ପିଡିଏସ୍ କିରୋସିନିରେ ଦୁର୍ନୀତି ଗନ୍ଧ, ଲକ୍‌ଡାଉନରେ ବି ଲିଟର ୩୮

ଭୂତ ଖାଉଛନ୍ତି ଚାଉଳ, ଗହମ

ବାଲେଶ୍ବର/ରୁପ୍‌ସା : ଲକଡାଉନ ସମୟରେ ହିତାଧିକାରୀଙ୍କୁ ଅଗ୍ରୀମ ଖାଦ୍ୟସାମଗ୍ରୀ ସହ ୧୫ ଟଙ୍କାରେ କିରାସିନି ଯୋଗାଇଦେବାକୁ ସରକାର ନିର୍ଦେଶ ଦେଇଥିଲେ। ମାତ୍ର ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ଶତାଧିକ ହିତାଧିକାରୀ ଚାଉଳ ଓ ଗହମ ପାଉନଥିବା ବେଳେ କିରାସିନି ଲିଟର ପିଛା ୩୮ ଟଙ୍କାରେ କିଣୁଛନ୍ତି। ଏନେଇ ହିତାଧିକାରୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ ସମ୍ପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୂର କଥା, କୌଣସି ତଦନ୍ତ କରାଯାଉନାହିଁ।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତର ଡିଲର ‌ବୈଦ୍ୟନ‌ାଥ ବାଡ଼ି ପ୍ରାୟ ୪ଶହରୁ ଅଧିକ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରନ୍ତି। ଗତ କିଛିଦିନ ଧରି ଖାଉଟିମାନଙ୍କୁ ଠିକ୍ ସମୟରେ ଚାଉଳ, ଗହମ ଓ କିରାସିନି ଦେଉ ନଥିବା ଅଭିଯୋଗ ହୋଇଛି। ଶ୍ରୀ ବାଡ଼ି ଲକଡାଉନ ସମୟରେ ଲିଟର ପିଛା ୩୮ଟଙ୍କାରେ ବିକ୍ରି କରୁଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଘଟଣା ସମ୍ପର୍କରେ ଶ୍ରୀ ବାଡ଼ିଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ସହିତ ଉପଭୋକ୍ତାଙ୍କ ସହିତ ଆଲୋଚନା କରି ଯାହା ନିଷ୍ପତି ନେବେ ବୋଲି ପ୍ରକାଶ କରିଛନ୍ତି। ଡିଲର ଶ୍ରୀ ବାଡିଙ୍କ ବିରୋଧରେ ସୁନ୍ଦରକୁଲି ଗ୍ରାମର ପଦନ କୁମାର ନନ୍ଦୀ, ପଣିସାପଡ଼ା ଗ୍ରାମର ଶ୍ରବଣ କୁମାର ଦାସ, ଗଙ୍ଗାଧର ବେହେରା, ଜନ୍ମେଜୟ ବେହେରା, ଶାଳବଣି ଗ୍ରାମର ରଘୁନାଥ ସାହୁ ପ୍ରମୁଖ କିରାସିନି ଅଧିକ ଦରରେ ବିକ୍ରି କରିବା ସହିତ ବହୁ ମୃତବ୍ୟକ୍ତିଙ୍କ ନାମରେ ପିଡିଏସ୍‌ ସାମଗ୍ରୀ ହଡ଼ପ କରୁଥିବା ଅଭି‌ଯୋଗ କରିଛନ୍ତି। ଶ୍ରୀ ବାଡ଼ି ପୁରୁଷୋତ୍ତମପୁର ପଞ୍ଚାୟତର ପାଖାପାଖି ୬/୭ଟି ଗ୍ରାମର ରାସନକାର୍ଡ ହିତାଧିକାରୀଙ୍କୁ କଣ୍ଟ୍ରୋଲସାମଗ୍ରୀ ଯୋଗାଇ ଆସୁଥିବାବେଳେ ଖୋଳତାଡ଼ କରାଗଲେ ଏଠାରେ ଅନେକ ସତ ପଦାକୁ ଆସିପାରନ୍ତା ବୋଲି କୁହାଯାଇଛି। ତେବେ ଘଟଣା ସମ୍ପର୍କରେ ବସ୍ତା ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ସେ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାଲେଶ୍ବର ଜିଲ୍ଲାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାରେ ବସ୍ତା ବ୍ଲକ କେବଳ ଏକ ଦୃଷ୍ଟାନ୍ତ। ଜିଲ୍ଲାର ବାଲିଆପାଳ, ବାହାନଗା, ସଦର, ସିମୁଳିଆ, ଜଳେଶ୍ବର ଭଳି ବିଭିନ୍ନ ଅଞ୍ଚଳରେ ପିଡିଏସ୍‌ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ଚାଲିଥିବା ଅଭିଯୋଗ ଆସୁଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର