କରୋନା ଖୋଲୁଛି ଗୁମର : ଦାଦନଙ୍କ ଚାଉଳ ଖାଉଛି କିଏ? ୧୦ କୋଟି ଟଙ୍କାର ହରିଲୁଟ!

ବଲାଙ୍ଗୀର : ପ୍ରସିଦ୍ଧ ସାମ୍ବାଦିକ ପି. ସାଇନାଥଙ୍କ ଭାଷାରେ ପ୍ରାକୃତିକ ବିପର୍ଯ୍ୟୟକୁ ସମସ୍ତେ ଭଲପାଆନ୍ତି (ଏଭ୍ରି ବଡି ଲଭସ୍‌ ଏ ଗୁଡ ଡ୍ରଟ୍)। ଏହାର ଆକ୍ଷରିକ ଅର୍ଥ ହେଉଛି ପର୍ଯ୍ୟାପ୍ତ ପରିମାଣରେ ସହାୟତା ଆସେ ଓ ତାକୁ ଚଳୁ କରି ଖାଇଯାଆନ୍ତି ଦାୟିତ୍ବରେ ଥିବା ସରକାରୀ ବାବୁମାନେ। ସରକାରୀ ନାଲିଖାତାରେ ଗରିବଙ୍କ ନାଁ ଚଢ଼େ। ହେଲେ ବାମଡାହାଣ ଦସ୍ତଖତ ଦେଇ ହରିଲୁଟ ହୁଏ ହିତାଧିକାରୀଙ୍କ ଅଧିକାର। କରୋନା ମହାମାରୀ ସମୟରେ ବଲାଙ୍ଗୀର ଜିଲ୍ଲାର ଗୋଟିଏ ପରେ ଗୋଟିଏ ଚାଞ୍ଚ‌ଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଦାଦନ ଶ୍ରମିକଙ୍କ ଫେରିବା ନେଇ ହୋଇଥିବା ପଞ୍ଜୀକରଣରେ ବାବୁଙ୍କ ମିଛ ଧରାପଡ଼ିଛି। ଅଧା ବର୍ଷ ଛଅ ମାସ ଧରି ବାହାରେ ରହୁଥିବା ଦାଦନ ଶ୍ରମିକଙ୍କ ସରକାରୀ ଯୋଜନାର ଚାଉଳ, ଗହମ ପ୍ରତି ବର୍ଷ ହଡ଼ପ ହେଉଛି। ଏବେ କରୋନା ସହାୟତା ସମୟରେ ପ୍ରାୟ ୬ ମାସର ଚାଉଳ ଗହମ ଏକାଥରକେ ହରିଲୁଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ ଥିଲେ ବି ସେମାନଙ୍କ ପଡିକାର୍ଡରେ ଚାଉଳ, ଗହମ, ଡାଲି ସବୁ ଉଠୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଗରିବଙ୍କ ପେଟରୁ ପ୍ରାୟ ୧୦କୋଟି ଟଙ୍କାର ପିଡିଏସ୍‌ ସାମଗ୍ରୀ ହରିଲୁଟ ଚାଲିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୪ଲକ୍ଷ ୨୫ହଜାର ହିତାଧିକାରୀ ଅଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୧୦ହଜାର ହିତାଧିକାରୀ ପରିବାର ଅଛନ୍ତି। ପରିବାର ସଦସ୍ୟ ପିଛା ମାସକୁ ଚାଉଳ ୫ କେଜି କିମ୍ବା ଗହମ ୫ କେଜି ଦିଆଯାଇଥାଏ। କିରୋସିନ ପ୍ରତି ପରିବାରକୁ ୧.୮ ଲିଟର ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥାଏ। ଯୋଗାଣ ବିଭାଗର ଗୋଦାମରୁ ଚାଉଳ ପଂଚାୟତ ଓ ସୁଲଭ ବିକ୍ରୟ କେନ୍ଦ୍ରକୁ ଏଲ୍‌ଟି କଣ୍ଟ୍ରାକ୍ଟର ପହଞ୍ଚାଇଥାନ୍ତି। ପଂଚାୟତ ଇଓଙ୍କ ତତ୍ତ୍ବାବଧାନରେ ଏହି ବଣ୍ଟନ ସବୁ ଚାଲେ।

ଏହାକୁ ଯୋଗାଣ ବିଭାଗର କର୍ମଚାରୀମାନେ ପରିଚାଳନା କରିଥାନ୍ତି। ଏଥର କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ତିନି ମାସର ପିଡିଏସ୍‌ ସାମଗ୍ରୀ ହିତାଧିକାରୀଙ୍କୁ ଅଗ୍ରିମ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ଓ ବଣ୍ଟନ କରାଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ତିନି ମାସର ମାଗଣାରେ ପିଡିଏସ୍‌ ସାମଗ୍ରୀ ଗରିବଙ୍କୁ ଯୋଗାଇ ଦିଆଯାଉଛି। ଉକ୍ତ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୩କେଜି ଡାଲି ବି ଦିଆଯାଉଛି। ଏବେ ପିଡିଏସ୍‌ ଯୋଜନାର ହିତାଧିକାରୀମାନେ ନିଜ ଅଗ୍ରିମ ତିନି ମାସ ଓ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାର ମାଗଣାରେ ତିନି ମାସ ଏଭଳି ମୋଟ ଛଅ ମାସର ପିଡିଏସ୍‌ ସାମଗ୍ରୀ ପାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାରେ ଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ଯୋଗାଣ ବିଭାଗ ପ୍ରତି ମାସ ଚାଉଳ ପ୍ରାୟ ୭୮ହଜାରରୁ ୮୦ହଜାର କୁଇଣ୍ଟାଲ ଚାଉଳ ଓ ଗହମ ୧୪ ହଜାର କୁଇଣ୍ଟାଲ ଆଲଟମେଣ୍ଟ କରିଥାଏ। ଏବେ କରୋନା ମହାମାରୀକୁ ଲକ୍ଷ୍ୟରେ ରଖି ଅଗ୍ରିମ ତିନି ମାସ ପିଡିଏସ ସାମଗ୍ରୀ ବଣ୍ଟନ ୯୭ ପ୍ରତିଶତ ସରିଲାଣି। ଅନ୍ନ ଯୋଜନାରେ ମାଗଣା ଦିଆଯାଉଥିବା ପିଡିଏସ୍‌ ଚାଉଳ, ଡାଲି ପ୍ରାୟ ୩୫ ପ୍ରତିଶତ ବଣ୍ଟନ ସରିଲାଣି।

