୧୫୦୧ ହିତାଧିକାରୀଙ୍କ ୮ଶହ କ୍ୱିଣ୍ଟାଲ ଚାଉଳ ହଡ଼ପ

ଟଙ୍କିକିଆ ଚାଉଳ ବି ଦିଆଯାଇନି, ବିଡିଓଙ୍କ ତଦନ୍ତରୁ ସାମ୍ନାକୁ ଆସିଲା ସତ

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ୪ମାସର ଚାଉଳ ମାଗଣାରେ ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ହିତାଧିକାରୀଙ୍କୁ ଦେବା ବଦଳରେ ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀ ଚଳୁ କରିଦେଇଛନ୍ତି। ଏପରିକି ଜୁଲାଇ ମାସର ଟଙ୍କିକିଆ ଚାଉଳ ବି ହିତାଧିକାରୀଙ୍କୁ ଦିଆଯାଇ ନାହିଁ। ସରକାରୀ ଯୋଜନାକୁ ବାଟବଣା କରିବାର ଏମିତି ଗୋଟିଏ ନମୁନା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଅମଳାଭଟ୍ଟା ପଞ୍ଚାୟତରେ ଦେଖିବାକୁ ମିଳିଛି। ୮ଶହ କ୍ବିଣ୍ଟାଲରୁ ଅଧିକ ଚାଉଳ ବଣ୍ଟନ ନ କରି ହଡ଼ପ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ ପରେ ବିଡିଓ କରିଥିବା ତଦନ୍ତରୁ ଏମିତି ସାଂଘାତିକ ସତ ସାମ୍ନାକୁ ଆସିଛି। ଏହି ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଦୁର୍ଯ୍ୟୋଧନ ଭୋଇ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଅମଳାଭଟ୍ଟା ପଞ୍ଚାୟତର ୧୫୦୧ଜଣ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଚଳିତ ବର୍ଷ ମେ, ଜୁନ୍‌ ତଥା ଜୁଲାଇ ମାସରେ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ବ୍ୟତୀତ ପ୍ରତି ହିତାଧିକାରୀ ପିଛା ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେଣୁ ପ୍ରତ୍ୟେକ ମାସରେ ଅଧିକ ୨୫୨.୫୯କ୍ବିଣ୍ଟାଲ ଚାଉଳ ସରକାର ଯୋଗାଇ ଦେଇଥିଲେ। ସେହିପରି ଜୁଲାଇ ମାସରେ ବିତରଣ ପାଇଁ ୨୯୬.୨୯ କ୍ବିଣ୍ଟାଲ ଟଙ୍କିକିଆ ଚାଉଳ ପ୍ରଦାନ କରାଯାଇଥିଲା। କିନ୍ତୁ, ଜଣେ ବି ହିତାଧିକାରୀଙ୍କୁ ଚାଉଳ ବିତରଣ କରାଯାଇ ନଥିଲା। ଏ ନେଇ ଜାଣିବା ପରେ ସରପଞ୍ଚ କାର୍ତ୍ତିକ ମୁଦୁଲି ତୁରନ୍ତ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ଅଭିଯୋଗ କରିଥିଲେ। ସଂଗିନ୍‌ ଅଭିଯୋଗ ହୋଇଥିବାରୁ ବିଡିଓ ନିଜେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଥିଲେ। ଅନ୍ୟପକ୍ଷରେ ଯୋଗାଣ ନିରୀକ୍ଷକ ରୋହିତ ମାଝୀ ମଧ୍ୟ କିଛି ଗାଁ ଗସ୍ତ କରି ହିତାଧିକାରୀଙ୍କୁ ସିଧାସଳଖ ପଚାରିଥିଲେ। ସରକାର ଦେଇଥିବା ଚାଉଳ ଏବଂ ପଞ୍ଚାୟତ ଗୋଦାମରେ ଗଚ୍ଛିତ ରହିଥିବା ଚାଉଳକୁ ମେଳ କରିବାରୁ କମ୍‌ ରହିଥିବା ଜଣାପଡ଼ିଥିଲା। ଡେଙ୍ଗାଗୁଡ଼ା ଗ୍ରାମର ରାଜେନ୍ଦ୍ର ଜାନୀ, ଜାମ୍ବବତୀ ଜାନୀ, ଶ୍ରୀରାମ ମାଝୀ, ବଳରାମ ଗୌଡ଼, ସଦନ ନାୟକ, ଅମଳାଭଟ୍ଟା ଗ୍ରାମର ପ୍ରିନ୍ସ ସୁନା, ପ୍ରମୋଦ ବାଘ, ବୁଲୁ ସୁନାରି, କୃଷ୍ଣଗୁଡା ଗ୍ରାମର ପ୍ରେମାନଦ କର୍କରା, ଗଗନ କୁମାର ବେନ୍ୟା, କୈଳାସ ଗୌଡ଼, ଅର୍ଜୁନ ଗୌଡ଼, ନୀଳଗୁଣ୍ଡିଗୁଡାର ରାଜ ସୁନ୍ଦର ନାୟକ, ବାରିଗୁଡା ଗ୍ରାମର ଭାରତୀ ବିଷୋୟୀ, ଗଣେଶ ଗୌଡ଼ ପ୍ରମୁଖ ଆଦୌ ଚାଉଳ ପାଇ ନଥିବା ଯୋଗାଣ ନିରୀକ୍ଷକଙ୍କୁ କହିଥିଲେ। ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ ମେସିନ୍‌ରେ ଟିପ ଚିହ୍ନ ନେଇଥିଲେ ସୁଦ୍ଧା ଚାଉଳ ଦେଇ ନଥିବା ଉପରୋକ୍ତ ହିତାଧିକାରୀ ପ୍ରକାଶ କରିଥିଲେ।

ପ୍ରାଥମିକ ତଦନ୍ତରୁ ୩ମାସର ମାଗଣା ଚାଉଳ ସହ ଜୁଲାଇ ମାସର ଟଙ୍କିକିଆ ଚାଉଳ ହିତାଧିକାରୀ ପାଇ ନଥିବା ଯୋଗାଣ ନିରୀକ୍ଷଣ ପ୍ରମାଣ ପାଇଥିଲେ। ପଞ୍ଚାୟତ ଗୋଦାମରେ ବର୍ତ୍ତମାନ ମାତ୍ର ୧୯୧କ୍ବିଣ୍ଟାଲ ଗଚ୍ଛିତ ରହିଛି। ବଳକା ୮ଶହ କ୍ବିଣ୍ଟାଲରୁ ଅଧିକ ଚାଉଳ ବାଟମାରଣା ହୋଇଥିବା ଜଣାପଡ଼ିଛି। ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଦୁର୍ନୀତିର ପରିମାଣ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ବୋଲି ବିଡିଓ ଏବଂ ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି। ତଦନ୍ତରେ ଯାହାର ସଂପୃକ୍ତି ସାମ୍ନାକୁ ଆସିବ ତାଙ୍କ ବିରୋଧରେ ନିଶ୍ଚିତ ରୂପେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। କେବଳ ଏହି ପଞ୍ଚାୟତ ନୁହେଁ ଅନ୍ୟ କେତେକ ପଞ୍ଚାୟତରେ ବି ମାଗଣା ଚାଉଳ ବାଟମାରଣା ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଯଦି ସାରା ଜିଲ୍ଲାରେ ତଦନ୍ତ ହେବ ତେବେ ବଡ଼ ଦୁର୍ନୀତିର ଖୁଲାସା ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର