କରୋନା ଖୋଲୁଛି ଗୁମର : ଦୁର୍ନୀତିର ଦୁର୍ନାମ ଆଉ କେତେ ଦିନ?

ଭୂତ ଚାଉଳ ତଦନ୍ତରେ ବି ଦୁର୍ନୀତି! ୫୦ ଲକ୍ଷର ହେରାଫେରିରୁ ପାଇଲେ ୩ ଲକ୍ଷର ପ୍ରମାଣ

ବଲାଙ୍ଗୀର ଜିଲ୍ଲା ପଛୁଆ, ହେଲେ ଏଠାକାର ନେତା, ସରକାରୀ ଅଫିସର ବେଶ୍‌ ଆଗୁଆ। ଅଶୀ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଏଠିକାର ପରିସ୍ଥିତି ଦେଖିଲା ପରେ ଗରିବୀ ହଟାଓ ନାରା ଦେଇଥିଲେ। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା। ତାର କିଛି ବର୍ଷ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବଲାଙ୍ଗୀର ଗସ୍ତରେ ଆସି ଏଠିକାର ଦାରିଦ୍ର‌୍ୟ ଦେଖି ଆରମ୍ଭ କରିଥିଲେ ବିଭିନ୍ନ ଯୋଜନା। କେବିକେକୁ ଟଙ୍କାର ସୁଅ ଛୁଟିଥିଲା। ହେଲେ ଆଜି ବି ବଲାଙ୍ଗୀର ଜିଲ୍ଲାରେ ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଛି ଅନେକ ଯୋଜନା। ଆଉ ସରକାରୀ ଯୋଜନାକୁ ହରିଲୁଟ କରିବାର ଗବେଷଣା କେନ୍ଦ୍ର ପାଲଟିଲାଣି ବଲାଙ୍ଗୀର। ଏଠି ଦାନା ପାଇଁ ଦାଦନ ଯାଉଥିବା ଲୋକଙ୍କ ଚାଉଳ ହରିଲୁଟ ହେଉଛି। ଗରିବଙ୍କ ନାଁରେ ଆସୁଥିବା ଭତ୍ତା ବି ବାବୁ ଖାଇ ଯାଉଛନ୍ତି। ଏପରିକି ଦୁର୍ନୀତିର ସିଧାସିଧା ଶିକାର ହେଉଛନ୍ତି ଅଙ୍ଗନବାଡ଼ିକୁ ଯାଉଥିବା ଛୋଟଛୋଟ ଛୁଆ। ସତେ ଯେମିତି ଏଠି ନୀତି କହିଲେ ଦୁର୍ନୀତି। ଏବେ ସମସ୍ତଙ୍କ ପ୍ରଶ୍ନ କେବେ ହଟିବ ଜିଲ୍ଲାର ଦୁର୍ନୀତିର ଦୁର୍ନାମ?

ବଲାଙ୍ଗୀର : ଯୋଜନା ଅଛି। ଅନୁଦାନ ଆସୁଛି। କୋଟି କୋଟି ଟଙ୍କା ହରିଲୁଟ ହେଉଛି। ଅଭିଯୋଗ ଉଠିଲେ ତଦନ୍ତ ହେଉଛି। ହେଲେ ତଦନ୍ତରେ ବି ଦୁର୍ନୀତି କରାଯାଉଛି। ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ଚାଉଳ କେଳେଙ୍କାରୀରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି। ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶନ ପରେ ଚାପରେ ପଡ଼ି ଜିଲ୍ଲା ପ୍ରଶାସନ କେଳେଙ୍କାରୀରେ ସାମିଲ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ତଳିଆଙ୍କୁ ବଳି ପକାଇ ବଡ଼ବଡ଼ିଆଙ୍କୁ ମାଫ କରିଦିଆଯାଇଛି! ଏପରିକି ପ୍ରାୟ ୫୦ ଲକ୍ଷ ଟଙ୍କାର ଚାଉଳ ଏହି ପଂଚାୟତରୁ ହରିଲୁଟ ହୋଇଥିବା ସରପଞ୍ଚ ଓ ହିତାଧିକାରୀ କହୁଥିବା ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଛି ମାତ୍ର ୩ ଲକ୍ଷ ଟଙ୍କାର ପ୍ରମାଣ।