ଏସବୁ ଭିତରେ ଦାଦନ ଶ୍ରମିକ ଯେଉଁମାନେ ବର୍ତ୍ତମାନ ବାହାର ରାଜ୍ୟରେ ରହିଛନ୍ତି ସେମାନଙ୍କ ସଂଖ୍ୟା ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲାର ଲକ୍ଷେରୁ ଅଧିକ ଶ୍ରମିକ ବାହାର ରାଜ୍ୟରେ ଅଛନ୍ତି। ୧ ଲକ୍ଷ ଲୋକଙ୍କ ପିଡିଏସ୍‌ ଚାଉଳ ୫ କେଜି ଅନୁସାରେ ମାସକୁ ୫ହଜାର କୁଇଣ୍ଟାଲ। ତିନି ମାସ ଅଗ୍ରିମକୁ ୧୫ ହଜାର କୁଇଣ୍ଟାଲ। ଆଉ ଅନ୍ନ ଯୋଜନାର ତିନି ମାସକୁ ଆଉ ୧୫ ହଜାର କୁଇଣ୍ଟାଲ। ଏଭଳି ମୋଟ ୩୦ ହଜାର କୁଇଣ୍ଟାଲ ଚାଉଳ ଦାଦନଙ୍କ କେବଳ ହେବ। ଏ ସବୁର ବଜାର ମୂଲ୍ୟ ପ୍ରାୟ ୯କୋଟି ଟଙ୍କା ହେବ। ଏହାସହ ପୁଣି କିରୋସିନ, ଡାଲି, ଗହମ ବି ପିଡିଏସ୍‌ ସାମଗ୍ରୀରେ ରହିଛି। ଦାଦନ ଶ୍ରମିକଙ୍କ ପଡ଼ିକାର୍ଡର ୬ ମାସର ଏହି ପିଡିଏସ୍‌ ସାମଗ୍ରୀ ନେଉଛି କିଏ? ଖାଉଛନ୍ତି କେଉଁମାନେ? କେଉଁମାନେ ସବୁ ଚାଉଳ ଉଠାଉଛନ୍ତି? ବହୁ ସମୟରେ ଦାଦନ ଯିବା ସମୟରେ ଶ୍ରମିକମାନେ ନିଜ କାର୍ଡକୁ ବନ୍ଧା ପକାଇ ଯାଇଥାନ୍ତି। ସେମାନଙ୍କ ପିଡିଏସ ସାମଗ୍ରୀ ଅନ୍ୟମାନେ ଉଠାଇଥାନ୍ତି। ସରକାରୀ ଅଧିକାରୀ, କର୍ମଚାରୀ ମିଶି ଏସବୁର ହରିଲୁଟରେ ଭାଗିଦାରୀ ହୋଇଥାନ୍ତି। ହେଲେ ଏଥର କରୋନା ମହାମାରୀରେ ମାଲାମାଲ ହୋଇଛନ୍ତି ଅନେକ ସରକାରୀ ବାବୁ। କାରଣ ଏଥର ଦାଦନଙ୍କ ପିଡିଏସ୍‌ ମାସକର ନୁହଁ, ସିଧାସଳଖ ଛଅ ମାସର ହରିଲୁଟ ଚାଲିଛି। ବାହାର ରାଜ୍ୟରେ ଦାଦନ ଭୋକଉପାସରେ ଥିବା ସମୟରେ ତାଙ୍କ ପଡିକାର୍ଡର ଖାଦ୍ୟ ଅନ୍ୟଙ୍କ ପେଟକୁ ଯାଉଛି। ଏ ନେଇ ବଲାଙ୍ଗୀର ସିଏସଓ ଅଭିରାମ ପ୍ରଧାନଙ୍କ କହିବା ହେଲା, ଦାଦନଙ୍କ କାର୍ଡରୁ ସେମାନେ ହିଁ ଚାଉଳ ନେଇପାରିବେ। ଅନ୍ୟ କେହି ଉଠାଇପାରିବେ ନାହିଁ। ଯଦି ଏଭଳି କିଛି ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଛଅ ମାସ ଦାଦନ ବାହାରେ ଓ ଛଅ ମାସ ଗାଁରେ, ଏଭଳି ସ୍ଥିତିରେ ଲକ୍ଷାଧିକ ଦାଦନଙ୍କ ଚାଉଳ ଆଲଟମେଣ୍ଟ୍‌ କମ ଯିବା କଥା। କିନ୍ତୁ ବର୍ଷର ସବୁ ମାସ ପ୍ରାୟ ସମାନ ହାରରେ ଆଲଟମେଣ୍ଟ କେମିତି ପଚାରିବାରୁ ସେ ସ୍ପଷ୍ଟ ଉତ୍ତର ରଖିନଥିଲେ।

ସମ୍ବନ୍ଧିତ ଖବର