‘ଓମ୍’ ବ୍ରାଣ୍ଡରେ ବିକ୍ରି ହେଉଛି ପିଡିଏସ୍ ଚାଉଳ!, ବଡ଼ ଧରଣର ଟିକସ୍ ଫାଙ୍କି, ମିଲର୍ସ ମାଲାମାଲ୍

ସୁନ୍ଦରଗଡ଼: ‘ଶ୍ରୀ ଓମ୍’ ବ୍ରାଣ୍ଡ ରାଇସ। ବେନାମୀ ସଂସ୍ଥା ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ଚାଉଳ ବ୍ରାଣ୍ଡର ନାମ। ବଡ଼ କଥାା ହେଲା, ଚାଉଳ ପ୍ୟାକେଟ ଉପରେ ସଂସ୍ଥାର ନାମ କି ଠିକଣା ଉଲ୍ଲେଖ ନାହିଁ। ପ୍ୟାକେଟ ପ୍ରସ୍ତୁତ ତାରିଖ, ବ୍ୟାଚ୍ ନମ୍ବର ବି ନାହିଁ। ଏହା ଛଡ଼ା କମ୍ପାନିର ଜିଏସଟି ନମ୍ବର ସହ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଲାଇସେନ୍ସ ନମ୍ବର, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ) ମାର୍କା ରହିବା ବାଧ୍ୟତାମୂଳକ ଥିବା ବେଳେ ଏହି ପ୍ୟାକେଟରେ ସେସବୁ କିଛି ନାହିଁ। ଓଜନ ଓ ମାପ ବିଭାଗକୁ ବି ଫାଙ୍କି ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଖୋଲା ବଜାରରେ ଦୀର୍ଘଦିନରୁ ପଶିଥିବା ଏହି ଚାଉଳ ଭିନ୍ନ ଭିନ୍ନ ୧୮, ୨୦ ଓ ୨୨ କେଜି ପ୍ୟାକେଟରେ ମିଳୁଛି। ଯାହା ୨୦ ଟଙ୍କା କେଜିରେ ବିକ୍ରି ହେଉଛି। ବସ୍ତା ପ୍ରତି ମୂଲ୍ୟ ୩୮୦ରୁ ୪୨୦ ରହିଛି। ତେବେ ଅନୁସନ୍ଧାନ ପରେ ଏହାର ଗୋପନ ଚିତ୍ର ସାମ୍ନାକୁ ଆସିଛି। ବଜାରକୁ ଏହି ବ୍ରାଣ୍ଡର ଚାଉଳ ଛାଡ଼ିଥିବା ବେନାମୀ ସଂସ୍ଥା ଜିଲ୍ଲାର କିଛି ମିଲର୍ସ ବୋଲି ଜଣାପଡ଼ିଛି। ମିଲର୍ସଙ୍କ ସମ୍ପୃକ୍ତିରେ ଯୋଗାଣ ବିଭାଗର ମାସିକ ୩ ହଜାର କ୍ବିଣ୍ଟାଲ ପିଡିଏସ୍ ଚାଉଳ ଦୁର୍ନୀତି କଥା ଉଠିଥିବା ବେଳେ ଏହି ଚାଉଳ ତାର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ ‘ଶ୍ରୀ ଓମ୍’ ବ୍ରାଣ୍ଡରେ ପିଡିଏସ୍ ଚାଉଳ ଖୋଲା ବଜାରରେ ବିକ୍ରି ହେଉଥିବା କୁହାଯାଉଛି। ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି ଚାଉଳର ମାନ। ସୁନ୍ଦରଗଡ଼ରେ କିଛି ଦୋକାନୀଙ୍କୁ ଚାଉଳ କେଉଁଠୁ ଆସୁଛି ବୋଲି ପଚାରିବାରୁ ସେମାନେ ଏକ ମିଲ୍ ମାଲିକଙ୍କ ନାମ ନେଇଥିଲେ।

ଉଲ୍ଲେଖନୀୟ, ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଳାରେ ମୋଟ୍ ୧୬ଟି ରାଇସ ମିଲକୁ ଅନୁମତି ପ୍ରଦାନ କରିଛନ୍ତି। ଏପରିକି ରାଇସ ମିଲ୍ଗୁଡ଼ିକୁ ସରକାର ମିଲ୍ ସ୍ଥାପନ କରିବାର ଖର୍ଚ୍ଚର ୫୦ଭାଗ ସବ୍ସିଡି ମଧ୍ୟ ପ୍ରଦାନ କରିଛନ୍ତି। ବଦଳରେ ସର୍ତ୍ତ ରଖା ଯାଇଛି ଯେ, ସବ୍ସିଡି ପାଇଥିବା ମିଲର୍ସମାନେ କେବଳ ରାଜ୍ୟ ସରକାରଙ୍କ ଧାନ ମିଲିଂ କରିବେ। ନିଜସ୍ବ ବା ବାହାର ଧାନକୁ ମିଲିଂ କରିପାରିବେ ନାହିଁ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ମିଲର୍ସ କଷ୍ଟମ ମିଲିଂ ସହ ଦଲାଲ ସହାୟତାରେ ଧାନ କ୍ରୟ କରି ମିଲିଂ କରୁଛନ୍ତି। ସେହି ଚାଉଳ ସହ ପିଡିଏସ୍କୁ ମିଶାଇ ମିଳିତ ଭାବେ ‘ଶ୍ରୀ ଓମ୍’ ବ୍ରାଣ୍ଡରେ ଖୋଲା ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସୂଚନା ମିଳିଛି ଯେ, ଶ୍ରୀ ଓମ୍ ବ୍ରାଣ୍ଡ ଲଗୋ ଥିବା ବସ୍ତା ରାୟଗଡ଼ରେ ତିଆରି ହେଉଥିବା ବେଳେ ମିଲ୍ ମାଲିକମାନେ ତାକୁ ୩ ଟଙ୍କାରେ କିଣି ସେଥିରେ ଚାଉଳ ଭର୍ତ୍ତି କରି ଖୋଲା ବଜାରକୁ ଛାଡ଼ୁଛନ୍ତି। ପୁଞ୍ଜିକୃତ ହୋଇ ନଥିବା ଏକ ସଂସ୍ଥାର ନାଁରେ ମିଲର୍ସମାନେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଟିକସ ଫାଙ୍କି କୋଟି କୋଟି ଟଙ୍କାର ବେପାର କରୁଛନ୍ତି। ଏହି ଅନୈତିକ କାମ ପଛରେ ଯୋଗାଣ ବିଭାଗର ଅସାଧୁ ଅଧିକାରୀମାନଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ତେବେ ସାରା ଜିଲ୍ଲାରେ ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟର ଏତେ ବଡ଼ ବେପାର ଦୀର୍ଘଦିନରୁ ଚାଲୁଥିବା ବେଳେ ପ୍ରଶାସନ ଓ ଦାୟିତ୍ବରେ ଥିବା ବିଭାଗଗୁଡ଼ିକ କିପରି ଜାଣି ପାରୁ ନାହାନ୍ତି ତା’କୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର