ଡୁଙ୍ଗୁରିପାଲି/ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ବିମଳିନୀ ଭାରତୀ ପିଇଜି ବା ଘରୋଇ ଉଦ୍ୟୋଗ ଗୋଦାମରେ ଗତ ଡିସେମ୍ବର ୧୪ ତରିଖ ଦିନ ନିଆଁ ଲାଗି ହଜାର ହଜାର କୁଇଣ୍ଟାଲ ପିଡିଏସ୍‌ ଚାଉଳ ପୋଡ଼ିଗଲା। କିରୋସିନ ଗନ୍ଧ ଯୋଗୁଁ ଏହା ମନୁଷ୍ୟକୃତ ବୋଲି ଚର୍ଚ୍ଚା ବି ହେଲା।

Advertisment

ବିଳମ୍ବରେ ଯୋଗାଣ ବିଭାଗ ଏତଲା ଦେଇଥିଲା ବେଳେ ୧୨ ହଜାର କୁଇଣ୍ଟାଲ ନିଅଣ୍ଟ ପାଇଁ କିଏ ଦାୟୀ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଗୋଦାମର କ୍ଷମତା ହେଉଛି ୫୦କୁଇଣ୍ଟାଲ। ଯୋଗାଣ ବିଭାଗ ନିର୍ଦ୍ଦେଶ ମୁତାବକ ଜିଲ୍ଲାର ମିଲ୍‌ଗୁଡ଼ିକର କଷ୍ଟମ ମିଲିଂ ଚାଉଳ ଏଠାରେ ଗଚ୍ଛିତ ରଖାଯାଏ ଏବଂ ପରେ ଟ୍ରକ୍‌ ଓ ରେକ୍‌ରେ ବାହାର ଜିଲ୍ଲାକୁ ପଠାଯାଇଥାଏ। ବିଶ୍ବସ୍ତ ସୂତ୍ରରୁ ହସ୍ତଗତ ସୂଚନା ଅନୁସ‌ାରେ, ଘଟଣା ଦିନ ବାହାର ଜିଲ୍ଲାକୁ ଚାଉଳ ପଠାଇବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ଚାଉଳ ନେବାପାଇଁ ଟ୍ରକ୍‌ଗୁଡ଼ିକ ବି ଗୋଦାମ ଆଗରେ ଅଟକିଥିଲେ। କିନ୍ତୁ, ଗୋଦାମ‌ରେ ଆବଶ୍ୟକ ମୁତାବକ ଚାଉଳ ନଥିଲା।

publive-image

ଅଭିଯୋଗ ହେଉଛି ଯେ ଗୋଦମରେ ୧୨ ହଜାର କୁଇଣ୍ଟାଲ ଚାଉଳ ନିଅଣ୍ଟ ଥିବା ଯୋଗୁଁ ଏହାକୁ ରଫାଦଫା କରିବାକୁ ଗଚ୍ଛିତ ଚାଉଳକୁ ପୋଡ଼ି ଦିଆଯାଇଛି। ମାତ୍ର, ଚାଉଳ ପୋଡ଼ିଯିବା ପରେ ବିନିକା ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ ଥାନାକୁ ସୂଚନା ଦିଆ ଯାଇନଥିଲା। ଏହି ଘଟଣାକୁ ନେଇ ଏବେ ବି ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିଲା। ଗୋଦାମରେ କେତେ ଚାଉଳ ଗଚ୍ଛିତ ରହିଛି ସେ ସମ୍ପର୍କରେ ଟିକିନିଖି ଖବର ରଖିବ‌ା ଦାୟିତ୍ବ ‌ଯୋଗାଣ ବିଭାଗର। ହେଲେ, ୧୨ହଜାର କୁଇଣ୍ଟାଲ ଚାଉଳ ନିଅଣ୍ଟ ସମ୍ପର୍କରେ ବିଭାଗ କିଭଳି ଜାଣିପାରିଲାନି? ପିଡିଏସ୍‌ ଚାଉଳ ରଖିବା ମିଲ୍‌ ଦାୟିତ୍ବକୁ ଦିଆଯାଇଥିବା ନେଇ ଯେଉଁ ଆଲୋଚନା ହେଉଛି, ତାହା କେତେଦୂର ସତ?

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ‘ସମ୍ବାଦ’ ପ୍ରତିନିଧି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କୁ ତାଙ୍କ ପ୍ରକୋଷ୍ଠେରେ ଭେଟି ଚାଉଳ ପୋଡ଼ି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ମଧ୍ୟ, ସେ ପ୍ରଥମେ ନଜାଣିଲା ପରି ଅଭିନୟ କରିଥିଲେ। ପରେ ଘଟଣାକୁ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ, ଆମ ପ୍ରତିନିଧି ଅରିଗାଁସ୍ଥିତ ଉକ୍ତ ଘରୋଇ ଉଦ୍ୟୋଗ ବା ପିଇଜିକୁ ଯିବାପରେ କେତେକ ଶ୍ରମିକ ଗୋଦାମରେ ଚାଉଳ ନଥିବା କହିଥିଲେ।

ଅନ୍ୟପକ୍ଷରେ, ଶେଷରେ ପିଇଜି ବା ଘରୋଇ ଉଦ୍ୟୋଗ ଚାଉଳ ଗୋଦାମ ମାଲିକ ବିମଳିନୀ ଭାରତୀଙ୍କ ନାମରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେସ୍‌ ନଂ ୩/୨୩ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ପବିତ୍ର ସାହୁ ସୂଚନା ଦେଇଛନ୍ତି।