ବଲାଙ୍ଗୀର ଜିଲ୍ଲା ମହୀମୁଣ୍ଡା ପଞ୍ଚାୟତରେ ଚାଉଳ ଖାଉଥିଲା ଭୂତ। ଖାଲି ସେତିକି ନୁହେଁ, ଅନ୍ତୋଦୟ ଯୋଜନାରେ ସାମିଲ ଅସହାୟ ଗରିବଙ୍କ ଚାଉଳ ବି ହରିଲୁଟ ହେଉଥିଲା। ପୋର୍ଟାଲରେ ନାଁ ଥିବା ହିତାଧିକାରୀଙ୍କୁ ରାସନକାର୍ଡ ଦିଆନଯାଇ ତାଙ୍କ ନାଁରେ ଉଠାଯାଉଥିଲା ଚାଉଳ। ଏବେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ଏକ ହଜାର ଟଙ୍କା ଆସି ବଣ୍ଟନ ହେବା ପରେ ଧରାପଡ଼ିଥିଲା ସବୁ ସତମିଛ। ‘ସମ୍ବାଦ ଅନୁନ୍ଧାନରୁ ଜଣାଯାଇଛି ଯେ, ସରପଞ୍ଚଙ୍କ ଅଭିଯୋଗ ପରେ ହୋଇଥିଲା ବିଭାଗୀୟ ତଦନ୍ତ। ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ୱତନ୍ତ୍ର ଟିମ୍‌ ମହୀମୁଣ୍ଡା ପଂଚାୟତ ଯାଇ ତଦନ୍ତ କରିଥିଲେ। ହେଲେ ଦୁର୍ନୀତିଖୋର ପଞ୍ଚାୟତର କର୍ମଚାରୀ ତଦନ୍ତକାରୀ ଟିମ୍‌କୁ ତଥ୍ୟ ସବୁ ଦେଇନଥିଲେ। ମାମଲାକୁ ଚପାଇଦେବାକୁ ଭରପୂର ଉଦ୍ୟମ ହୋଇଥିଲା। ହେଲେ ତଦନ୍ତକାରୀ ଟିମ୍‌ ପଞ୍ଚାୟତରେ ଚାଉଳ ଭୂତ ଖାଉଛି ବୋଲି ପୁଇଁତଲା ବିଡିଓଙ୍କୁ ଶେଷରେ ରିପୋର୍ଟ ଦେଇଥିଲେ। ଏହାସହ ଅନ୍ୟ ସବୁ ହିତାଧିକାରୀଙ୍କ ଚାଉଳ ହଡ଼ପ ପ୍ରସଙ୍ଗ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଅଗ୍ରିମ ତିନି ମାସ ସହାୟତା ବଣ୍ଟନରେ ପ୍ରାୟ ୩ ଲକ୍ଷ ଟଙ୍କାର ଚାଉଳ ହଡ଼ପ ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପଞ୍ଚାୟତବାସୀ ଆଶା ବାନ୍ଧି ବସିଥିଲେ। ବିଡିଓ ତଦନ୍ତ ରିପୋର୍ଟ ଉପଜିଲ୍ଲାପାଳଙ୍କ ନିକଟକୁ ବି ପଠାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ନେଉନଥିଲା। ସିଏସ୍‌ଓ ଅଭିରାମ ପ୍ରଧାନଙ୍କ କହିବାନୁସାରେ, ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ତଦନ୍ତ ହୋଇଥିଲା। କାର୍ଯ୍ୟାନୁଷ୍ଠାନ କଣ ପାଇଁ ହୋଇ ନଥିଲା ତାହା ଉପରେ ସେ କିଛି କହିବାକୁ ମନା କରିଥିଲେ। ତଦନ୍ତ ରିପୋର୍ଟ ଅନୁସାରେ, ଉପଜିଲ୍ଲାପାଳଙ୍କ ନିକଟରେ ଦାୟିତ୍ୱରେ ଥିବା ଏସିଏସ୍‌ଓ ବି.କେ. ମାରାଣ୍ଡି ଫାଇଲ ପୁଟ୍‌ଅପ୍‌ କରିବା କଥା। କିନ୍ତୁ ସେ ଜାଣିଶୁଣି ଫାଇଲ ଚାପି ରଖିଥିବା କୁହାଯାଉଛି। ସେହିପରି କାର୍ଯ୍ୟାନୁଷ୍ଠାନକୁ ନେଇ ସିଏସ୍‌ଓ, ଉପଜିଲ୍ଲାପାଳ ସଭିଏଁ ନିରବ ରହିଥିଲେ। ତଦନ୍ତ ଗତ ମାର୍ଚ୍ଚ ମାସ ଶେଷରେ ସରିଥିଲେ ବି ଏତେଦିନ ଯାଏ ଫାଇଲକୁ ଚାପି ରଖିଦିଆଯାଇଥିଲା। ଯାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ତଦନ୍ତ ପରେ କଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲ‌ା? କାହାର ଚାପ ଥିଲା ନା ହଡ଼ପକାରୀ କରିଥିଲେ ଡିଲ୍‌? ନିଜ ଭାଗରୁ ଭାଗ ଦେଇନାହାନ୍ତି ତ? ନା ରାଜନୈତିକ ଚାପରେ ପ୍ରଶାସନ ଚୁପ୍‌ ରହିଥିଲା? