ସିନାପାଲି: ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତର ପିଡିଏସ୍ ଚାଉଳ ହଡ଼ପ୍ ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶୁକ୍ରବାର ଦଳିତ ଅଧିକାର ମଞ୍ଚ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି। ଏହି ଦାବି ସମାବେଶରେ ଜିଲ୍ଲା ଗରିବ ସେନା ଓ ସାହାଯ୍ୟ ସେନା ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ।
ସ୍ଥାନୀୟ ପଲ୍ଲୀ ଜାଗରଣ ନିକଟ ଆମ୍ବତୋଟା ଠାରୁ ଶତାଧିକ ବିକ୍ଷୋଭକାରୀ ଏକ ରାଲିରେ ନଗର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଗତ ୯ ତାରିଖ ହେବାକୁଥିବା ଦଳିତ ଅଧିକାର ମଞ୍ଚର ଧାରଣାକୁ ଭଣ୍ତୁର କରିବା ଓ ସେମାନଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବାର ଷଡ଼୍ଯନ୍ତ୍ର ରଚନା କରାଯାଇଥିବା ଅଭିଯୋଗ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଏହି ଘଟଣାରେ ସଂପୃକ୍ତ ପିଇଓଙ୍କ ବିରୋଧରେ ସାତ ଦିନ ମଧ୍ୟରେ ମାମଲା ରୁଜୁ କରାନଗଲେ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ତି ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ଶ୍ରୀ ତାଣ୍ତିଙ୍କ ସମେତ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଗରିବ ସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, ସାହାଯ୍ୟ ସେନାର ସଭାପତି ବେଣୁଧର ଜଗତ, ଆମ୍ବେଦକର ଯୁବକ ସଂଘର ସଭାପତି ଅଜମ୍ବର ତାଣ୍ଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରସିନ୍ଧୁ ତାଣ୍ତି, ଦଳିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସଭାପତି ପଦ୍ମନାଭ ଜଗତ ପ୍ରମୁଖ ସାମିଲ ଥିଲେ।
ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ!
ସିନାପାଲି ବ୍ଲକ୍ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍ ଚାଉଳ ହଡ଼ପ୍ ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏନେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ ଟ୍ବିଟ୍ ଯୋଗେ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଝାରବନ୍ଧ ପଞ୍ଚାୟତରେ ୧୪୭ ଜଣ ହିତାଧିକାରୀଙ୍କୁ ପିଡିଏସ୍ ଚାଉଳ ପ୍ରଦାନ କରାଯାଇ ନଥିବା ଓ ବେଆଇନ ଭାବରେ ଅନ୍ୟତ୍ର ଚାଉଳ ରଖାଯାଇଥିବା ଘଟଣା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ରିପୋର୍ଟ ପାଇଥିବା ଦର୍ଶାଇ ନୂଆପଡ଼ା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଟ୍ବିଟ୍ରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ଦୋଷୀ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିନାପାଲି ବିଡିଓଙ୍କୁ ଚିଠି କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।