କରୋନା ଖୋଲୁଛି ଗୁମର : ଦାଦନ ଫେରିଲେ ଖାଇବେ କଣ? ସଂପର୍କୀୟଙ୍କ ଦସ୍ତଖତରେ ଖାଇଗଲେଣି ଚାଉଳ

ତିନି ମାସର ଦେଇ ତିନି ମାସର ନେଇଗଲେ
ହଜାରେ ଟଙ୍କା ସହାୟତା ରାଶି ବି ହଡ଼ପ ହୋଇଛି

ବଲାଙ୍ଗୀର/କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାରୁ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ‌ଏପଟେ ହରିଲୁଟ ହେଉଛି ସେମାନଙ୍କ ପିଡିଏସ୍‌ ରାସନ୍ ସାମଗ୍ରୀ। ଗ୍ରାଉଣ୍ଡ ଜିରୋରେ ଏ ସଂପର୍କରେ ଅନୁସନ୍ଧାନ କରିଥିଲା ସମ୍ବାଦ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କରୁଆଁମୁଣ୍ତା ପଞ୍ଚାୟତ କୁଲିଆଦରୋ ଗାଁ। ଲକ୍‌ଡାଉନ୍‌ ଯୋଗୁଁ ଦାଦନପ୍ରବଣ ଗାଁ ଏବେ ଶୂନ୍‌ଶାନ୍‌। ସବୁ ଘରେ ତାଟିକବାଟ ପଡ଼ିଛି। କିଛି ଘରେ ବାହାର ପଟୁ ତାଲା ପଡ଼ିଛି। ଇଟା ଗଢ଼ିବାକୁ ବାହାର ରାଇଜକୁ ଦାଦନ ଯାଇ ଫେରି ନାହାନ୍ତି। ହେଲେ କରୋନା ସମୟରେ ତାଙ୍କ ସହାୟତା ରାଶି, ପିଡିଏସ୍‌ ସାମଗ୍ରୀ ହଡ଼ପ କରିଛନ୍ତି ସରକାରୀ ବାବୁ। ପଂଚାୟତ ପକ୍ଷରୁ ରାସନ୍‌ କାର୍ଡରେ ୬ ମାସର ଚାଉଳ ଦିଆଯାଇଥିବା ଉଲ୍ଲେଖ କରି ତିନି ମାସର ଚାଉଳ ହଡ଼ପ କରାଯାଇଛି। ଏହା ଭାତହାଣ୍ଡିରୁ ଗୋଟିଏ।

ବଲାଙ୍ଗୀର ଜିଲ୍ଲାରେ କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ତିନି ମାସର ଅଗ୍ରିମ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପ୍ରାୟତଃ ସରିଗଲାଣି। ସମୁଦାୟ ୨ଲକ୍ଷ ୩୩ ହଜାର କୁଇଣ୍ଟାଲ ଚାଉଳ ସହ ଗହମ ବଣ୍ଟନ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ତିନି ମାସର ଚାଉଳ ସହ ଡାଲି ବଣ୍ଟନ ଚାଲିଛି। ଏହା ପ୍ରାୟତଃ ୩୫ ପ୍ରତିଶତ ସରିଥିବା ଯୋଗାଣ ବିଭାଗ କହୁଛି। ହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପଂଚାୟତ ସ୍ତରରୁ ଦୁର୍ନୀତିର ଚେର ଜିଲ୍ଲା ସ୍ତରକୁ ଲମ୍ବିଛି। ଗରିବଙ୍କ ପାଇଁ ସହାୟତା ସମୟରେ ବି ହରିଲୁଟ ଚାଲିଛି। ମୁଖ୍ୟତଃ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପରିବାର ଲୋକଙ୍କ ପିଡିଏସ୍‌ ସାମଗ୍ରୀ ଚଳୁ ହେଉଛି।

