ବଲାଙ୍ଗୀର ଦାଦନଙ୍କ ଚାଉଳ ଲୁଟ୍ ନୂଆ ମୋଡ଼ରେ : ଦୁର୍ନୀତିର ମାଧ୍ୟମ ସାଜିଛି ଇ-ପୋସ୍‌!

ଗୋଟିଏ ମିଛ ଢାଙ୍କିବାକୁ ଯୋଗାଣ ବିଭାଗର ଶହେ ମିଛ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଲକ୍ଷାଧିକ ଦାଦନଙ୍କ ଚାଉଳ ହରିଲୁଟ ତନାଘନା ପରେ ଏହାକୁ ରଫାଦଫା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରେ ଦାଦନଙ୍କ ଚାଉଳ ବିଭାଗୀୟ ଅଧିକାରୀ ଖାଇ ନାହାନ୍ତି ବରଂ ତାଙ୍କ ଫୋନ୍‌କଲ ପାଇ ସେମାନେ ସଂପର୍କୀୟଙ୍କୁ ଚାଉଳ ଦେଇଥିବା ଉଲ୍ଲେଖ କରାଯାଇଛି।

‘ସମ୍ବାଦ ଖବର ପରେ ଯୋଗାଣ ବିଭାଗକୁ ଉପରମହଲାରୁ ଚାପ ପରେ ଚାପ ପଡୁଛି। ଏଣୁ ବଲାଙ୍ଗୀର ସିଏସ୍‌ଓ ଅଭିରାମ ପ୍ରଧାନଙ୍କ ନିର୍ଦେଶକ୍ରମେ ତୁରେକେଲା ବ୍ଲକ୍‌ ଯୋଗାଣ ନିରୀକ୍ଷକ କରୁଆମୁଣ୍ଡା ପଞ୍ଚାୟତକୁ ଯାଇ ତଦନ୍ତ କରି ଏକ ରିପୋର୍ଟ ସିଏସ୍‌ଓଙ୍କୁ ପଠାଇଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କୁଲିଆଦରୋ ଗାଁର ସନ୍ତୋଷ ବାଗଙ୍କ ରାସନକାର୍ଡ ନଂ-୦୫୧୪୧୦୭୯୮ ତାଙ୍କ ସ୍ତ୍ରୀ ଭାନୁମତୀ ବାଗଙ୍କ ନାଁରେ ଅଛି। ତାଙ୍କ ପରିବାର ଇ-ପୋସ୍‌ ଜରିଆରେ ନିଜ ଚାଉଳ ସବୁ ମାସରେ ନେଇଥାନ୍ତି। ହେଲେ ସେ ୨୦୧୯ ବର୍ଷର ଶେଷ ସମୟରେ ଦାଦନ ଯାଇଥିଲେ। ଏବେ ଲକ୍‌ଡାଉନ୍‌ ଯୋଗୁଁ ସରକାରଙ୍କ ସହାୟତା ଆସିଥିଲା। ଫଳରେ ସେ ଫୋନ୍‌ କରି ତାଙ୍କ ସଂପର୍କୀୟ ଭାଇ କର୍ଣ୍ଣ ବାଗଙ୍କୁ ତାଙ୍କ ଚାଉଳ ନେବାକୁ ପଂଚାୟତକୁ ପଠାଇଥିଲେ। ଏପରିକି ସନ୍ତୋଷ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ମଧ୍ୟ ଫୋନ କରିଥିଲେ। କର୍ଣ୍ଣ ଗତ ୮ ତାରିଖ ପଞ୍ଚାୟତକୁ ଆସି ସରକାରଙ୍କ ଘୋଷଣା ମୁତାବକ ଏପ୍ରିଲରୁ ଜୁନ ତିନି ମାସର ଚାଉଳ ଓ ୧୦୦୦ଟଙ୍କା ନେଇଥିଲେ। ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାର ମାଗଣା ଚାଉଳ ଓ ଡାଲି ବି ସେ ନେଇଥିଲେ। ସେହିପରି କୁଲିଆଦରୋ ଗାଁର ତାରାକାନ୍ତ ବାଗ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ତାଙ୍କ ରାସନ କାର୍ଡ ନଂ- ୦୫୧୪୧୦୬୭୪ର ଚାଉଳ ଓ ୧୦୦୦ ଟଙ୍କା, ଅନ୍ନ ଯୋଜନାର ମାଗଣା ଚାଉଳ, ଡାଲି ଇତ୍ୟାଦି ତିନି ମାସର ଭାଇ ଓକିଲ ବାଗ ନେଇଥିଲେ। ଭୁଜବଲ ବନଛୋରଙ୍କ ରାସନ କାର୍ଡରେ ତାଙ୍କ ସଂପର୍କୀୟ ଭାଇ ବିଭୀଷଣ ବନଛୋର ଚାଉଳ ଟଙ୍କା ଇତ୍ୟାଦି ନେଇଥିଲେ ବୋଲି ଉଲ୍ଲେଖ କରାଯାଇଛି।

ଏ ରିପୋର୍ଟ ଉପରେ ତର୍ଜମା କରାଗଲେ ଏହା ସମ୍ଭବ କେମିତି ହେଲା ତାହା ବୁଝାପଡୁନି। ଇ-ପୋସ୍‌ ସିଷ୍ଟମରେ ଜଣକର କାର୍ଡ ବ୍ୟବହାର କରି ଆଉ ଜଣେ ଚାଉଳ ଉଠାଇ ପାରିବ ନାହିଁ। ଏପରିକି କାର୍ଡରେ ଯେଉଁମାନଙ୍କ ନାଁ ଉଲ୍ଲେଖ ଥାଏ ସେମାନଙ୍କ ବ୍ୟତୀତ ଅନ୍ୟ କେହି ଚାଉଳ ଉଠାଇପାରିବେ ନାହିଁ। କାରଣ ଇ-ପୋସ ଅନ୍ୟଙ୍କ ଫିଙ୍ଗରପ୍ରିଣ୍ଟ ନେଇପାରିବ ନାହିଁ। କିନ୍ତୁ ତଦନ୍ତ ରିପୋର୍ଟକୁ ଦେଖିଲେ ବଲାଙ୍ଗୀରରେ ଇ-ପୋସ ଟେଲିଫୋନ୍‌ କଲରେ ବି କାମ କରୁଛି। ବାହାର ରାଜ୍ୟର ଇଟାଭାଟିରୁ ଦାଦନ ଇ-ପୋସରେ ଟିପ ଦେଇପାରୁଛି! ଅନ୍ୟପଟେ ଦାଦନ ଯିବା ଦିନରୁ ମାର୍ଚ୍ଚ ମାସ ଯାଏ କିଏ ଉଠାଇଲା ତାହା ଏବେ ବି ରହସ୍ୟରେ ଅଛି। ରିପୋର୍ଟରେ ଫେବ୍ରୁଆରି ଓ ମାର୍ଚ୍ଚ ମାସର ଚାଉଳ ହିତାଧିକାରୀଙ୍କ ଉଠାଯାଇ ନାହିଁ କୁହାଯାଇଛି। ରାସନକାର୍ଡରେ କିନ୍ତୁ ତାହା ଉଠିସାରିଥିବା ଉଲ୍ଲେଖ ରହିଛି। ଏସବୁକୁ ଦେଖିଲେ ଯୋଗାଣ ବିଭାଗର ଚାଉଳ ହେରାଫେରିର ସତ୍ୟତା ସାମ୍ନାକୁ ଆସିବା ପରେ ଲୁଚାଇବାକୁ ଏବେ ଉଦ୍ୟମ ଚାଲିଛି। ଖବର ନେବାରୁ ଜଣାଯାଇଛି ଯେ, ଯେଉଁ ଦାଦନ ପରିବାରଙ୍କ ଚାଉଳ ହଡ଼ପ ନେଇ ‘ସମ୍ବାଦରେ ଉଦାହରଣ ସ୍ୱରୂପ କିଛି ନାଁ ପ୍ରକାଶ ପାଇଥିଲା ସେମାନଙ୍କୁ ପଞ୍ଚାୟତର ଇଓ, ଯୋଗାଣ ସହାୟକ ସବୁ ଫୋନ୍‌ କରି ତାଙ୍କ ଚାଉଳ, ଟଙ୍କା ତାଙ୍କ ଭାଇଙ୍କୁ ଦିଆଯାଇଥିବା କହିବାକୁ ଅନୁରୋଧ କରାଯାଇଛି। ହେଲେ ଯେତେ ଯାହା ସତ ଲୁଚାଇଲେ ବି ଯୋଗାଣ ବିଭାଗର ମିଛ ହାଟରେ ପଡ଼ି ଦାଣ୍ଡରେ ଗଡୁଛି।

ବଲାଙ୍ଗୀର ସିଏସ୍‌ଓ ଅଭିରାମ ପ୍ରଧାନ କହିଛନ୍ତି, ‘ସମ୍ବାଦରେ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହାର ତଦନ୍ତ କରାସରିଛି। ସେହି ଚାଉଳ ଦାଦନ ଶ୍ରମିକମାନେ ପାଇସାରିଛନ୍ତି। ତେବେ ବାହାରେ ଥାଇ କେମିତି ନେଲେ ତାହା ସେ ଫିଲ୍ଡକୁ ଯାଇ ଅନୁଧ୍ୟାନ କଲେ ଜଣାପଡ଼ିବ। ଯଦି ସେମାନେ ନେଇ ନାହାନ୍ତି ସଂପର୍କୀୟଙ୍କୁ କହିଥିବେ। ହେଲେ ଇ-ପୋସ କେମିତି କାମ କଲା ଉତ୍ତରରେ କହିଥିଲେ ତଦନ୍ତ ସବୁ ଠିକ୍‌ରେ ହୋଇଛି ଏବଂ ଜଣେ ଦାୟିତ୍ୱବାନ ଅଧିକାରୀ ତଦନ୍ତ କରିଦେଇଛନ୍ତି। ନିହାତି ଆବଶ୍ୟକ ସମୟରେ ଏଭଳି ବେଳେବେଳେ ହୋଇଯାଏ। ଆମେ ଚାଉଳ ଏଭଳି ଭାବରେ ଦାଦନମାନଙ୍କୁ ଦେଇଦେଉଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର