୫ ସୁଦ୍ଧା ଟଙ୍କିକିଆ ଚାଉଳ ହିତାଧିକାରୀ ସଂଖ୍ୟା ୨୫ ଲକ୍ଷ ଛୁଇଁବ

ତଦନୁଯାୟୀ ଚାଉଳ ଯୋଗାଇବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ବର : ଗତ ଗାନ୍ଧୀ ଜୟନ୍ତୀ ଦିବସରୁ ସରକାର ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବର୍ତମାନ ସୁଦ୍ଧା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟ ଛୁଇଁପାରିନାହିଁ। ଆସନ୍ତା ନଭେମ୍ବର ୫ ତାରିଖ ସୁଦ୍ଧା ଏହା ୨୫ ଲକ୍ଷର ଲକ୍ଷ୍ୟକୁ ଛୁଇଁପାରିବ ବୋଲି ଖାଦ୍ୟ ଯୋଗାଣ ବିଭାଗ ଆଶାପ୍ରକାଶ କରୁଛି। ଏହାକୁ ଦୃଷ୍ଟିରେ ରଖି ସେହି ୫ ତାରିଖ ପର୍ଯ୍ୟନ୍ତ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସଂପ୍ରସାରଣ କରାଯିବା ସହିତ ସେମାନଙ୍କୁ ଚାଉଳ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଆଜି ଏ ନେଇ ଖାଦ୍ୟ ଯୋଗାଣ ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ର କୁମାର ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା‌ର ଧାର୍ଯ୍ୟ ୨୫ ଲକ୍ଷ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ସୁଦ୍ଧା ସରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏ ନେଇ ବିଭାଗ ସନ୍ଦେହ ପ୍ରକାଶ କରିଛି। ବର୍ତମାନ ସୁଦ୍ଧା‌ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ଗତିରେ ଆଗେଇ ଥିବାରୁ ରାଜ୍ୟରେ ପ୍ରତିଦିନ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତଦନୁଯାୟୀ ସେମାନଙ୍କୁ ସୁଲଭ ମୂଲ୍ୟର ଦୋକାନ(ଏଫ୍‌ପିଏସ୍‌)ଗୁଡ଼ିକରେ ଇ-ପୋସ୍‌ (ପଏଣ୍ଟ ଅଫ୍‌ ସେଲ୍‌) ଯୋଗେ ଚାଉଳ ଯୋଗାଇଦେବା ଦରକାର ପଡ଼ୁଛି। ତେବେ ଧାର୍ଯ୍ୟ ସମୟରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସରିବାର ସମ୍ଭାବନା କ୍ଷୀଣ ରହିଥିବା ଅଡ଼ୁଆକୁ ବଢ଼ାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପୂର୍ବର ହିତାଧିକାରୀମାନଙ୍କ ସହିତ କ୍ରମବର୍ଧିଷ୍ଣୁ ହିତାଧିକାରୀଙ୍କୁ ସାମିଲ କରି ଇ-ପୋସ୍‌ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ଚାଉଳ ବିକ୍ରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପ୍‌ଲୋଡ୍‌ କରିବାକୁ ମଧ୍ୟ କୁହାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏ ସମସ୍ତ କାର୍ଯ୍ୟ ଜାରି ରହିବ। କିନ୍ତୁ ସମ୍ପ୍ରସାରିତ ସମୟସୀମା ପରେ ଆଉ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ପାଇଁ ଅନୁମତି ମିଳିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର