ଭୁବନେଶ୍ୱର: ରବିବାର ଦିନ ପ୍ରଦେଶ କଂଗ୍ରେସ ଭବନରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରଭୃତି ନେତୃବୃନ୍ଦ ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଥିଲେ।
ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକମାନେ ଉପକୃତ ହେବା ଉପରେ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଥିବା କଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ସେ କହିଲେ: ପ୍ରତ୍ୟେକ ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କାର ଆୟ ଗ୍ୟାରେଣ୍ଟି। ଏହି ଅର୍ଥ ପରିବାରର ମହିଳାଙ୍କ ଆକାଉଣ୍ଟ୍ରେ ଜମା କରାଯିବ।
ପ୍ରତି ପରିବାରରେ ଜଣେ ଯୁବକଙ୍କୁ ସରକାରୀ କିଂବା ବେସରକାରୀ ନିଯୁକ୍ତି ମିଳିବ, ନଚେତ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ। ଚାକିରି କରିବା ପାଇଁ ବୟସ ସୀମା ମଧ୍ୟ ବଢ଼ାଯିବ। ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରାଯିବ। ସବୁ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ମିଳିବ।
ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ଼ କରାଯିବ। ପୂର୍ବରୁ ଋଣ କରି କେତେକ କିସ୍ତି ଶୁଝି ସାରିଥିବା ଚାଷୀଙ୍କୁ ସେହି ଅର୍ଥ ପୁଣି ଫେରସ୍ତ ଦିଆଯିବ। ଅନ୍ୟାନ୍ୟ ଚାଷ ପାଇଁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ମହିଳା ଚାଷୀଙ୍କୁ ମାଗଣାରେ ସମସ୍ତ କୃଷି ଉପକରଣ ଯୋଗାଇ ଦିଆଯିବ। ଧାନ କିଣିବା ଲାଗି ସହାୟକ ରାଶି କୁଇଣ୍ଟାଲ୍ ପିଛା ୨୬୦୦ ଟଙ୍କା କରାଯିବ। ସ୍ୱାମୀ ନାରାୟଣ କମିଟି କରିଥିବା ଅନୁମୋଦନକୁ ଗ୍ରହଣ କରାଯିବ।
ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା। ମହିଳାମାନଙ୍କ ବୈଷୟିକ ଶିକ୍ଷା ପାଇଁ ସରକାରୀ କଲେଜରେ ମାଗଣା ଶିକ୍ଷାଦାନ। ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ମହିଳାମାନଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ।
ବାର୍ଦ୍ଧକ୍ୟ ପେନ୍ସନ୍ ୧୫୦୦ ଟଙ୍କା ଦିଆଯିବ। ବିଧବା ଓ ଅସହାୟ ପେନ୍ସନ୍ ରାଶି ୨୦୦୦ ଟଙ୍କା କରାଯିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମଧ୍ୟ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ।
ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ।