ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ର ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ୧୫୩୦ କ୍ୱିଣ୍ଟାଲ ପିଡିଏସ ସାମଗ୍ରୀ ଚୋରି ହେବାର ୩୨ ଘଣ୍ଟା ପରେ ଏହାକୁ ପଶ୍ଚିମବଙ୍ଗରୁ ଜବତ୍‌ କରିଛି ପୁଲିସ। ତେବେ ଏଥିରେ ସାମିଲ ଥିବା ଦଲାଲମାନେ ଫେରାର ହୋଇଯାଇଛନ୍ତି।

Advertisment

ଘଟଣାରୁ ପ୍ରକାଶ ଯେ, ବାଲିଆପାଳ ବ୍ଲକ୍‌ରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ପାଇଁ ଦାୟିତ୍ୱ ନେଇଥିଲେ ବସ୍ତା ଥାନା ବରଡ଼ା ଗାଁର ଦେବେନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଅତୁଲ। ଲେବୁଲ-୨ ଠିକାଦାର ଭାବେ ଦାୟିତ୍ୱ ନେଇଥିବା ଅତୁଲ ଜଳେଶ୍ୱର ଆର୍‌ଆର୍‌ସିରୁ ଗତ ୧୨ ତାରିଖ ଦିନ ୧୫୩୦ କ୍ୱିଣ୍ଟାଲ ଚାଉଳ ଓ ଗହମ ଉଠାଇବାର ଥିଲା। ଏଥିପାଇଁ ବସ୍ତା ଥାନା ମୁକୁଳସୀ ଗାଁର ରାଧାକୃଷ୍ଣ ନନ୍ଦୀ ଓ ତାଙ୍କ ପୁଅ ଚନ୍ଦନ ଅତୁଲଙ୍କଠୁ ଦାୟିତ୍ୱ ନେଇଥିଲେ। ତେବେ ଏ ଦୁହେଁ ଓଆର-୦୧-ପି-୪୩୯୯୯, ଓଆର-୦୧-କେ-୪୫୩୫, ଓଆର-୦୧-ଏଫ-୭୪୧୧ ଓ ଓଡି-୦୧-ଜି-୨୦୪୫ ନମ୍ବରର ୪ଟି ଟ୍ରକ୍‌ରେ ଚାଉଳ ଓ ଗହମ ବୋଝେଇ କରିଥିଲେ ମଧ୍ୟ ଠିକାଦାରଙ୍କ ନିକଟରେ ପହଞ୍ଚି ନଥିଲେ। ଏହି ଚୋରା ସାମଗ୍ରୀକୁ ସେମାନେ ପଶ୍ଚିମବଙ୍ଗ, ସୁନାକଣିଆର ଅଜିତ ଘୋଷ ନାମକ ଜଣେ ବେପାରୀଙ୍କ ଗୋଦାମରେ ଖାଲି କରିଥିଲେ। ଏନେଇ ଠିକାଦାର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଉକ୍ତ ଗୋଦାମରୁ ଚାଉଳ ଓ ଗହମ ଜବତ୍‌ କରିଛି। ପରେ ଏହି ଜବତ୍‌ ଚାଉଳକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଅତୁଲଙ୍କ ଜିମା ଦିଆଯାଇଛି।