ଧରାପଡ଼ିଲା ପିଡିଏସ୍‌ ଚାଉଳ ଚୋରି; ଗ୍ରାମବାସୀ ଧରିଲେ, ବିଳମ୍ବରେ ପହଞ୍ଚିଲେ ଯୋଗାଣ ଅଧିକାରୀ

ବରଗଡ଼ : ବରଗଡ଼ ଗାଇସିଲାଟ୍‌ ବ୍ଲକ ଜଗଲପାଟ୍‌ ପଞ୍ଚାୟତ ଗୋଦାମରୁ ପିଡିଏସ୍‌ ଚାଉଳ ଚୋରି ଉଦ୍ୟମ ହୋଇଛି। ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଉଳ ଚୋରି କରିବାକୁ ଚେଷ୍ଟା ଚାଲିଥିବାବେଳେ ମାମଲା ପଦାକୁ ଆସିଛି। ତେବେ ଧରାପଡ଼ିବା ପରେ ଚାଉଳ ବସ୍ତା ଗୁଡ଼ିକୁ ପୁଣି ଗୋଦାମ ଭିତରେ ରଖାଯାଇଛି। ପିକ୍‌ଅପ୍‌ ପଞ୍ଚାୟତ କାର୍ଯ୍ୟାଳୟକୁ ପଳାଇଥିଲା। ଚାଉଳ ଚୋରି ସଂପର୍କରେ ଜଣାପଡ଼ିବା ପରେ ଲୋକେ ଗାଇସିଲାଟ୍‌ ବିଡିଓ, ଯୋଗାଣ ଅଧିକାରୀ, ଜଗଲପାଟ୍‌ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ କରିଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଢ଼େଇ ଘଣ୍ଟା ବିଳମ୍ବରେ ପହଂଚିଥିଲେ। ବିଡିଓଙ୍କୁ ଅବଗତ କରାଯାଇଥିଲେ ହେଁ କିଛି ବିହିତ ପଦକ୍ଷେପ ନେଇନଥିଲେ। ଶେଷରେ ଲୋକେ ଗାଇସିଲାଟ୍‌ ଥାନାରେ ଅଭିଯୋଗ କରିଥିଲେ। ବିଡିଓଙ୍କ ନିର୍ଦେଶ ପରେ ପଦ୍ମପୁର ଏସ୍‌ଇଏସ୍‌ଓ ଏବଂ ଗାଇସିଲାଟ୍‌ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ। କିନ୍ତୁ ଲୋକଙ୍କ ପ୍ରଶ୍ନବାଣରେ ଯୋଗାଣ ଅଧିକାରୀ ଘାଇଲା ହୋଇଯାଇଥିଲେ। ଗୋଦାମକୁ ପିକ୍‌ଅପ୍‌ କାହିଁକି ଆସିଲା? କିଏ ଗାଡ଼ି ପଠାଇଥିଲା? କାହା ନିର୍ଦ୍ଦେଶରେ ଚାଉଳ ବୋଝେଇ ହେଲା ଏବଂ କାହିଁକି ପରେ ଚାଉଳ ଗୋଦାମରେ ରଖାଗଲା? ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଯୋଗାଣ ଅଧିକାରୀଙ୍କ ଠାରୁ ମିଳିନଥିଲା। ଭିତିରିଆ ସଲାସୁତୁରାରେ ଏହି କାରବାର ହୋଇଥିବା ସ‌େନ୍ଦହ କରାଯାଉଛି। ସୂଚନା ଅନୁସାରେ, ଗତ ଗୁରୁବାର ଦିନ ସାଢ଼େ ୧୨ଟା ବେଳେ ଓଆର୍‌ ୦୩ଜି ୫୭୪୨ ନମ୍ବର ବିଶିଷ୍ଟ ପିକ୍‌ଅପ୍‌ରେ ଗୋଦାମରୁ ୪୯ ବସ୍ତା ଚାଉଳ ଲଦା ଯାଇଥିଲା। ସେଠାକୁ ଗାଁର କିଛି ଲୋକ ପହଂଚିବା ପରେ ଗୋଦାମ ଭିତରେ ପୁଣି ଚାଉଳ ରଖି ପିକ୍‌ଅପ୍‌ ଫେରାର୍‌ ମାରିଥିଲା। ଘଟଣାକୁ ନେଇ ଗାଇସିଲାଟ୍‌ ଅଂଚଳରେ ନାନାଦି ଚର୍ଚ୍ଚା ମୁଣ୍ଡ ଟେକିଛି।

ସମ୍ବନ୍ଧିତ ଖବର