ଭୁବନେଶ୍ବର : ମାସିକ ଋତୁସ୍ରାବରେ ବ୍ୟତିକ୍ରମ, ମୁହଁ ଏବଂ ଶରୀରରେ ମାତ୍ରାଧିକ କେଶବୃଦ୍ଧି, ମୁଣ୍ଡରୁ କେଶ ଝଡ଼ିବା, ମେଦବହୁଳତା, ତ୍ବଚା ତୈଳଯୁକ୍ତ ହୋଇ ବ୍ରଣ ବାହାରିବା ଆଦି ଲକ୍ଷଣ ଅନେକ ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ। ଡାକ୍ତରୀ ପରୀକ୍ଷା ପରେ ଅଧିକାଂଶଙ୍କ ଠାରେ ଏହାର ପଛର କାରଣକୁ ପିସିଓଏସ ବା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ବୋଲି କୁହାଯାଏ। ଏଭଳି ସମସ୍ୟା ଥିବା ମହିଳା ନିଜେ କିମ୍ବା ତାଙ୍କ ଅଭିଭାବକ କେବଳ ପ୍ରଜନନରେ ଅସୁବିଧାକୁ ଗୁରୁତ୍ବ ଦେଇଥାଆନ୍ତି। ମାତ୍ର ପିସିଓଏସ ପୀଡ଼ିତାଙ୍କ କ୍ଷେତ୍ରରେ ହୃଦ୍‌ରୋଗର ବିପଦ ଅଧିକ ରହିଥିବା କହିଛନ୍ତି ଏମ୍ସ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁବର୍ଣ୍ଣା ମିତ୍ର। ଏନେଇ ଗବେଷଣା ପରେ ଏମ୍ସ ଭୁବନେଶ୍ବରକୁ ଆସିଥିବା ପିସିଓଏସ ପୀଡ଼ିତ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କ କ୍ଷେତ୍ରରେ ଏହି ବିପଦ ଚିହ୍ନଟ କରିଛନ୍ତି। ଏଥିସହିତ ୭୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ମୋଟାପଣ ରହିଥାଏ। ଏଥିପ୍ରତି ଆରମ୍ଭରୁ ହିଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଋତୁଚକ୍ରରେ ଅନିୟମିତତା ଯୋଗୁଁ ଗର୍ଭାଶୟରେ କର୍କଟ ହେବା ଆଶଙ୍କା ମଧ୍ୟ ରହିଛି।

Advertisment

ଡାକ୍ତର ମିତ୍ର କହିଛନ୍ତି, ପିସିଓଏସ ବିଶ୍ବ ବ୍ୟାପୀ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ରୋଗ। ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନଥିଲେ ମଧ୍ୟ ଜଟିଳ ହରମୋନ ସ୍ଥିତି ଯୋଗୁଁ ଏହା ହେଉଥିବା ଜଣାପଡ଼ିଛି। ପାରିବାରିକ ଇତିହାସ, ଜିନ୍‌ଗତ କାରଣ, ଜୀବନଶୈଳୀ ଯୋଗୁଁ ଏହା ହୋଇଥାଏ। ଏହାର ସ୍ଥାୟୀ ପ୍ରତିକାର ନଥିବାରୁ ଜୀବନ ତମାମ ମହିଳା ଏହି କଷ୍ଟ ଦେଇ ଗତି କରନ୍ତି। ପିସିଓଏସ ସମସ୍ୟା ଥିବା ମହିଳା ଗର୍ଭଧାରଣ, ଶରୀରର ଆକୃତି ସମେତ ବିଭିନ୍ନ କାରଣ ନେଇ ସର୍ବଦା ମାନସିକ ଦୁଶ୍ଚିନ୍ତା ଏବଂ ଚାପରେ ରହିଥାଆନ୍ତି। ତେଣୁ ଏହାର ସମାଧାନ ପାଇଁ ଡାକ୍ତରଙ୍କ ତତ୍ତ୍ବାବଧାନରେ ଦୈନିକ ୩୦ ମିନିଟ ବିଭିନ୍ନ ପ୍ରକାର ବ୍ୟାୟାମ, ଜୀବନ ଶୈଳୀ ପରିବର୍ତ୍ତନ ଆଣିବା ଉଚିତ। ଡାକ୍ତର ସୁବର୍ଣ୍ଣା କହିଛନ୍ତି, କେବଳ ଅଲଟ୍ରାସାଉଣ୍ଡ ରିପୋର୍ଟ ଆଧାରରେ ଏହା ଚିହ୍ନଟ ହୋଇ ପାରିବ ନାହିଁ। ଏହାର ନିର୍ଦିଷ୍ଟ ପ୍ରକ୍ରିୟା ରହିଛି ତାକୁ ଦେଖିବାକୁ ପଡ଼ିବ। ସର୍ବପ୍ରଥମେ ମାତ୍ରାଧିକ ଓଜନ ଥିଲେ କମ କରିବାକୁ ପଡ଼ିବ, ଓଜନ ଠିକ ଥିଲେ ଏହାକୁ ବଜାୟ ରଖିବାକୁ ପଡ଼ିବ। ଯେଉଁ ମହିଳା ଗର୍ଭଧାରଣ କରିପାରୁନାହାନ୍ତି ଏଥିପାଇଁ ନିର୍ଦିଷ୍ଟ ଚିକିତ୍ସା ସହିତ ଔଷଧ ବ୍ୟବସ୍ଥା ରହିଛି। ମାତ୍ରାଧିକ କେଶବୃଦ୍ଧିର ମଧ୍ୟ ଉପଚାର ରହିଛି। କିନ୍ତୁ ପିସିଓଏସର ସ୍ବଳ୍ପକାଳୀନ ପ୍ରଭାବ ନଦେଖି ଏହା ଦୀର୍ଘକାଳୀନ ପ୍ରଭାବ ନେଇ ମଧ୍ୟ ସାବଧାନ ହେବାକୁ ପଡ଼ିବ ବୋଲି ଡାକ୍ତର ସୁବର୍ଣ୍ଣା କହିଛନ୍ତି।