ଦାଦନପ୍ରବଣ ତୁରେକେଲା ବ୍ଲକ୍‌ କରୁଆଁମୁଣ୍ତା ପଂଚାୟତର ବହୁ ଗରିବ ପରିବାର ପ୍ରତିବର୍ଷ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନେ ଫେରିନଥିବା ବେଳେ ଏପଟେ ତାଙ୍କ ନାଁରେ ପଂଚାୟତରୁ ପିଡିଏସ ସାମଗ୍ରୀ ଉଠିସାରିଲାଣି। ଛଅମାସର ଚାଉଳ ଏକାଥରକେ ଉଠାଯାଇ ଗାଁମାନଙ୍କରେ ଥିବା ତାଙ୍କ ସଂପର୍କୀୟମାନଙ୍କୁ ତିନି ମାସର ଚାଉଳ ଦିଆଯାଇଛି। ଆଉ ତିନି ମାସର ଚାଉଳ ହଡ଼ପ କରାଯାଇଛି। ଗାଁରେ ଥିବା ସନ୍ତୋଷ ବାଗଙ୍କ ପରିବାର ଗତ ଛଅସାତ ମାସ ହେବ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ସନ୍ତୋଷଙ୍କ ସ୍ତ୍ରୀଙ୍କ ନାଁରେ ରାସନ କାର୍ଡ ଅଛି। ପରିବାରର ୪ ଜଣଙ୍କ ହିସାବରେ ୩ ମାସର ରାସନ ଦିଆଯାଇଛି। ହେଲେ ସେ ଯେଉଁ ଦିନରୁ ଗଲେଣି ସେହି ମାସରୁ ସେ ରାସନ ନେଇଥିବା ତାଙ୍କ ରାସନ କାର୍ଡରେ ଉଲ୍ଲେଖ କରାଯାଇଛି। ସନ୍ତୋଷଙ୍କ ସଂପର୍କୀୟଙ୍କ କହିବାନୁସାରେ, ଜାନୁଆରିରୁ ଜୁନ ଯାଏ ସେହି କାର୍ଡରେ ଛଅମାସର ଚାଉଳ ଦେବା କଥା। କିନ୍ତୁ ଜାନୁଆରିରୁ ଜୁନ ଯାଏ ଖାତାରେ ଚାଉଳ ଦିଆଯାଇଥିବା ଉଲ୍ଲେଖ କରି କେବଳ ତିନି ମାସର ଦିଆଯାଇଛି। ସେହି ଚାଉଳକୁ ସନ୍ତୋଷଙ୍କ ପରିବାର ଫେରିଲେ ତାଙ୍କୁ ଦେବାକୁ ଗଚ୍ଛିତ ରଖିଥିବା ସେ କହିଥିଲେ। ସେହିପରି ଭୁଜବଳ ବନଛୋରଙ୍କ ପରିବାର ଓ ତାରାକାନ୍ତ ବାଗଙ୍କ ପରିବାର ମଧ୍ୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। ସେମାନଙ୍କ କାର୍ଡରେ ମଧ୍ୟ ଛଅମାସର ଚାଉଳ ଉଠାଯାଇ କେବଳ ତିନି ମାସର ଚାଉଳ ତାଙ୍କ ସମ୍ପର୍କୀୟ ଲୋକଙ୍କୁ ଦିଆଯାଇଛି।

ତିନି ମାସର ଚାଉଳ କୁଆଡ଼େ ଗଲା? ଦାଦନ ଶ୍ରମିକ ପୂର୍ବରୁ ଚାଉଳ ନେଇନଥିବା ବେଳେ ସେମାନଙ୍କ ନାଁରେ ଏବେ ତିନି ମାସର ଚାଉଳ ହଡ଼ପ ଚାଲିଥିବା ଜଣାପଡ଼ିଥିଲା। ଗାଁର ନିରୀହ ଗରିବ ଲୋକ ସେତେଟା ସାକ୍ଷର ନଥିବା ବେଳେ ଯୋଗାଣ ସହାୟକ ଚାଉଳ ନଦେଇ କାର୍ଡରେ ଚାଉଳ ଦେଇଥିବା ଉଲ୍ଲେଖ କରି କାହାର ୨୦ କେଜି ତ କାହାର ୨୫ କେଜି ଚାଉଳ ହଡ଼ପ କରିଥିବା ଅଭିଯୋଗ ହୋଇଛି। ସରକାର ରାସନ କାର୍ଡ ପିଛା ଏକ ହଜାର ଟଙ୍କା ସହାୟତା ରାଶି ଦେଉଥିବା ବେଳେ ତାହା ବି ବହୁ ଦାଦନ ଶ୍ରମିକଙ୍କ ନାଁରେ ହଡ଼ପ ହୋଇଛି।

ଚାଉଳ ବଣ୍ଟନକୁ ନେଇ ଯୋଗାଣ ସହାୟକ ଓମପ୍ରକାଶ ବନଛୋରଙ୍କୁ ଯୋଗାଯୋଗ କରିବାରୁ ସେ ସଂଗରୋଧ ଗୃହ କାମରେ ବ୍ୟସ୍ତ ଅଛି, କୌଣସି ହେରଫେର ହୋଇନାହିଁ ବୋଲି କହିଥିଲେ। ସହାୟତା ରାଶି ବଣ୍ଟନକୁ ନେଇ ତଥ୍ୟ ଲୋଡ଼ିବାରୁ ରେକର୍ଡପତ୍ର ମୋ ପାଖରେ ନାହିଁ ଓ ତାହା ଇଓଙ୍କ ପାଖରେ ରହିଛି ବୋଲି କହିଥିଲେ। ପଂଚାୟତ ଇଓ ଭୋପାଳ ଭୋଇ ଯୋଗାଣ ସହାୟକଙ୍କ ନିକଟରେ ସବୁ ତଥ୍ୟ ଅଛି କହି ଏଡ଼ାଇ ଯାଇଥିଲେ। ୬୦୦ରୁ ଅଧିକ ଦାଦନ ଶ୍ରମିକ ଗାଁକୁ ଫେରିବାକୁ ପଂଜୀକରଣ କରାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଦାଦନ ଶ୍ରମିକ ଗାଁକୁ ଫେରିଲେ କଣ ଖାଇବେ?

ସମ୍ବନ୍ଧିତ ଖବର