ଥାର୍ଡ ଡିଗ୍ରିରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ପିସିସିଏଫ୍

ଆଠଗଡ଼ ବନଖଣ୍ଡ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟଣା

ଭୁବନେଶ୍ବର: ଆଠଗଡ଼ ବନଖଣ୍ଡ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ। ସେ କହିଛନ୍ତି, ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖଦାୟକ। ଘଟଣାର ତଦନ୍ତ ପାଇଁ କ ଜଣେ ଅଧିକାରୀଙ୍କୁ ଆଠଗଡ଼ ପଠା ଯାଇଛି। ଆଜି ଭିତରେ ସେ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି।ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅଭିଯୁକ୍ତଙ୍କର ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଥାର୍ଡ ଡିଗ୍ରିରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥାଏ, ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ବନବିଭାଗର ହେପାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୁଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଗତକାଲି ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର ଧନେଶ୍ବର ବେହେରା (୫୯) ବୋଲି ଜଣାଯାଇଛି। ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣଙ୍କୁ ଉଠାଇନେଇଥିବା ଜଣାଯାଇଛି। ଏଣେ ଖବର ପାଇ ମୃତକଙ୍କ ପରିବାର ଆଠଗଡ଼ ଡାକ୍ତରଖାନାରେ ଆସି ପହଞ୍ଚିଥିବାର ସୂଚନା ରହିଛି।

ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ବର ବେହେରାଙ୍କ ପରିବାର ଓ ସଂପର୍କୀୟ। ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ବର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ ପିଠାପଣା ଧରି ନିଜ ଝିଅ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ବର ବେହେରାଙ୍କୁ ଉଠାଇନେଇଥିଲେ। ସେମାନେ ପିଟିପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି।

ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ବର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଦାବି ହୋଇଛି। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ତେଣେ କଟକରୁ ଜଣେ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସୁଥିବାର ଖବର ମିଳିଛି। ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର