ରାଉରକେଲା: ବିଭିନ୍ନ ଅନିୟମିତତା ଯୋଗୁ ରାଉରକେଲା ଯୋଗାଣ ବିଭାଗ ସର୍ବଦା ଚର୍ଚ୍ଚାରେ ରହିଆସିଛି। ଅଭିଯୋଗ ପରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ହେଉଛି। ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି। ସରକାରୀ ନିୟମ କହୁଛି, ହିତାଧିକାରୀଙ୍କୁ ଯୋଗାଣ ହେଉଥିବା ଚାଉଳର ମାନ ଉପଯୁକ୍ତ ଯାଞ୍ଚ ହେବା କଥା।
ରାଇସ୍ ମିଲ୍ ହେଉ ଅବା ବିଭିନ୍ନ ଗୋଦାମରୁ ଯୋଗାଣ ବିଭାଗ ଗୋଦାମକୁ ଆସୁଥିବା ପିଡିଏସ୍ ଚାଉଳ ଠିକ୍ ଅଛି କି ନାହିଁ ପିଆଇ ଓ ଲିଫ୍ଟିଂ ଅଧିକାରୀ ଯାଞ୍ଚ କରିଥାନ୍ତି। ରାଉରକେଲାରେ କିନ୍ତୁୂ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଫ୍ସିଆଇ (ଭାରତୀୟ ଖାଦ୍ୟ ନିଗମ) ପରିସରସ୍ଥ ରାଜ୍ୟ ଯୋଗାଣ ବିଭାଗ ଗୋଦାମରେ ପଶୁଛି ପୋକ ସାଲୁବାଲୁ ପିଡିଏସ୍ ଚାଉଳ।
ଆହୁରି ପଢ଼ନ୍ତୁ:Malkangiri Violence: ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
ତା’ ପୁଣି ଶହେ କି ଦୁଇଶହ ବସ୍ତା ନୁହେଁ ଦୁଇଟି ଟ୍ରକରେ ଆସିଥିବା ୧ ହଜାର ୧୦ ବସ୍ତା। ସମ୍ବଲପୁର ବୁର୍ଲାସ୍ଥ ଏ. କଟାପାଲି ଗୋଦାମରୁ ଦୁଇଟି ଟ୍ରକରେ ପିଡିଏସ୍ ଚାଉଳ ବୋଝେଇ ହୋଇଥିଲା। ସେଠାରୁ ଆସି ସିଧାସଳଖ ରାଉରକେଲା ଏଫ୍ସିଆଇ ପରିସରସ୍ଥ ରାଜ୍ୟ ଯୋଗାଣ ବିଭାଗ ଗୋଦାମରେ ପଶିଥିଲା। ଦାୟିତ୍ବରେ ଥିବା ପିଆଇ ଯାଞ୍ଚ କରିବା ପରିବର୍ତ୍ତେ ପରିବହନ ଠିକାସଂସ୍ଥାକୁ ଅନ୍ଲୋଡିଂ କରିବାକୁ ଦେବାରୁ ଏଭଳି ସ୍ଥିତି ଉପୁଜିଥିଲା। ସେଠାରେ କିଛି ଲୋକ ପୋକରା ଚାଉଳ ଦେଖି ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ହେଁ, କେହି ଶୁଣି ନଥିଲେ।
ଚାଉଳମାନକୁ ନେଇ ପ୍ରଶ୍ନ
ଗୋଦାମରେ ପୋକରା ଚାଉଳ ପଶିବା ପରେ ପୂର୍ବରୁ ମହଜୁଦଥିବା ହଜାର ହଜାର କ୍ବିଣ୍ଟାଲ ପିଡିଏସ୍ ଚାଉଳ ମାନ ଖରାପ ହୋଇଯିବ ନି ତ, ଏମିତି ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ। ଏହା ପୂର୍ବରୁ ବିଭିନ୍ନ ଗୋଦାମରେ ମହଜୁଦ ଓ କଣ୍ଟ୍ରୋଲ ଦୋକାନୀଙ୍କୁ ଯୋଗାଣ ହେଉଥିବା ଚାଉଳମାନକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। କିଛି କଣ୍ଟ୍ରୋଲ ଦୋକାନୀଙ୍କଠୁ ପୋକାରା ଚାଉଳବସ୍ତା ମଧ୍ୟ ଫେରାଇ ଅଣାଯାଇଥିଲା। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେବା ପଛରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।
ପରିବହନ ଠିକାସଂସ୍ଥା, ଲିଫ୍ଟିଂ ଅଧିକାରୀ ଓ ପିଆଇଙ୍କ ଭିତିରି ସଲାସୁତୁରାରେ ଏଭଳି ସରକାରୀ ନିୟମ ବିରୋଧୀ କାମ ହେଉଥିବା ଅଭିଯୋଗ ହେଉଛି। କିଛି ମାସ ପୂର୍ବରୁ ଏସ୍ଟିଆଇ ଗଣେଶ ମାର୍କେଟ ପିଡିଏସ୍ ଚାଉଳ ଗୋଦାମରେ ଅନିୟମିତା ଅଭିଯୋଗ ଆସିବା ପରେ ସେଠାକାର ପିଆଇଙ୍କ ସମେତ ଜିଲ୍ଲାର ଅନେକ ଗୋଦାମରୁ ପିଆଇଙ୍କୁ ବଦଳି କରାଯାଇଥିଲା।
ଆହୁରି ପଢ଼ନ୍ତୁ:Malkangiri Violence: ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ କର୍ଣ୍ଣ କହିଛନ୍ତି, ବାହାର ଆସୁଥବା ପିଡିଏସ୍ ଚାଉଳର ମାନ ଲିଫ୍ଟିଂ ଅଧିକାରୀ ଯାଞ୍ଚ କରିବା କଥା। କାହିଁକି ପୋକରା ଚାଉଳ ଗୋଦାମ ଭିତରେ ପଶିଲା ତା’ର ଯାଞ୍ଚ ହେବ। କେଉଁମାନେ ଏମିତି କରିଛନ୍ତି, ତା’ର ତଦନ୍ତ କରିବୁ। ଖରାପ ଥିଲେ ଫେରାଇ ଦିଆଯିବ। ହିତାଧିକାରୀଙ୍କୁ ପୋକରା ଚାଉଳ ଆଦୌ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/11/pds-rice-infested-in-warehouse-2025-12-11-15-09-10.jpg)