯୁବକଙ୍କ ପେଟକୁ ବିଜେପି ସରକାର ଲାତ ମାରିଛନ୍ତି। ଏହି ମାମଲାରେ ବିଜେଡି ଚୁପ୍ ରହି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି। ଏକ ସ୍ଥାନୀୟ ହୋଟେଲ୍ରେ ସମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏ ଭଳି ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ।
ଜୟପୁର ବିଧାୟକ ତରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଡିସିସି ମୀନାକ୍ଷି ବାହିନୀପତି ଓ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
୨୦୧୨ରେ ଉପା ସରକାର ଫ୍ରାନ୍ସ୍ରୁ ୧୮ଟି ରାଫେଲ୍ ଲଢୁଆ ବିମାନ ଖରିଦ କରିବାକୁ ଚୁକ୍ତି କରିଥିଲା ବେଳେ ୧୦୮ଟି ବିମାନ ବିଭିନ୍ନ ରାଜ୍ୟରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ୍ ଲିମିଟେଡ୍ ନିର୍ମାଣ କରାଯିବାକୁ ଯୋଜନା କରିଥିଲା। ସେ ସମୟରେ ପ୍ରତି ବିମାନର ମୂଲ୍ୟ ୫୨୬ କୋଟି ଟଙ୍କା ମୂଲ୍ୟରେ ଖରିଦ କରାଯିବାକୁ ଚୁକ୍ତି ହୋଇଥିଲା। କିନ୍ତୁ, ୨୦୧୫ରେ ମୋଦି ସରକାର ବିମାନ ପିଛା ୧୬୭୦ କୋଟି ଟଙ୍କାରେ ୩୬ଟି ବିମାନ କିଣିବାକୁ ଚୁକ୍ତିବଦ୍ଧ ହୋଇଛି। ଏଥିପାଇଁ ସଦ୍ୟ ଆରମ୍ଭ ହୋଇଥିବା ଅନୀଲ ଅମ୍ବାନୀଙ୍କର ଏକ କମ୍ପାନିକୁ ଏହି ବିମାନ ତିଆରି କରିବାକୁ ଅନୁମତି ଦିଆଯାଇଛି। ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଏଥିଯୋଗୁଁ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ୍ ଲିମିଟେଡ୍ ମଧ୍ୟ ରାଫେଲ୍ ଦୁର୍ନୀତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଯଦି ସୁନାବେଡ଼ାରେ ଏହି ବିମାନ ନିର୍ମାଣ ହୋଇ ଥାଆନ୍ତା ତେବେ ଇଞ୍ଜିନିୟରିଂ ଓ ଆଇଟିଆଇ ପାସ୍ କରିଥିବା ବହୁ ବେକାର ଯୁବକ ଯୁବତୀ ଏଥିରେ କର୍ମସଂସ୍ଥାନ ପାଇ ଥାଆନ୍ତେ।
ଜିଲ୍ଲାରେ ପ୍ରତିବର୍ଷ ନିୟୋଜନ କେନ୍ଦ୍ରରେ ନାମ ପଞ୍ଜିକରଣ କରୁଥିବା ଲକ୍ଷଲକ୍ଷ ଯୁବତୀଙ୍କୁ ବିଜେଡ଼ି ସରକାର ନିଯୁକ୍ତ ନ ଦେଇ ଫାର୍ସ ଆରମ୍ଭ କରିଛି। ୨୦୧୯ ନିର୍ବାଚନ ଶେଷ ହେବା ପରେ ମଧ୍ୟ ଏମାନଙ୍କୁ ନିଯୁକ୍ତି ମିଳିବ କି, ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।
ରାଫେଲ୍ ମହାଦୁର୍ନୀତି ପ୍ରସଙ୍ଗକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟାଳୟରେ ଜନସାଧାରଣଙ୍କୁ ଅବଗତ କରାଇବ। ବିଜେଡି ସରକାର କି ଭଳି ସାଧାରଣ ଜନତାଙ୍କୁ ଠକୁଛି ସେ କଥା ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଦି କହିଥିଲେ।