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏବେ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିବା ପରେ ମାରମାର ଭଣ୍ଡାରିଆକୁ ମାର ନ୍ୟାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପଟେ ଦାଦନ ଚାଉଳ କିଏ ଖାଇଲା? ତାହା ଖୋଜିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ, ନିର୍ବାହୀ ଅଧିକାରୀଙ୍କୁ ସାତ ଦିନର ସମୟ ଦେଇଛନ୍ତି। ସାତ ଦିନ ଭିତରେ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରିବେ। ଏହି ତଦନ୍ତ ପୂର୍ବରୁ ହିଁ କେଳେଙ୍କାରୀରେ ସଂପୃକ୍ତ କେତେଜଣ ଯୋଗାଣ ସହାୟକ, ପଂଚାୟତ ଇଓ ସବୁ ତଥ୍ୟ ପ୍ରମାଣ ଲୁଚାଇବାକୁ ଆରମ୍ଭ କରିଦେଇଛନ୍ତି କସରତ। ଏପରିକି ତୁରେକେଲା ବ୍ଲକ୍‌ କରୁଆମୁଣ୍ଡା ପଂଚାୟତର ଯୋଗାଣ ସହାୟକ, ନିର୍ବାହୀ ଅଧିକାରୀ ଆଉ ପଞ୍ଚାୟତ କାର୍ଯ୍ୟାଳୟକୁ ବି ଆସୁ ନାହାନ୍ତି ବୋଲି ଗାଁ ଲୋକ କହୁଛନ୍ତି। ତେବେ ଆଗକୁ ଦାଦନଙ୍କ ଚାଉଳ ହଡ଼ପ କରିଥିବା ଦୁର୍ନୀତିଖୋରଙ୍କୁ ପ୍ରଶାସନ ଲୋକଲୋଚନକୁ ଆଣିବ ନା ସୁରକ୍ଷା ଦେବ ତାହାକୁ ସମସ୍ତଙ୍କ ଅପେକ୍ଷା। କାରଣ ଏଠି ତଦନ୍ତରେ ବି ହେଉଛି ଦୁର୍ନୀତି ବୋଲି ସାଧାରଣରେ ଚର୍ଚ୍ଚା।

ଏ ନେଇ ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ର କହିଛନ୍ତି, ପଞ୍ଚାୟତର ପ୍ରାଥମିକ ତଦନ୍ତରେ ପ୍ରାୟ ୩ ଲକ୍ଷର ପ୍ରମାଣ ମିଳିଛି। ଆଗକୁ ଏହାର ସ୍ୱତନ୍ତ୍ର ଅଡିଟ ଟିମ ଆସି ସବୁ ବର୍ଷର ତଦନ୍ତ କରିବେ। ତାପରେ ସର୍ବମୋଟ କେତେ ଟଙ୍କାର ଚାଉଳ ହଡ଼ପ ହୋଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଟ୍ବିଟ୍‌ କରି କାର୍ଯ୍ୟ‌ାନୁଷ୍ଠାନ କଥା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ରାସନ ଦୁର୍ନୀତି ତଥା ମୃତ ଲୋକଙ୍କ ନାମରେ ବି ରାସନ୍‌ ଉଠାଯିବା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଚିହିଁକିଛନ୍ତି ସରକାର। ଖୋଦ୍‌ ବିଭାଗୀୟ ମନ୍ତ୍ରୀ ଏ ନେଇ ମୁହଁ ଖୋଲିଛନ୍ତି। ଟ୍ବିଟ୍‌ କରି ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇଛନ୍ତି। ଏହି ଘଟଣାରେ ଜଣେ ଯୋଗାଣ ସହାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସହ ପୁଇଁତଳା ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କ ଦରମା ବନ୍ଦ କରାଯାଇଥିବା ଏବଂ ଗ୍ରାମପଞ୍ଚାୟତ ପିଇଓଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରାଯାଇଥିବା ସିଏସ୍‌ଓ ତାଙ୍କୁ ଜଣାଇଛନ୍ତି ବୋଲି ମନ୍ତ୍ରୀ ଟ୍ବିଟ୍‌ରେ ଦର୍ଶାଇଛନ୍ତି। ଏଥିସହ ‘ସେମାନେ ମୋ ନଜରକୁ ଆଣିଥିବା ସମସ୍ୟାର କିଭଳି ତୁରନ୍ତ ସମାଧାନ କରାଯିବ ସେଥିନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯିବା ଉପରେ ଗୁରୁତ୍ବାରୋପ କଲି’ ବୋଲି ମନ୍ତ୍ରୀ ଲେଖିଛନ୍ତି। ମନ୍ତ୍ରୀଙ୍କ ଟ୍ବିଟ୍‌ରେ ‘ସମ୍ବାଦରେ ପ୍ରକାଶିତ ଖବର କ୍ଲିପିଂ ମଧ୍ୟ ସଂଲଗ୍ନ କରାଯାଇଛି।

ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ : ଯୋଗାଣ ନିରୀକ୍ଷକଙ୍କ ଦରମା ବନ୍ଦ, ଯୋଗାଣ ସହାୟକ ବହିଷ୍କୃତ, ପିଇଓଙ୍କ ନାଁରେ ଡ୍ରାଫ୍ଟ ଚାର୍ଜ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ମହୀମୁଣ୍ଡା ପଞ୍ଚାୟତରେ ଭୂତ ଖାଉଥିଲା ଚାଉଳ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ଚେଇଁଛି ପ୍ରଶାସନ। ତଦନ୍ତ ଫାଇଲ କେତେଦୂର ଗଲା ଜିଲ୍ଲାପାଳ ତାହା ମାଗିବା ପରେ ଫଟାଫଟ ହୋଇଛି କାର୍ଯ୍ୟାନୁଷ୍ଠାନ। ରିପୋର୍ଟକୁ ଆଧାରକରି ବୁଧବାର ଉପଜିଲ୍ଲପାଳ ସଂଜୟ ମିଶ୍ର ମହୀମୁଣ୍ଡା ପଞ୍ଚାୟତର ଯୋଗାଣ ସହାୟକ ନିରଂଜନ ସାହୁଙ୍କୁ ବହି‌ଷ୍କାର କରିବା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗଳ ମେହେରଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବା ସହିତ କାର୍ଯ୍ୟରେ ଅବହେଳା ପାଇଁ ବ୍ଲକ୍‌ର ଯୋଗାଣ ନୀରିକ୍ଷକଙ୍କ ମାସକର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସ୍ୱତନ୍ତ୍ର ଭାବରେ ପଞ୍ଚାୟତର ଅଡିଟ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭୂତ ଚାଉଳ ହଡ଼ପ ମାମଲାରେ ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ର ନିଜେ ମହୀମୁଣ୍ଡା ପଞ୍ଚାୟତକୁ ଯାଇ ଯାଞ୍ଚ କରିଥିଲେ। ତଦନ୍ତକାରୀ ଟିମ୍‌ ଗଠନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇଥିଲେ। ପୁଇଁତଳା ଏବିଡିଓ, ଯୋଗାଣ ନୀରିକ୍ଷକ ପ୍ରଶାନ୍ତ ପ୍ରଧାନଙ୍କ ମିଳିତ ତଦନ୍ତ ପରେ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର