ହାଇକୋର୍ଟରେ ପିସିସିଏଫ୍‌ଙ୍କ ସତ୍ୟପାଠ: ୫ ବର୍ଷରେ ହାତୀ ମୃତ୍ୟୁ ଘଟଣାରେ ୨୯ ଗିରଫ

କଟକ : ହାତୀ ମୃତ୍ୟୁ ଘଟଣାକୁ ନେଇ ବିଚାରାଧୀନ ମାମଲାରେ ହାଇକୋର୍ଟରେ ସରକାରଙ୍କ ତରଫରୁ ସାନି ସତ୍ୟପାଠ ଦାଖଲ କରାଯାଇଛି। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌) ଶଶି ପଲଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଛି। ୨୦୧୮ରେ ଆଠଗଡ଼ ଓ ଢେଙ୍କାନାଳ ଡିଭିଜନରେ ୪ଟି ହାତୀ ଶିକାର ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୧୯ରେ ଦେବଗଡ଼ ଡିଭିଜନରେ ଗୋଟିଏ, ୨୦୨୦ରେ ସମ୍ବଲପୁର ଓ ବୌଦ୍ଧରେ ଦୁଇଟି, ୨୦୨୧ରେ ଢେଙ୍କାନାଳ ଓ ଦେବଗଡ଼ ଡିଭିଜନରେ ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୨ରେ ବୌଦ୍ଧ, ଆଠଗଡ଼, ସମ୍ବଲପୁର, ଘୁମୁସର (ଉତ୍ତର) ଡିଭିଜନରେ ହାତୀ ଶିକାର ମାମଲା ପଞ୍ଜୀକୃତ ହୋଇଛି। ଏହି ସବୁ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ କେତେକ ମାମଲାର ଏବେ ତଦନ୍ତ ଚାଲିଛି। ଚାର୍ଜସିଟ ଦାଖଲ ହୋଇଥିବା ମାମଲା ମଧ୍ୟରୁ ଅଧିକାଂଶ ମାମଲାର ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇ ନାହିଁ। ଗଲା ୫ ବର୍ଷ ଭିତରେ ହାତୀ ଶିକାର ମାମଲାରେ ମୋଟ ୨୯ ଜଣଙ୍କୁ ଗିରଫ କରାଯାଇଛି।

କ୍ରାଇମବ୍ରାଞ୍ଚ ଅଧୀନରେ ଗଠନ କରାଯାଇଥିବା ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଂଗରେ ଜବାବରେ ଉଲ୍ଲେଖ କରାଯାଇଛି ଯେ ସାରା ରାଜ୍ୟରେ ସଂଗଠିତ ଅପରାଧ ଓ ଅନ୍ୟ ଅପରାଧର ମୁକାବିଲା ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ୱାଇଲ୍ଡ ଲାଇଫ କ୍ରାଇମ ସେଲ କାର୍ଯ୍ୟ କରୁଛି। ସଂଗଠିତ ଅପରାଧ ସହିତ ବନ୍ୟପ୍ରାଣୀ ସଂପର୍କିତ ଅପରାଧିକ ମାମଲାର ମଧ୍ୟ ଏସଟିଏଫ୍‌ ତଦନ୍ତ କରୁଛି। ଅନ୍ୟପକ୍ଷରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟ ସଂପାଦନ ପାଇଁ କୌଣସି ଅତିରିକ୍ତ ବା ନିର୍ଦ୍ଦିଷ୍ଟ ପଦବି ସୃଷ୍ଟି କରାଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅତିରିକ୍ତ ଏସପି/ଡିଏସପିଙ୍କ ନେତୃତ୍ବରେ ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ୱାଇଲ୍ଡ ଲାଇଫ କ୍ରାଇମ ସେଲ୍‌ରେ ବନ୍ୟଜନ୍ତୁ ସଂପର୍କିତ ଅପରାଧିକ ମାମଲାର ତଦନ୍ତ କରୁଛନ୍ତି। ଏଥି ସହିତ ବନ ବିଭାଗର ଏସିଏଫ ଓ ଫରେଷ୍ଟ ରେଞ୍ଜର ଡେପୁଟେସନରେ ଆସି ସେଲରେ କାର୍ଯ୍ୟ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ୩୩ଟି ବନ୍ୟପ୍ରାଣୀ ଅପରାଧିକ ମାମଲାର ତଦନ୍ତ କରିଥିବା ବେଳେ ୩୧ଟିରେ ଚାର୍ଜସିଟ ଦାଖଲ ହୋଇ ସାରିଛି। ଗୋଟିଏରେ ଅଦାଲତରେ ମାମଲା ଶୁଣାଣି ‌େଶଷ ହୋଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଂଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ। ଗୀତା ରାଉତଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର