ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଠକପାଲି ପଞ୍ଚାୟତ ବାବୁପାଲି ଗ୍ରାମରେ ଆବାସ ଯୋଜନା ଘର କାମ ସରିନଥିବାରୁ ଗ୍ରାମର ୨୦ ଜଣ ପରିବାରକୁ ପିଡିଏସ୍ ଚାଉଳ ବନ୍ଦ ହୋଇଥିଲା। ଗତ ଶନିବାର ଏହି ଘଟଣା ଉପରେ କୋମନା ବ୍ଲକ୍ ପ୍ରଶାସନ ପକ୍ଷରୁ ତଦନ୍ତ ପକ୍ରିୟା ଶେଷ ହୋଇଛି। ତେବେ, କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ୨୦ ଜଣ ହିତାଧିକାରୀ ପଞ୍ଚାୟତରୁ ଚାଉଳ ନେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି। ଲୋକମାନଙ୍କ ଏଭଳି ଚେତାବନୀ ପରେ ବ୍ଲକ୍ ପ୍ରଶାସନର ଚିନ୍ତା ବଢ଼ିଛି।
କୋମନା ବ୍ଲକ୍ ବାବୁପାଲି ଗ୍ରାମର ୨୦ ଜଣ ହିତାଧିକାରୀଙ୍କୁ ୭ ମାସ ହେବ ଚାଉଳ ଦିଆଯାଇ ନଥିଲା। ଉକ୍ତ ହିତାଧିକାରୀଙ୍କ ମଧ୍ୟରୁ ରୁକ୍ମିଣୀ ଶବରଙ୍କ ଚଳିତ ମାସ ୨୭ ତାରିଖ ଦିନ ଭୋକ ଉପାସରେ ମୃତ୍ୟୁ ଅଭିଯୋଗ ବି ହୋଇଛି। ବୃଦ୍ଧାଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍, ପଞ୍ଚାୟତ ପ୍ରଶାସନ ଓ କୋମନା ଯୋଗାଣ ନିରୀକ୍ଷକ ଦାୟୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାବୁପାଲି ଗ୍ରାମର ରହେନପଡ଼ା ଗ୍ରାମର ୨୦ରୁ ୩୦ ଜଣ ହିତାଧିକାରୀଙ୍କୁ ୨୦୧୯-୨୦ ରେ ଆବସ ଯୋଜନା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ ହିତାଧିକାରୀମାନେ ୨ କିସ୍ତି ପାଇଁ ଘର ସ୍ଲାବ୍ ଲେବୁଲ୍ ପର୍ଯ୍ୟନ୍ତ କରିଥିଲେ। ପରେ କରୋନା ଯୋଗୁଁ ଘର ସମ୍ପୂର୍ଣ୍ଣ କରିପାରି ନଥିଲେ। ଆବାସ ଯୋଜନା ଘର ସମ୍ପୂର୍ଣ୍ଣ ହୋଇନଥିବାର ହିତାଧିକାରୀଙ୍କ ଚାଉଳକୁ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ କହାଯାଇଥିଲା।
ଏହି ଘଟଣାକୁ ନେଇ ସାଧାରଣରେ ବି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏପରିକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, କୋମନା ବ୍ଲକ୍ ଯୋଗାଣ ନିରୀକ୍ଷକ ପଞ୍ଚାୟତକୁ ପରିଦର୍ଶନରେ ଯାଇ ହିତାଧିକାରୀଙ୍କୁ ଚାଉଳ ଦିଆଯାଉଛି କି ନାହିଁ ତଦାରଖ କରିବା କଥା। ଏସବୁ ଘଟଣାରେ ଯୋଗାଣ ନିରୀକ୍ଷକ ଚୁପ୍ ରହିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଞ୍ଚାୟତ ଅଧିକାର ତଥା ନୋଡାଲ ଅଫିସର ଓ କୋମନା ବ୍ଲକ୍ ଯୋଗାଣ ନିରୀକ୍ଷକ ଏହି ଘଟଣା ପାଇଁ ଦାୟୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କୋମନା ଯୋଗାଣ ନିରୀକ୍ଷକ ଶ୍ରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନଥିଲେ। ଅନ୍ୟପକ୍ଷରେ, ଏହି ଦୁର୍ନୀତିରେ ବ୍ଲକ୍ସ୍ତରୀୟ ଉଚ୍ଚ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି। କିନ୍ତୁ ବଡ଼ ଅଧିକାରୀଙ୍କ ଦୋଷ ଲୁଚାଇବା ପାଇଁ ପଞ୍ଚାୟତର ଛୋଟ କର୍ମଚାରୀଙ୍କୁ ବଳି ପକାଇବାକୁ ଚକ୍ରାନ୍ତ କରାଯାଉଥିବା ବି କେହିକେହି ଆଲୋଚା କରୁଥିବା ଦେଖିବାକୁ ମିଳିଛି।