ସୁନ୍ଦରଗଡ଼ ପିଡିଏସ୍‌ ମହାଦୁର୍ନୀତି: ବିଧାୟକ ଧରିଲେ, ଖସିବା ପାଇଁ ଗଳାବାଟ

ଏସି ନୋଟ୍‌ରେ ନାହିଁ, ଟ୍ରକରେ ଗହମ ଆସିଲା କେଉଁଠୁ? ପଲସର ବାଇକ୍‌ରେ ନିଆଯାଇଛି ଚାଉଳ!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପିଡିଏସ୍‌ ମହାଦୁର୍ନୀତିକୁ ନେଇ ପାନପୋଷ ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଯୋଗାଣ ଅଧିକାରୀ, ମିଲର୍ସ ଓ ପରିବହନକାରୀ (ଏଲ୍‌୨) ଠିକାଦାରଙ୍କ ମନରେ ଛନକା ପଶିଛି। ଖୋଦ୍‌ ବୀରମିତ୍ରପୁର ବିଧାୟକ ଏକ ଚାଉଳ, ଗହମ ବୋଝେଇ ଟ୍ରକ୍‌ ଧରିଛନ୍ତି। ତେବେ, ଏହି ଟ୍ରକ୍‌ ଥାନାରେ ଥିବାବେଳେ ନୂଆ ଗ୍ରହଣପତ୍ର (ଏସି ନୋଟ୍‌) ଜରିଆରେ ଖସାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଗତ ମେ ୨୯ ତାରିଖରେ ରାଉରକେଲା ଏସଟିଆଇସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ରୁ ଜାହିରିଟୋଲି ପଞ୍ଚାୟତର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଚାଉଳ ଓ ଗହମ ଏଲ୍‌୨ ଠିକାଦାର ଉଷା ଅଗ୍ରୱାଲ ଉଠାଇଥିଲେ। ୨୦ ଦିନ ପରେ ବି ତାହା ପଞ୍ଚାୟତ ଗୋଦାମକୁ ପହଞ୍ଚି ନଥିଲା। ଏହା ଜଣାପଡ଼ିବା ପରେ ପାନପୋଷ ଉପଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ, ଧରାପଡ଼ିଯିବା ଭୟରେ ଗତକାଲି ଅପରାହ୍ନରେ ସମ୍ପୃକ୍ତ ଠିକାଦାର ଏକ ଟ୍ରକ (ଓଡି–୧୪ ୟୁ–୬୪୨୯)ରେ ଚାଉଳ ବୋଝେଇ କରି ପହଞ୍ଚି ଯାଇଥିଲେ। ଲୋକେ ଚୋରି ଚାଉଳ ଅଭିଯୋଗ କରି ଗାଡ଼ିକୁ ଘେରିଯାଇଥିଲେ। ସେତେବେଳେ ଠିକାଦାରଙ୍କ କର୍ମଚାରୀ ଓ ନୂଆଗାଁ ଯୋଗାଣ ନିରୀକ୍ଷକ ପହଞ୍ଚି ଏହା ୨୯ ତାରିଖରେ ଉଠିଥିବା ପିଡିଏସ୍‌ ସାମଗ୍ରୀ ବୋଲି କହିଥିଲେ। କିନ୍ତୁ ଲୋକେ ତାକୁ ଗ୍ରହଣ କରି ନଥି‌ଲେ। ପରେ ପରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏହା ପିଡିଏସ୍‌ ଦୁର୍ନୀତିର ଚାଉଳ ଓ ଗହମ କହି ଟ୍ରକ୍‌ରୁ ଖାଲି କରିବାକୁ ଦେଇ ନଥିଲେ। ଚାଉଳ ଓ ଗହମ ଉତାରିବାକୁ ଉଭୟ ଯୋଗାଣ ନିରୀକ୍ଷକ ଓ ଠିକାଦାର ଉଦ୍ୟମ କରିଥିଲେ ବି ସମ୍ଭବ ହୋଇ ନଥିଲା।

ପରେ ରାତିରେ ହାତୀବାରି ପୁଲିସ ପିଡିଏସ୍‌ ସାମଗ୍ରୀ ସହ ଟ୍ରକକୁ ଥାନାକୁ ନେଇ ଯାଇଥିଲେ। କିନ୍ତୁ ରବିବାର ସକାଳେ ଥାନାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରିବହନ ଠିକାଦାର ଓ ଯୋଗାଣ ନିରୀକ୍ଷକ ରାଉରକେଲା ଏସଟିଆଇ ସ୍ଥିତ ଆରଆରସି କାଟିଥିବା ଜୁନ ୧୯ ତାରିଖର ଏକ ନୂଆ ଗ୍ରହଣପତ୍ର (ଏସି ନୋଟ୍‌) ସହ ପହଞ୍ଚି ସେ ପିଡିଏସ୍‌ ସାମଗ୍ରୀ ଜୁଲାଇ ମାସର ବୋଲି କହିଥିଲେ।

ପ୍ରଶ୍ନ ଉଠିଛି, ଏହା ଯଦି ଜୁଲାଇ ମାସର ଚାଉଳ, ତେବେ ମେ ୨୯ରେ ପଠାଯାଇଥିବା ଚାଉଳ କେଉଁଠି? ଅନ୍ୟପଟେ ଜୁନ ୧୯ରେ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ର ଗ୍ରହଣପତ୍ର (ଏସି ନୋଟ୍‌)ରେ ଯେଉଁ ଟ୍ରକ (ଓଆର୍୧୪ ୟୁ ୬୪୨୯)ରେ ପିଡିଏସ୍‌ ସାମଗ୍ରୀ ପଠାଯାଇଥିବା ଦର୍ଶାଯାଇଛି, ତାହା ଏକ ପଲସର ବାଇକ୍‌ର ନମ୍ବର ହୋଇଥିବା ଜଣାପଡ଼ିଛି। ଦୁର୍ନୀତି ଲୁଚାଇବାକୁ ତରତର ଥିଲା ବେଳେ ଏପିଆଇ ଏପରି ତ୍ରୁଟିପୂର୍ଣ୍ଣ ଚିଠା ଲେଖିଥିବା ଚର୍ଚ୍ଚା ହେଉଛି। କିନ୍ତୁ ପ୍ରକୃତରେ ଶନିବାର ପଞ୍ଚାୟତକୁ ଅନ୍ୟ ନମ୍ବରର ଏକ ଟ୍ରକ ପହଞ୍ଚିଥିଲା। ଏସି ନୋଟ୍‌ରେ କେବଳ ଚାଉଳ ୨୩୮ ବସ୍ତା ଉଠାଯାଇଥିବା ଉଲ୍ଲେଖ ଥିବା ବେଳେ ଟ୍ରକରେ ଚାଉଳ ସହ ୫୩ ବସ୍ତା ଗହମ ମଧ୍ୟ ରହିଛି। ତାହା କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର