ରାଉରକେଲା: ରାଉରକେଲା ଏସ୍ଟିଆଇ ଗୋଦାମରୁ ନୂଆଗାଁ ବ୍ଲକ୍ କର୍କଟନାସା ପଞ୍ଚାୟତକୁ ଯାଉଥିବା ଏକ ପିଡିଏସ୍ ଚାଉଳ ବୋଝେଇ ଟ୍ରକ ଲାଠିକଟା ବିରକେରାସ୍ଥିତ ନାକଖଣ୍ଡିରୁ ଜବତ ହୋଇଛି। ଜବତ ଟ୍ରକରୁ ୫୦% ପିଡ଼ିଏସ୍ ଚାଉଳ ବିକ୍ରି କରି ଦିଆଯାଇଛି। ତା’ ପୁଣି ଏକ ପିକ୍ଅପ୍ରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଗାଡ଼ିକୁ ଜବତ କରିଛି। ଧରାପଡ଼ିବା ଭୟରେ ମାମଲାକୁ ରଫାଦଫା କରିବାକୁ ଉଭୟ ଠିକା ସଂସ୍ଥା ଓ ପୁଲିସ ନାଟକ ରଚିଥିବା କୁହାଯାଉଛି। ଡ୍ରାଇଭର ଟ୍ରକକୁ ପାନପୋଷନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ କିଛି ଯୁବକ ଚୋରି କରି ନେଇଥିବା ଯେଉଁ ଅଭିଯୋଗ ଆଣିଛନ୍ତି, ତା’ର ସତ୍ୟତା କେତେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେବଳ ଏତିକି ନୁହେଁ ଲାଠିକଟା ବ୍ଲକ ଅନ୍ତର୍ଗତ ବିକକେରାରୁ ଜବତ ଟ୍ରକକୁ ଉଭୟ ଲାଠିକଟା ଓ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ନ ଧରିବା ଉଭୟ ଠିକା ସଂସ୍ଥା ଓ ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ମିଳିଥିବା ସୂଚନା ମୁତବାକ ଗତକାଲି ଏସ୍ଟିଆଇ ଗଣେଶ ମାର୍କେଟ ଗୋଦାମରୁ ୫୦୦ ବସ୍ତା ପିଡିଏସ୍ ଚାଉଳ (ପ୍ରାୟ ୨୫ଟନ୍) ନୂଆଗାଁ ବ୍ଲକ କର୍କଟନାସା ପଞ୍ଚାୟତକୁ ଯାଉଥିଲା। ପରିବହନ ଠିକା ସଂସ୍ଥା (ଏଚ୍ ଆଣ୍ଡ ଟି)ର ଡ୍ରାଇଭର ସୋନୁ ଟ୍ରକଟିକୁ ନେଇ ଯାଉଥିଲେ। ଗତକାଲି ଅପରାହ୍ଣ ୩ଟା ୫୦ ମିନିଟ୍ରେ ଏସ୍ଟିଆଇ ଗୋଦାମରୁ ପିଡିଏସ୍ ଚାଉଳ ବୋଝେଇ ଟ୍ରକ (ଓଆର୧୪ଏସ୍-୧୭୮୫) ବାହାରିଥିଲା। ଟ୍ରକରେ ୫୦୦ ବସ୍ତା ପିଡିଏସ୍ ଚାଉଳ ବୋଝେଇ ହୋଇଥିଲା। ଟ୍ରକଟି ନୂଆଗାଁ ବ୍ଲକ ଅନ୍ତର୍ଗତ କର୍କଟନାସା ପଞ୍ଚାୟତରେ ସଂଧ୍ୟା ସୁଦ୍ଧା ପହଞ୍ଚିବାର ଥିଲା। ଟ୍ରକ୍ଟି ନୂଆଗାଁ ଯିବା ପରିବର୍ତ୍ତେ ପିଡିଏସ୍ ବୋଝେଇ ଭିନ୍ନ ମାର୍ଗରେ ଯାଇ ଲାଠିକଟା ବିରକେରାରେ ପହଞ୍ଚି ଯାଇଥିଲା। ଆଜି ସକାଳୁ ଟ୍ରକ୍ରୁ ପିଡ଼ିଏସ୍ ଚାଉଳ ଅନ୍ଲୋଡିଂ ହୋଇ ଅନ୍ୟ ଏକ ପିକ୍ଅପ୍ରେ ବୋଝେଇ ହେଉଥିଲା।
ନିଛାଟିଆ ସ୍ଥାନରେ ପିଡିଏସ୍ ଚାଉଳ ଅନ୍ଲୋଡିଂ ହେଉଥିବା ଦେଖି ସ୍ଥାନୀୟ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏ ସଂପର୍କରେ ଉଭୟ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡି ଓ ଲାଠିକଟା ଥାନାକୁ ଜଣାଇଥିଲେ। ଅଭିଯୋଗ ପାଇଥିଲେ ହେଁ ଉଭୟ ଥାନାର ପୁଲିସ ଘଟଣାସ୍ଥଳକୁ ଆସିନଥିଲେ। କିଛି ସମୟ ପରେ ରଘୁନାଥପାଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଡିଏସ୍ ବୋଝେଇ ଟ୍ରକକୁ ଜବତ କରିଥିଲା। ସେତେବେଳକୁ ଟ୍ରକରୁ ୫୦% ଚାଉଳ ଗାଏବ ହୋଇ ସାରିଥିଲା। ପୁଲିସ୍ ଚାଉଳ ସମେତ ଜବତ ଟ୍ରକ୍କୁ ଆଣି ଥାନାରେ ରଖିଥିଲା। କିଛି ସମୟ ପରେ ପୁଲିସ୍ ପୁଣି ୨ଟି ପିକ୍ଅପ୍ ଭ୍ୟାନ୍ରେ ଚୋରି ଚାଉଳ ଆଣି ଥାନାରେ ଥିବା ଟ୍ରକ୍ରେ ଭର୍ତ୍ତି କରିଥିଲା। ପୁଲିସ୍ର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ସଂଦେହ ଚକ୍ଷୁରେ ଦେଖୁଥିବାବେଳେ ଗାଏବ ହୋଇଥିବା ପିଡିଏସ୍ ଚାଉଳକୁ ବିକ୍ରି କରା ଯାଉଥିଲା ବୋଲି ଅଭିଯୋଗ କରିଛନ୍ତି। ରଘୁନାଥପାଲୀ ଥାନା ଅଧିକାରୀ ସୁବ୍ରତ ମେହେର କହିଛନ୍ତି, ଡ୍ରାଇଭର ସୋନୁ ଆଜି ସକାଳ ପ୍ରାୟ ୬ଟା ସମୟରେ ପିଡିଏସ୍ ଚାଉଳ ଚୋରି ହୋଇଯାଇଛି ବୋଲି ଲିଖିତ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଟିମ୍ ବହୁ ଖୋଜାଖୋଜି ପରେ ବିରକେରାରୁ ଟ୍ରକକୁ ଜବତ କରିଥିଲା। ପରେ ଆମେ ଚୋରି ହୋଇଥିବା ଚାଉଳ ଉଦ୍ଧାର କରି ୨ଟି ପିକ୍ଅପ୍ ଭ୍ୟାନ୍ରେ ଥାନାକୁ ଆଣିଥିଲୁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଚ୍ ଆଣ୍ଡ ଟି ଠିକା ସଂସ୍ଥାରେ ନାଁରେ ପିଡିଏସ୍ ଚାଉଳ ହେରଫେରକୁ ନେଇ ଅନେକ ଅଭିଯୋଗ ଆସିଛି। ଗତ କିଛି ମାସ ପୂର୍ବରୁ ଏହି ଠିକାସଂସ୍ଥା ପକ୍ଷରୁ ପିଡିଏସ୍ ବୋଝେଇ ଟ୍ରକ ନୂଆଗାଁ ଚିତାପେଡ଼ି ପଞ୍ଚାୟତକୁ ଯାଉଥିଲା। ହେଲେ ଚିତାପେଡ଼ି ପଞ୍ଚାୟତରେ ପୂର୍ବରୁ ପିଡିଏସ୍ ଚାଉଳ ଆସି ସାରିଥିଲା। ଚିତାପେଡ଼ି ପଞ୍ଚାୟତ ଯିବା ନାଁରେ ଚାଉଳ ବୋଝେଇ ଟ୍ରକ ଝାଡ଼ଖଣ୍ଡ ଚାଲାଣ ହେଉଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଭିତିରି ବୁଝାମଣା କରି ମାମଲାକୁ ରଫାଦଫା କରି ଦେଇଥିଲେ। ଯୋଗାଣ ଗୋଦାମର ଅଧିକାରୀ ଓ ପରିବହନ ଠିକା ସଂସ୍ଥା ଭିତିରି ସଲାସୁତୁରା କରି ଟନ୍ ଟନ୍ ପିଡିଏସ୍ ଚାଉଳକୁ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହେଉଛି।