ପିଡିଏସ୍‌ ଚାଉଳ ଚୋରାଚାଲାଣ ସନ୍ଦେହ; ଯୋଗାଣ ବିଭାଗର କ୍ଲିନ୍‌ଚିଟ୍‌ ପରେ ଗାଡ଼ି ଛାଡ଼ିଲା ପୁଲିସ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଡୁଙ୍ଗୁରିପାଲି ପଞ୍ଚାୟତ ଅଞ୍ଚଳରୁ ୪୨ବସ୍ତା ପିଡିଏସ୍‌ ଚାଉଳ ଚୋରାଚାଲାଣ ହେଉଥିବା ସନ୍ଦେହରେ ପୁଲିସ ଶନିବାର ସନ୍ଧ୍ୟାରେ ମିନିଟ୍ରକ୍‌ (ଓଆର୍‌ ୦୩ ଜି ୩୯୫୧)କୁ ଚାଉଳ ସହ ଥାନାକୁ ଆଣି ଅଟକ ରଖିଥିଲା। ରବିବାର ସକାଳେ ସଇନ୍ତଳା ବ୍ଲକ ଯୋଗାଣ ଅଧିକାରୀ ପ୍ରଭାତ ଦାସ ଜବତ ଚାଉଳ ପିଡିଏସ୍‌ ନୁହେଁ ବୋଲି କ୍ଲିନ୍‌ଚିଟ୍‌ ଦେବାରୁ ପୁଲିସ ଗାଡ଼ି ସହ ଚାଉଳକୁ ଛାଡ଼ିଦେଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ସଇନ୍ତଳା ବ୍ଲକ୍‌ ଆମ୍ବପାଲି, ଡୁଙ୍ଗୁରିପାଲି ଓ କଅଁସର ପଞ୍ଚାୟତ ଅଞ୍ଚଳର ବହୁ ଲୋକ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇଛନ୍ତି। ମାସ ମାସ ଧରି ଅଞ୍ଚଳରେ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କ ଚାଉଳ ପଞ୍ଚାୟତର କିଛି ଅସାଧୁ କମର୍ଚାରୀ ଦଲାଲ ଜରିଆରେ ତୁଷୁରା ଅଞ୍ଚଳକୁ ପ୍ରତି ମାସ ମିନିଟ୍ରକ୍‌ ଯୋଗେ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିଲା। ସେହିଭଳି ବର୍ତ୍ତମାନ ପଞ୍ଚାୟତରେ ମିଳୁଥିବା ପିଡିଏସ୍‌ ଚାଉଳ ଅତି ନିମ୍ନମାନର ହୋଇଥିବାରୁ ହିତାଧିକାରୀମାନେ ସଂପୃକ୍ତ ଦଲାଲମାନଙ୍କୁ କିଲୋ ପ୍ରତି ୧୫ଟଙ୍କାରୁ କମ୍‌ ଦରରେ ବିକ୍ରୟ କରିଦେଇଥାନ୍ତି। ଏଭଳି ଭାବେ ଆଦାୟ ଚାଉଳକୁ ମଧ୍ୟ ଦଲାଲମାନେ ପ୍ରତି ମାସ ତୁଷୁରା ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ଚୋରା ବେପାରୀଙ୍କୁ ମିନିଟ୍ରକ ଜରିଆରେ ପଠାଉଥିବା ଅଭିଯୋଗ ହୋଇଆସୁଥିଲା।

୪୨ଟି ବସ୍ତାରେ ପ୍ରାୟ ୩୦ କୁଇଣ୍ଟାଲ ଚାଉଳ ତୁଷୁରା ଅଞ୍ଚଳକୁ ଗତ ଶନିବାର ସନ୍ଧ୍ୟାରେ ଚୋରାଚାଲାଣ ହେଉଥିବା ସଇନ୍ତଳା ପୁଲିସ ଖବର ପାଇ ଡୁଙ୍ଗୁରିପାଲି ପଞ୍ଚାୟତ ବାଦିପଡ଼ା ଗ୍ରାମରେ ଉକ୍ତ ଟ୍ରକ୍‌କୁ ଧରିଥିଲା। ରବିବାର ସକାଳେ ସଇନ୍ତଳା ଯୋଗାଣ ଅଧିକାରୀ ପ୍ରଭାତ ଦାସ ଥାନାରେ ପହଞ୍ଚି ଚାଉଳର ଓଜନ କିଂବା ମାନ ପରୀକ୍ଷା କରିନଥିଲେ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଚାଉଳ ବସ୍ତା ପିଡିଏସ୍‌ ବସ୍ତା ହୋଇନଥିବାରୁ ଏହା ପିଡିଏସ୍‌ ଚାଉଳ ନୁହେଁ ବୋଲି ପୁଲିସକୁ ଲିଖିତ ଭାବେ ଜଣାଇ ଦେଇଥିଲେ। ଯୋଗାଣ ଅଧିକାରୀ ଶ୍ରୀ ଦାସଙ୍କ ଏଭଳି ଆଚରଣ ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ତୁଷୁରାର ସମଲେଶ୍ବରୀ ମନ୍ଦିର ରୋଡ଼ରେ ଥିବା ମିରାଶିଷ ଟ୍ରେଡ଼ିଂରୁ ଗୀତା ଟ୍ରେଡ଼ିଂ ଉକ୍ତ ଚାଉଳ କିଣି ଡୁଙ୍ଗୁରିପାଲି ପଞ୍ଚାୟତ ଟୁର୍ଚ୍ଚାଉପେର ଗ୍ରାମର ନରହରି ସାହୁଙ୍କୁ ୨୨ କ୍ବିଂଟାଲ ଓ କୃତାର୍ଥ ସାହୁଙ୍କୁ ୮ କ୍ବିଂଟାଲ ଚାଉଳ ବିକ୍ରି କରିଥିବା ଦୁଇଟି ବିଲ୍‌ ଥାନାରେ ଦେଖାଇଛି। ଆଣିଥିବା ଦୁଇଟି ବିଲ୍‌ର ଜିଏସ୍‌ଟି ଟଙ୍କା ପଇଠ ସମ୍ପର୍କରେ ତଦନ୍ତ କରାଗଲେ ସେଗୁଡ଼ିକ କେତେ ଠିକ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିମାସ ତଳେ କରମତଲା ପଞ୍ଚାୟତ ଅଞ୍ଚଳରୁ ପିଡିଏସ୍‌ ଚାଉଳ ସଂଗ୍ରହ କରି ଚୋରାଚାଲାଣ କରୁଥିବା ମିନିଟ୍ରକକୁ ପୁଲିସ ଜବତ କରିଥିଲା। ଯୋଗାଣ ବିଭାଗର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସଂପୃକ୍ତ ମିନିଟ୍ରକର ମାଲିକ ବଲାଙ୍ଗୀର ସହରର ଏକ ନିର୍ଦ୍ଦିଷ୍ଟ ଚାଉଳ ଦୋକାନରୁ ବିଲ୍‌ ହାତେଇ ଘଟଣାକୁ ରଫାଦଫା କରିଦେଇଥିବା ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ଏହି ପିଡିଏସ୍‌ ଚୋରାଚାଲାଣ ବେପାରର ରାକେଟ ଉପରେ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର