ଯାଜପୁର ରାସନ୍‌ କେଳେଙ୍କାରୀ : ଚୋର ଜିନିଷ ଫେରାଇଲେ ବି ମାଫ୍‌!

ଯାଜପୁର/ପାଣିକୋଇଲି : କାର୍ଡ ଆସିନି କହି ହିତାଧିକାରୀଙ୍କ ରାସନ୍‌ ଅଣ୍ଟିରେ ପୂରାଉଥିଲେ। କେଳେଙ୍କାରୀ ଧରାପଡ଼ିବା ପରେ ଫେରାଇ ଦେଲେ। ଦୋଷ ପ୍ରମାଣିତ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଚୋର ଧରାପଡ଼ିବା ପରେ ଚୋରି ସାମଗ୍ରୀ ଫେରାଇଦେଲେ ସବୁ ଦୋଷ ମାଫ୍‌ ନ୍ୟାୟରେ ଏଠାରେ ଚାଲିଛି ପ୍ରଶାସନିକ କାର୍ଯ୍ୟ। ଯାଜପୁର ଜିଲ୍ଲାର ରାସନ୍‌ କେଳେଙ୍କାରୀ ଜଳଜଳ ହୋଇ ଦେଖାଯାଉଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ରହିବା ଏହା ଏକ ଦୃଷ୍ଟାନ୍ତ ମାତ୍ର।

କରୋନା ପାଇଁ ପଡିକାର୍ଡଧାରୀଙ୍କୁ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନରେ ତାଳମେଳ ନ ରହିବାରୁ କୋରେଇ ବ୍ଲକ୍ ପାଣିକୋଇଲି ପଞ୍ଚାୟତର ସରପଞ୍ଚ କାର୍ତ୍ତିକ ପଣ୍ଡା ଧରପଡ଼ଗଡ଼ କରି କେଳେଙ୍କାରୀ ସଂପର୍କରେ ଜାଣିବାକୁ ପାଇଥିଲେ। ହିତାଧିକାରୀଙ୍କ କାର୍ଡ ଲୁଚାଇ ରାସନ୍‌ ସାମଗ୍ରୀ ଲୁଟୁଥିଲେ ଡିଲରମାନେ। ଏବେ ଧରାପଡ଼ିବା ପରେ ପାଣିକୋଇଲି ପଞ୍ଚାୟତର ମନୋରମା ‌ରଣାଙ୍କ ପରିବାରର ୩ଜଣଙ୍କ ୧୨ମାସର ଚାଉଳ ୧କୁଇଣ୍ଟାଲ ୮୦କିଲୋଗ୍ରାମ, ପଦ୍ମବତୀ ଜେନାଙ୍କ ପରିବାର ୬ଜଣଙ୍କ ୧୨ମାସର ଚାଉଳ ୩ କୁଇଣ୍ଟାଲ ୬୦କେଜି, ସରୋଜିନୀ ଦାସଙ୍କ ପରିବାରର ୩ଜଣଙ୍କ ୧କୁଇଣ୍ଟାଲ ୮୦କେଜି, ଦିପ୍ତିମୟୀ ସାହୁଙ୍କ ପରିବାରର ୫ଜଣଙ୍କ ୩କୁଇଣ୍ଟାଲ, ମଞ୍ଜୁ ମଲିକଙ୍କ ପରିବାରର ୪ଜଣଙ୍କ ୨କୁଇଣ୍ଟାଲ ୪୦କେଜି ରିଟେଲର ଗୋପାଳ ସାହୁ ପ୍ରଦାନ କରିଥିବା ସ୍ବୀକାର କରିଛନ୍ତି। ସେହିପରି, ଜୟନ୍ତୀ ପଣ୍ଡାଙ୍କ ପରିବାରକୁ ୧କୁଇଣ୍ଟାଲ ୮୦କେଜି, ବାବାନାରାୟଣ ଦାସଙ୍କୁ ୬୦କେଜି, ଜୟପ୍ରଦା ଓଝାଙ୍କ ପରିବାରକୁ ୧କୁଇଣ୍ଟାଲ ୮୦କେଜି, ବାସନ୍ତୀ ମୁଣ୍ଡାଙ୍କୁ ୧କୁଇଣ୍ଟାଲ ୨୦କେଜି, ଗଙ୍ଗାଧର ସାହୁଙ୍କୁ ୬୦କେଜି ଚାଉଳ ରିଟେଲର ସ୍ମିତାରେଖା ପରିଡ଼ା ପ୍ରଦାନ କରିଥିବା କହିଛନ୍ତି। ଏହାବାଦ କୃଷ୍ଣ ମହାକୁଢ ଓ ମଲ୍ଲି ପରିଡ଼ା ରାସନ ପାଇବା ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ସେମାନଙ୍କ ଚାଉଳ ରିଟେଲରଙ୍କ ନିକଟରେ ଅଛି ବୋଲି ସ୍ବୀକାର କରିଛନ୍ତି। ଏହି ପାଣିକୋଇଲି ପଞ୍ଚାୟତରେ କୁନ୍ତଳା ଦାସ, ପୁଷ୍ପଲତା ଦାସ, ମନୋରମା ସାହୁ, ରୁକ୍ମଣୀ ନାୟକ, କବିତା ମଲିକ, ପକେଇ ମଲିକ ଓ ସୀତା ମଲିକଙ୍କୁ ଠାବ କରିବାରେ ବିଫଳ ହେବା ପରେ ସହାୟତା ରାଶି ବଣ୍ଟନ କରୁଥିବା ଶିକ୍ଷକ ପ୍ରଭାତ ବେ‌ହେରା ମାର୍ଚ୍ଚ ୩୧ତାରିଖରେ ବ୍ଲକ୍‌ରେ ୭ହଜାର ଟଙ୍କା ଫେରାଇ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କୋରେଇ ବ୍ଲକ୍‌ରେ ମୋଟ ୩୩ହଜାର ୧୩୫କାର୍ଡଧାରୀଙ୍କୁ ୩କୋଟି ୩୧ଲକ୍ଷ ୩୫ହଜାର ଟଙ୍କା ବଣ୍ଟନ ହୋଇଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ତଥ୍ୟ କହୁଛି। ଏଠାରେ ଗୋଟିଏ ଟଙ୍କା ଫେରିନାହିଁ । ଏପ୍ରିଲ ୪ ରୁ ମେ ୧୧ତାରିଖ ସୁଦ୍ଧା ଜିଲ୍ଲା ଯୋଗାଣ ବିଭାଗ ପ୍ରଦାନ କରୁଥିବା ତଥ୍ୟରେ ଏହା ଦର୍ଶାଯାଇଛି। ତାହାହେଲେ ପାଣିକୋଇଲିରେ ବଣ୍ଟନ ହୋଇପାରି ନଥିବା ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏ କ୍ଷେତ୍ରରେ ଜିଲ୍ଲା ଯୋଗାଣ ବିଭାଗର ଭୂମିକା ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି।

ଏ ସଂପର୍କରେ କୋରେଇ ବ୍ଲକ୍ ଯୋଗାଣ ବିଭାଗ ଏମଇ ପ୍ରସନ୍ନ ନାୟକଙ୍କୁ ପଚାରିବାରେ ତାଙ୍କ ପାଖରେ ସଠିକ ତଥ୍ୟ ନାହିଁ। ୨୦ ରୁ ୨୫ଜଣଙ୍କ ସହାୟତା ରାଶି ବଣ୍ଟନ ହୋଇପାରିନାହିଁ। ଲକ୍‌ଡାଉନ୍‌ ପାଇଁ ହାତାଧିକାରୀ ବାହାରେ ରହିଯାଇଛନ୍ତି। ସେମାନଙ୍କ ଟଙ୍କା ରହିଯାଇଛି ବୋଲି ଶ୍ରୀ ନାୟକ ସଫେଇ ଦେଇଛି। ଯୋଗାଣ ବିଭାଗର ଜିଲ୍ଲା କାର୍ଯ୍ୟାଳୟର ତଥ୍ୟ ଓ କୋରେଇ ଏମଆଇ ଶ୍ରୀ ନାୟକଙ୍କ ଅସ୍ପଷ୍ଟ ଉତ୍ତର ଅନେକ ପ୍ରଶ୍ନ ଉଠାଉଛି। ପାଣିକୋଇଲି ପଞ୍ଚାୟତ ରାସନ କେଳେଙ୍କାରୀର ତଦନ୍ତ ଜିଲ୍ଲା ସ୍କ୍ବାଡ୍‌ କରୁଥିବା ଏମଆଇ ଶ୍ରୀ ନାୟକ କହିଛନ୍ତି। ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ କହିଛନ୍ତି ଡିଲରମାନଙ୍କ ‌ଖାତା ତନଖି ପାଇଁ ଜବତ କରାଯାଇଛି। ଯାଜପୁର ଜିଲ୍ଲାର ଦଶରଥପୁର, ଦାନଗଦୀ, ବରୀ, ଧର୍ମଶାଳା ବ୍ଲକ୍‌ର ଶତାଧିକ ଲୋକଙ୍କ ନାମରେ କୋଟି କୋଟି ଟଙ୍କା ରାସନ ସାମଗ୍ରୀ ବର୍ଷ ବର୍ଷ ଧରି ହରିଲୁଟ ହୋଇଆସିଛି। ଏପରିକି ହିତାଧିକାରୀଙ୍କ ରାସନ କାର୍ଡ ରିଟେଲରମାନେ ନିଜ ନିକଟରେ ରଖି ରାସନ ଉଠାଉଛନ୍ତି। ଯାହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ଯୋଗାଣ ବିଭାଗର ଦୁର୍ନୀତି ପଦାକୁ ଆସିବାରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଜୋରଦାର ହୋଇଥିବା ବେଳେ ଯାଜପୁର ପ୍ରଶାସନ କିନ୍ତୁ ଚୁପ୍‌। ଧର୍ମଶାଳା ବ୍ଲକ୍ ଆରୁଆ ପଞ୍ଚାୟତର କୋଲ୍ଲ ଗାଁର ମୃତ ପାର୍ବତୀ ସାହାଣୀଙ୍କ ପରିବାରର ବର୍ଷ ବର୍ଷର ରାସନ ଚାଉଳ ହଡ଼ପ ସହିତ ସହାୟତା ରାଶି ହଜାରେ ଟଙ୍କା ଡିଲର ହଡ଼ପ କରିଥିବା ସ୍ବୀକାର କରିବା ସତ୍ତ୍ବେ ପ୍ରଶାସନ ନିରବ। ସେହିପରି କୋରେଇ ବ୍ଲକ୍ ପାଣିକୋଇଲି ପଞ୍ଚାୟତରେ ଶହ ଶହ ‌କ୍ବିଣ୍ଟାଲ ରାସନ ଚାଉଳ ରିଟେଲରମାନେ ହଡ଼ପ କରିବା ଘଟଣା ଧରାପଡ଼ିବା ପରେ ଏବେ ବର୍ଷ ବର୍ଷର ଚାଉଳ ଫେରାଉଛନ୍ତି। ଶହ ଶହ ହିତାଧିକାରୀଙ୍କ ଅଜାଣତରେ ବର୍ଷ ବର୍ଷ ଧରି ରିଟେଲର ଓ ଏମଆଇଙ୍କ ଆସାଧୁମେଣ୍ଟ କୋଟି କୋଟି ଟଙ୍କା ରାସନ ସାମଗ୍ରୀ ଚଳୁ କରିଥିବା ଅଭିଯୋଗ ହେଉଛି। ଗତ ୧୧ତାରିଖ ସୁଦ୍ଧା ଜିଲ୍ଲାରେ ୨୨୭୬ଜଣ କାର୍ଡ଼ଧାରୀଙ୍କ ପତ୍ତା ଯୋଗାଣ ବିଭାଗ ପାଉଥିବା ଦର୍ଶାଇଛି। ଏହି ‌ତଥ୍ୟରେ ମଧ୍ୟ ବହୁ ବିଭ୍ରାଟ ଏବେ ପଦାରେ ପଡୁଛି। ଅନେକ ସ୍ଥାନରେ ହଜାରେ ଟଙ୍କା ସହାୟତା ରାଶି ନବାଣ୍ଟି ବଣ୍ଟା ହୋଇଯାଇଥିବା ଭଳି କାହିଁକି ରିପୋର୍ଟ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର