ଫେବ୍ରୁଆରି ଶେଷ ସୁଦ୍ଧା ପିସିସି ଦେବ ପ୍ରାର୍ଥୀ ତାଲିକା

କଂଗ୍ରେସର ପ୍ରତିଶ୍ରୁତି : ପ୍ରତି ପରିବାରର ଜଣଙ୍କୁ ନିଯୁକ୍ତି, ପ୍ରତି ଗୃହକୁ ପାନୀୟଜଳ ସଂଯୋଗ

ଭୁବନେଶ୍ବର/ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ଗୋଟିକ ପରେ ଗୋଟିଏ ଲୋଭନୀୟ ପ୍ରତିଶ୍ରୁତି ଦେଇଚାଲିଛି। ପୂର୍ବରୁ ଓଡ଼ିଶା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା ଘୋଷଣା କରିଥିବା ବେଳେ ଆଜି ଆହୁରି ଆକର୍ଷଣୀୟ ପ୍ରତିଶ୍ରୁତିର ପେଡ଼ି ଖୋଲିଛି ପ୍ରଦେଶ କଂଗ୍ରେସ କମିଟି(ପିସିସି)। ଏହି ତାଲିକା‌ର ସର୍ବାଗ୍ରେ ରହିଛି ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି।

ଆଜି ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଟ୍ବିଟର୍‌ ପେଜ୍‌ରେ ମଧ୍ୟ ‘କଂଗ୍ରେସର ଗ୍ୟାରେଣ୍ଟି, ହସିବ ଓଡ଼ିଶା ମାଟି’ ଉଲ୍ଲେଖ କରିଛନ୍ତି। ଏହି ଗ୍ୟାରେଣ୍ଟି କାର୍ଡରେ ପ୍ରତ୍ୟେକ ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ସେ ସରକାରୀ ହେଉ ବା ଘରୋଇ। ‌କେବଳ ସେତିକି ନୁହେଁ, ଏହା ସହିତ ପ୍ରତି ପରିବାରକୁ ପାନୀୟଜଳ ସଂଯୋଗ ଯୋଗାଇ ଦିଆଯିବ ବୋଲି ଗ୍ୟ‌ାରେଣ୍ଟି ଦେଇଛନ୍ତି। ସେହିପରି ମହିଳା ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ଝିଅଙ୍କୁ ମାଗଣାରେ ଉଚ୍ଚଶିକ୍ଷା, ବିବାହ ନିମନ୍ତେ ଆର୍ଥିକ ସହାୟତା ଦେବା ସହିତ ପ୍ରତି ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏସବୁ ପିସିସିର ଇସ୍ତାହାରରେ ଉଲ୍ଲେଖ ରହିବ।

ଆଜି ନୂଆଦିଲ୍ଲୀରେ ଓଡ଼ିଶାର ପିସିସି ସଭାପତି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତି ଓ କର୍ମକର୍ତାମାନେ ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ସହିତ ଆଗାମୀ ନିର୍ବାଚନ ପ୍ରସ୍ତୁତି ନେଇ ବିଚାର ବିମର୍ଶ କରିଥିଲେ। ଆଲୋଚନା ବେଳେ ରାହୁଲ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏ ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଚଳିତ ଫେବ୍ରୁଆରି ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ଆସନରୁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦାନ କରିବାକୁ ରାହୁଲ ସେମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଆମେ ପାଳନ କରିବୁ ବୋଲି ପିସିସି ସଭାପତି କହିଥିଲେ।

ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହେବ। ଅବଶ୍ୟ, ପୂର୍ବ ନିଷ୍ପତ୍ତି ଅନୁସାରେ ନିର୍ବାଚନରେ ତିନିଥର ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ, ଅଧିକ ବ୍ୟବଧାନରେ ପରାଜିତ ପ୍ରାର୍ଥୀ, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବନି। ଏ ‌ସଂକ୍ରାନ୍ତ‌େର ରାହୁଲଙ୍କ ସହିତ ହୋଇଥିବା ବିଚାର ବିମର୍ଶରୁ ନିର୍ଷ୍କସ ବାହାରିଥିବା ସେ କହିଥିଲେ। ଏହା ସହିତ ଆଗାମୀ ନିର୍ବାଚନରେ ମିସନ ମୋଡ୍‌ରେ ଆକ୍ରମଣାତ୍ମକ ଭଙ୍ଗୀରେ କାମ, ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବା ସହିତ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ରାହୁଲ ଗୁରୁମନ୍ତ୍ର ଦେଇଥିବା ସେ ପ୍ରକାଶ କରିଥିଲେ।

ଚଳିତ ମାସ ୨୭ ତାରିଖରେ କୋରାପୁଟ, ଫୁଲବାଣୀ, ବରଗଡ଼ ଜିଲ୍ଲାଗୁଡ଼ିକୁ ଗସ୍ତ କରିବାକୁ ରାହୁଲଙ୍କୁ ପ୍ରସ୍ତାବ ଦିଆଯାଇଥିବା ପିସିସି ସଭାପତି କହିଥିଲେ। ଏ ନେଇ ଖୁବଶୀଘ୍ର ଏଆଇସିସି ରାହୁଲଙ୍କ ଗସ୍ତସୂଚୀ ଚୂଡ଼ାନ୍ତ କରି ଅବଗତ କରାଇବ। ଜାତୀୟ ସ୍ତରରେ କଂଗ୍ରେସ ଯେପରି ସମଭାବାପନ୍ନ ଦଳମାନଙ୍କ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଛି, ଓଡ଼ିଶାରେ ଅନୁରୂପ ଫର୍ମୂଲା ଆପଣେଇବ ପିସିସି। ଭୋଟ ବିଭାଜକୁ ଦୃଷ୍ଟିରେ ରଖି ମେଣ୍ଟ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର