କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ରେ ହୋଇଥିବା ଚାଉଳ ଦୁର୍ନୀତିରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦୋଷ ଢାଙ୍କିବାକୁ ପ୍ରୟାସ କରାଯାଇଛି। ଜବତ ହୋଇ ପଞ୍ଚାୟତ ଗୋଦାମରେ ଗଚ୍ଛିତ ଥିବା ଚାଉଳକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ଯୋଗାଣ ବିଭାଗ। ଯେତେଦିନ ପର୍ଯ୍ୟନ୍ତ ପଞ୍ଚାୟତ ଗୋଦାମରେ ଏହି ଚାଉଳ ଗଚ୍ଛିତ ଥିବ, ସେପର୍ଯ୍ୟନ୍ତ ଚାଉଳ ଦୁର୍ନୀତି ସଂପର୍କରେ ଚର୍ଚ୍ଚା ଚାଲିଥିବ । ଚାଉଳ ବିକ୍ରି କରି ଯୋଗାଣ ବିଭାଗ ଓ ପ୍ରଶାସନ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଯୋଜନା କରିଛି। ତଦନ୍ତକାରୀ ଅଧିକାରୀ ତଥା ଏନଫୋର୍ସମେଣ୍ଟ ସ୍କ୍ବାଡ୍ର ଇନ୍ସପେକ୍ଟର ଯଶୋଦା ସିଂ ସିଏସ୍ଓଙ୍କୁ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଛି।
/sambad/media/post_attachments/wp-content/uploads/2020/06/ration-bags-300x170.jpg)
ହରିଚନ୍ଦନପୁର ବ୍ଲକ୍ ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତରେ ଚାଉଳ ଯୋଗାଣରେ ଅନିୟମିତତା ଜଣାପଡ଼ିବା ପରେ ୨୦୧୯ ମସିହା ଅଗଷ୍ଟ ୨୩ ତାରିଖରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଉଭୟ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ଏହି ସ୍କ୍ବାଡ୍ରେ ତଦନ୍ତକାରୀ ଅଧିକାରୀ ଥିଲେ ସପ୍ଲାଇ ଇନ୍ସପେକ୍ଟର ଯଶୋଦା ସିଂ। ଟାଙ୍ଗିରିଆପାଳରେ ୮୨୮ ବସ୍ତା ଓ ରାସୋଳରେ ୧୦୧୦ ବସ୍ତା ଚାଉଳ ବେଆଇନ ଭାବେ ଗଚ୍ଛିତ ଥିବା ନେଇ ଜିଲ୍ଲାପାଳଙ୍କ କୋର୍ଟରେ ଏଫ୍ଆଇଆର୍ କରିଥିଲେ ଯଶୋଦା ସିଂ। ଚାଉଳ ବସ୍ତାରେ ଶ୍ୟାମସୁନ୍ଦର ରାଇସ ମିଲ୍ର ଟ୍ୟାଗ ଲାଗିଥିବାବେଳେ ସଂପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି କାଗଜପତ୍ର ନରଖି ଏହାକୁ ଗଚ୍ଛିତ ରଖିଥିଲେ। ଏହା ଖୋଲା ବଜାରରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ୨୦୧୯ ମସିହା ଅଗଷ୍ଟ ୨୮ ତାରିଖରେ ଜିଲ୍ଲାପାଳଙ୍କ କୋର୍ଟରେ ହୋଇଥିବା ଅଭିଯୋଗରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏବେ ଏହି ଚାଉଳକୁ ବିକ୍ରି କରିବାକୁ ସିଏସ୍ଓଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯଶୋଦା ସିଂ।
ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୩ ତାରିଖରେ ସିଏସ୍ଓ ମେମୋ ନମ୍ବର ୬୬୮ରେ ତଦନ୍ତକାରୀ ଅଧିକାରୀ ଯଶୋଦା ସିଂଙ୍କୁ ଚିଠି ଲେଖି ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତ ଗୋଦାମରେ ଜବତ ହୋଇ ଗଚ୍ଛିତ ଥିବା ୧୮୩୮ ବସ୍ତା ଚାଉଳକୁ ପିଡିଏସ୍ ହିତାଧିକାରୀଙ୍କୁ ଦେବା ପାଇଁ ନିର୍ଦେଶ ଦେଇଥିଲେ। ତେବେ ଉଭୟ ପଞ୍ଚାୟତରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ହିତାଧିକାରୀଙ୍କୁ ଏହି ଚାଉଳ ଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଏ ସଂପର୍କରେ ପୁଣି ମାର୍ଚ୍ଚ ୧୯ ତାରିଖରେ ସିଏସ୍ଓଙ୍କୁ ଚିଠି ଲେଖିଛନ୍ତି ଯଶୋଦା ସିଂ। ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ପିଡିଏସ୍ ହିତାଧିକାରୀ ଏହି ଚାଉଳ ନେଉ ନଥିବାରୁ ଏହାକୁ ଖୋଲା ବଜାରରେ ବିକ୍ରି କରିବାକୁ ଅନୁମତି ଦିଆଯାଉ। ଯଦି ଖୋଲା ବଜାରରେ ଚାଉଳ ବିକ୍ରି ନ ହେବ, ତେବେ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଏହି ଚିଠି ଦିଆନିଆ ଭିତରେ ପଞ୍ଚାୟତ ଗୋଦାମରେ ନଷ୍ଟ ହେଉଛି ୧୮୩୮ ବସ୍ତା ଚାଉଳ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଚାଉଳ ବିକ୍ରି ପାଇଁ ଚିଠି ଦିଆନିଆ ଚାଲିଛି। ଏହାଦ୍ବାରା ଦୁର୍ନୀତି ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଉଠୁଛି।