ଆଗ୍ରେନ ପଞ୍ଚାୟତରେ ପିଡିଏସ ଦୁର୍ନୀତି ଘଟଣା: ମୃତବ୍ୟକ୍ତିଙ୍କ ଚାଉଳ ଖାଇଲା କିଏ?

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଗ୍ରେନ ପଞ୍ଚାୟତରେ ୫ ବର୍ଷ ହେବ ମୃତ ହିତାଧିକାରୀଙ୍କ ନାମରେ ଚାଉଳ ଆସୁଥିବା ବେଳେ ଏହି ଚାଉଳକୁ ଖାଇଗଲା କିଏ। ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ହୋଇଛି। ଏହି ୫ବର୍ଷରେ ୩ରୁ୪ ଜଣ ପିଇଓ ପଞ୍ଚାୟତକୁ ଆସିଥିଲେ ମଧ୍ୟ ଏହି ମୃତ ହିତାଧିକାରୀଙ୍କୁ ତାଲିକାରୁ କାଟିବା ବଦଳରେ ଏହାକୁ ସହଯୋଗ କରି ଏହି ମୃତ ହିତାଧିକାରୀଙ୍କ ଚାଉଳକୁ ସରପଞ୍ଚ, ପିଇଓ ଓ ଯୋଗାଣ ସହାୟକ ମିଶି ବଜାରରେ କ୍ବିଣ୍ଟାଲ ପିଛା ୧୩ଶହ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।


ପ୍ରକାଶ ଯେ ଏହି ପଞ୍ଚାୟତରେ ୫ ବର୍ଷ ହେବ ୨୦ ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ହେଲେ ଏହି ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ କାର୍ଡ ରହିଛି। ପଞ୍ଚାୟତର କାର୍ଯ୍ୟରତ ସମସ୍ତ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ତାଲିକାରୁ ବାଦ ଦେବା କଥା। ହେଲେ ପଞ୍ଚାୟତର ସମସ୍ତେ ମିଶି ମୃତ ବ୍ୟକ୍ତିଙ୍କ ଚାଉଳ ଆଣି ହଡ଼ପ କରିଚାଲିଛନ୍ତି। ଏହି ପଞ୍ଚାୟତରେ ୧୩୮୬ ଜଣ ବ୍ୟକ୍ତିଙ୍କ ଚାଉଳ କାର୍ଡ ରହିଥିବା ବେଳେ ୨୩୧ ଜଣଙ୍କ ଅନ୍ତୋୟଦୟ କାର୍ଡ ରହିଛି। ହେଲେ ଏହି ପଞ୍ଚାୟତରେ ହିତାଧିକାରୀ ଅନ୍ତୋସଦୟ କାର୍ଡ ରହିଥିଲେ ମଧ୍ୟ ସେହି ହିତାଧିକାରୀଙ୍କୁ ଚାଉଳ ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଜଣେ ସୂଚନା କର୍ମୀ ୨୦୧୯ ମାର୍ଚ୍ଚ ଠାରୁ ୨୦୨୧ ଜୁନ ପର୍ଯ୍ୟନ୍ତ ମାଗିଥିବା ରିପୋର୍ଟ ତଥ୍ୟରୁ ଜଣାଡ଼ିଛି।

ସୂଚନା ମଗାଯାଇଥିବା ଜାଣିବା ପରେ ପଞ୍ଚାୟତ କର୍ମଚାରୀମାନେ ଜୁଲାଇ ମାସରେ ମୃତ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦେଇଛନ୍ତି। ହେଲେ ଏହି ୫ ବର୍ଷ ହେବ ମୃତ ବ୍ୟକ୍ତିଙ୍କ ଚାଉଳ ଖାଉଥିଲା କିଏ। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏହା ତଦନ୍ତ କରିବା ଜରୁରୀ ହୋଇଛି। ଏଥିରେ ପଞ୍ଚାୟତରେ ପୂର୍ବତନ ପିଇଓ ସରପଞ୍ଚ ତଥା ଯୋଗାଣ ସହାୟକ ସଂପୃକ୍ତ ରହି ପ୍ରତି ମାସରେ ଚାଉଳକୁ ବିଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏପରି କି ଏହି ପଞ୍ଚାୟତରେ ଆଜିକୁ ୫ବର୍ଷ ହେବ ଚାଉଳ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ହଡ଼ପ କରୁଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ଏହା ଉପରେ ପ୍ରଶାସନ ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର