କନ୍ଧମାଳରେ ପିଡିଏସ୍‌ ଘୋଟାଲା : ଚାଉଳ ପରିବହନରେ ମାସକୁ କୋଟିଏର ଦୁର୍ନୀତି!

ଫୁଲବାଣୀ : ରାଜନୈତିକ ପ୍ରଭାବରେ ଅସମ୍ଭବ ବି ସମ୍ଭବ ହୋଇ ପାରିବ। କ୍ଷମତାଶାଳୀ ବ୍ୟକ୍ତି ବେଆଇନ କାମ କଲେ ବି ସବୁ ମାଫ୍। ଏମିତି ଘଟଣା ଦେଖିବାକୁ ମିଳୁଛି କନ୍ଧମାଳରେ। ଜଣେ ରାଜନୈତିକ କ୍ଷମତା ବଳରେ ଜଣେ ବ୍ୟକ୍ତି ଯୋଗାଣ ବିଭାଗର ସବୁ ସୁବିଧା ସୁଯୋଗ ହା‌ତେଇ ନେବାକୁ ସକ୍ଷମ ହେଉଛନ୍ତି। ଅନ୍ୟ ଜିଲ୍ଲାର ମିଲରଙ୍କଠାରୁ ଚାଉଳ ଆସୁଛି। ଗୋଦାମ ଗୃହକୁ ଚାଉଳ ନ ଆସି ସିଧା ପଞ୍ଚାୟକୁ ଯାଉଛି। ହେଲେ ଗୋଦାମ ଘରୁ ପଞ୍ଚାୟତକୁ ଚାଉଳ ଯାଉଥିବା ମିଥ୍ୟା ରିପୋର୍ଟରେ ଦର୍ଶାଯାଉଛି। ଆଉ ନିମ୍ନମାନର ଚାଉଳ ଯୋଗାଣ ହେଉଛି ବୋଲି ଅଭିଯୋଗ ହୋଇ ଆସୁଛି। ଏଥିଯୋଗୁଁ ଏଠାରେ ପିଡିଏସ ଚାଉଳ ଟ୍ରାନସପୋର୍ଟିଂରେ ମାସକୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଦୁର୍ନୀତି ହେଉଥିବା ଜଣାପଡିଛି।

ହସ୍ତଗତ ତଥ୍ୟ ଅନୁସାରେ, ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ନାମରେ ଲେବୁଲ ୧ର ଟ୍ରାନସପୋର୍ଟ କଣ୍ଟ୍ରାକ୍ଟର ଲାଇସେନସ ଏବଂ ପିଡିଏସ ‌ଗୋଦାମ ଗୃହ ରହିଛି। ସେହିଭଳି ଲେବୁଲ ୨ ଲାଇସେନ୍ସ ତାଙ୍କ ଶଳା ନାଁରେ ରହିଛି। ଯାହାର ଗୋଦାମ ଗୃହ ଥିବ ଏବଂ ସରକାରଙ୍କୁ ଭଡା ସୁତ୍ରରେ ଦେଇଥିବା ସେ ଚାଉଳ ବଣ୍ଟନ ଟେଣ୍ଡରରେ ଭାଗ ନେଇ ପାରିବେ ନାହିଁ। ହେଲେ ପରିବାର ଓ ବନ୍ଧୁବାନ୍ଧକଙ୍କ ନାଁରେ ଲାଇସେନ୍‌ସ କରି ପାଇଦା ଉଠାଉଥିବା ଜଣାପଡିଛି। ପୂର୍ବରୁ ଜିଲ୍ଲାର ୪ଟି ବ୍ଲକକୁ ଫୁଲବାଣୀସ୍ଥିତ ଏଫସିଆଇ ଗୋଦାମରୁ ଚାଉଳ ଯାଉଥିଲା। ମାତ୍ର ସଂପୃକ୍ତ ବ୍ୟକ୍ତି କ୍ଷମତା ବଳରେ ପତ୍ନୀଙ୍କ ନାଁରେ ଥିବା ଗୋଦାମ ଗୃହକୁ ଚା‌ଉଳ ନେବାରେ ସଫଳ ହୋଇଥିଲେ। ଯାହାକୁ ପ୍ରଶାସନ ଓ ଯୋଗାଣ ବିଭାଗ ମଧ୍ୟ ଆଖି ବୁଜି ସମର୍ଥନ ଜଣାଇଥିଲା। ଚଳିତବର୍ଷ ପିଡିଏସ ଚାଉଳ ଟ୍ରାନସପୋଟିଂ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ‌ଖୋଲାଯିବା ପରେ ସେ ବ୍ୟକ୍ତିଙ୍କ ଟ୍ରାନ୍‌ସପୋର୍ଟ ଏକା ଟେଣ୍ଡର ପକାଇଥିବା ଜଣାପଡିଥିଲା। ଏହାକୁ ନେଇ ଟେଣ୍ଡର ପକାଇବାକୁ ଥିବା ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଙ୍ଗଲ ଟେଣ୍ଡର ବାତିଲ କରିବା ଏବଂ କନ୍ଧମାଳରେ ପିଡିଏସ ଟ୍ରାନସପୋର୍ଟିଂରେ ବ୍ୟାପକ ଦୁର୍ନତି ହେଉଥିବା ନେଇ ବିଭାଗୀୟ ସଚିବଙ୍କ ନିକଟରେ ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଜିଲ୍ଲା ଯେଗାଣ ଅଧିକାରୀ ସୁବୋଧ ମଲ୍ଲିକ କହିଛନ୍ତି ଯେ, ପୁନର୍ବାର ଟେଣ୍ଡର କରାଯିବ। ଯୋଗାଣରେ ହେଉଥିବା ଅନିୟମିତା ଓ ଦୁର୍ନୀତି ନେଇ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଏହା ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର