ଶାନ୍ତି ଓ ସଦ୍‌ଭାବନା ସମ୍ମିଳନୀ: ୫୬ ହଜାରଙ୍କୁ ବେଘର କରିଥିଲା କନ୍ଧମାଳ ଦଙ୍ଗା

ଭୁବନେଶ୍ବର : କନ୍ଧମାଳ ଦଙ୍ଗା ଯୋଗୁଁ ବିସ୍ଥାପିତ ହୋଇଥିଲେ ୫୬ ହଜାର ବ୍ୟକ୍ତି। ଏଥିମଧ୍ୟରୁ କେବଳ ୧୮ ହଜାର ଦଙ୍ଗା ପୀଡ଼ିତ ଆଜି ବି ଭୁବନେଶ୍ବରସ୍ଥିତ ବିଭିନ୍ନ ବସ୍ତିରେ ନିଜ ଅସ୍ତିତ୍ବ ହରାଇ ସଂଘର୍ଷ କରୁଛନ୍ତି। ରାଜ୍ୟ ବାହାରେ କେରଳ ଓ ଚେନ୍ନାଇରେ ଅନେକ ରହିବାକୁ ବାଧ୍ୟ ହୋଇଛନ୍ତି। ସେଦିନ ୬୫୦୦ ଘର, ୪୦୦ ଧାର୍ମିକ ଅନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ଜାଳି ଦିଆଯାଇଥିଲା। ଘର କ୍ଷତିଗ୍ରସ୍ତଙ୍କୁ ୫୦ ହଜାର ଏବଂ ୨୦ ହଜାର ଟଙ୍କା ଦିଆଯିବା ନେଇ ଘୋଷଣା ହୋଇଥିଲା। ଅଧିକାଂଶଙ୍କୁ ଏହି କ୍ଷତିପୂରଣ ମିଳିପାରିନାହିଁ। ଦଙ୍ଗାରେ ସର୍ବାଧିକ କ୍ଷତିଗ୍ରସ୍ତ ହୁଅନ୍ତି ମହିଳାମାନେ। ଏହି ଦଙ୍ଗାରେ ନନ୍‌ଙ୍କ ସମେତ ସମୁଦାୟ ୪୦ ମହିଳା ବିଭିନ୍ନ ପ୍ରକାର ଅତ୍ୟାଚାରର ଶିକାର ହୋଇଥିଲେ। କିନ୍ତୁ କାହାକୁ ମଧ୍ୟ ନ୍ୟାୟ ମିଳିପାରିନାହିଁ। ସମୁଦାୟ ୩୦ ହତ୍ୟା ମାମଲା ରହିଥିଲେ ମଧ୍ୟ କେବଳ ୨ଟି ମାମଲାରେ ଅଭିଯୁକ୍ତମାନଙ୍କୁ ସଜା ହୋଇପାରିଛି। କନ୍ଧମାଳ ଦଙ୍ଗାରେ ମୋଟ ୩୨୩୨ ଅଭିଯୋଗ ହୋଇଥିଲା। ଏଥିରୁ କେବଳ ୮୨୭ଟି ମାମଲା ରୁଜ୍ଜୁ କରାଗଲା। ୨୧୫ଟି ମାମଲାକୁ ପୁଲିସ ପ୍ରମାଣ ଅଭାବରୁ ବନ୍ଦ କରି ଦେଇଛି। ଗୀତଗୋବିନ୍ଦ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶାନ୍ତି ଓ ସଦ୍‌ଭାବନା ସମ୍ମିଳନୀରେ କନ୍ଧମାଳ ଦଙ୍ଗାର ଆଜିର ସ୍ଥିତିକୁ ନେଇ ଏହି ତଥ୍ୟ ଦେଇଛନ୍ତି ସିଷ୍ଟର ଜଷ୍ଟିନ୍‌ ଗୀତା।

 ଏବେ ବି ରାଜଧାନୀରେ ସଂଘର୍ଷ କରୁଛନ୍ତି ୧୮ ହଜାର
୩୦ ରୁ ୨ ହତ୍ୟା ମାମଲାରେ ମିଳିଛି ନ୍ୟାୟ
ଭିଡ଼ ଆନ୍ଦୋଳନ ପାଇଁ ପ୍ରକାଶ ଆମ୍ବେଦକରଙ୍କ ଆହ୍ବାନ

ସିଟିଜେନ୍‌ ଫର୍‌ କମ୍ୟୁନାଲ୍‌ ହାରମୋନି ପିସ୍‌ ଆଣ୍ଡ ଜଷ୍ଟିସ୍‌, ଓଡ଼ିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସାଂସଦ ଡ. ପ୍ରକାଶ ଆମ୍ବେଦକର ବିଲକିସ୍‌ ବାନୋ ଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରଶ୍ନ ଉଠାଇଥିଲେ। ଜଣେ ଗର୍ଭବତୀଙ୍କୁ ସାମୂହିକ ଦୁଷ୍କର୍ମ କରାଗଲା, ପରିବାରର ୧୪ ଜଣଙ୍କୁ ହତ୍ୟା କରାଗଲା। ଏହା ରେୟାରେଷ୍ଟ୍‌ ଅଫ୍‌ ଦି ରେୟାର୍‌ କେସ୍‌। କିନ୍ତୁ ଏଭଳି ମାମଲାର ଦୋଷୀମାନଙ୍କୁ ଗୁଜରାଟ ସରକାର କାହିଁକି ଛାଡ଼ି ଦେଲା? ଏହି ପ୍ରଶ୍ନ ସମସ୍ତେ ପଚାରିବା ଉଚିତ। ଶୋଷିତ ବର୍ଗଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଜିର ନୁହେଁ, ଅନେକ ଦଶନ୍ଧି ହେଲା ହେଉଛି। ତେଣୁ ଏହି ଅତ୍ୟାଚାରୀ ବ୍ୟବସ୍ଥାକୁ ଶେଷ କରିବା ପାଇଁ ରାଜନୈତିକ ବିଚାର ସହିତ ଭିଡ଼ ଆନ୍ଦୋଳନ କରିବାକୁ ହେବ। ରାଜନୈତିକ ବିଚାର ଅର୍ଥ କେବଳ କ୍ଷମତା ଦଖଲ ନୁହେଁ, ନିଜ ହକ୍‌ ପାଇଁ ଲଢ଼େଇ ଅଟେ। ଆଜି ପର୍ଯ୍ୟନ୍ତ କନ୍ଧମାଳ ଦଙ୍ଗାରେ ପୀଡ଼ିତ ଦଳିତ, ଆଦିବାସୀଙ୍କୁ ନ୍ୟାୟ ମିଳିଲା ନାହିଁ। ତେଣୁ ନ୍ୟାୟ ପାଇଁ ଭିଡ଼ ଆନ୍ଦୋଳନ ହେବା ଉଚିତ। ଓଡ଼ିଶାର ସବୁ ବଞ୍ଚିତ ବର୍ଗ ଏକଜୁଟ ହୋଇ ବାବାସାହେବଙ୍କ ପଥରେ ଆଗେଇ ଯିବାକୁ ଡ. ଆମ୍ବେଦକର ଆହ୍ବାନ ଦେଇଥିଲେ।

ସାମାଜିକ କର୍ମକର୍ତ୍ତା ଅଭିରାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ ତେଲାଙ୍ଗ, ପ୍ରଫୁଲ୍ଲ ସାମନ୍ତରାଏ ଅସୁରକ୍ଷିତ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ। ଚନ୍ଦ୍ର ଦାନୀ ସ୍ବାଗତ ଭାଷଣ ଏବଂ ନରେନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ଅମୀୟ ପାଣ୍ଡବ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୯୯୨ ମସିହାର ଦଙ୍ଗା ପୀଡ଼ିତା ଆରଫା ଖାନମ ଶେରଓ୍ବାନି ଉପସ୍ଥିତ ଥିଲେ। ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ଖୁବ ଶୀଘ୍ର କ୍ରାନ୍ତି, ମାନବାଧିକାର, ଗଣତନ୍ତ୍ର, ସମ୍ବିଧାନ, ସଂଘର୍ଷ ଆଦି ଅସାମ୍ବିଧାନିକ ଶବ୍ଦ ହୋଇଯିବ। ଅନ୍ୟାୟକୁ ଅନୁଭବ କରିବା ପାଇଁ ମାନବିକ ହୃଦୟର ଆବଶ୍ୟକତା ରହିଛି। ଆର୍ଥିକ ଦୃଷ୍ଟିରୁ କେହି ସୁଖୀ ନଥିବାରୁ ଅନ୍ୟ ଦୁଃଖ ସନ୍ତୋଷ ପ୍ରଦାନ କରୁଛି। ପରିବାର ନୈତିକତା ଆଧାରର ମହିଳା ସଦସ୍ୟଙ୍କ ସ୍ଥିତି ଭଳି ସମାଜିକ ବ୍ୟବସ୍ଥାର ନୈତିକତାର ଆଧାର ଗରିବଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଜଣାଇଦିଏ। ଅଧିବେଶନରେ ଅଜୟ ସିଂ ପ୍ରାରମ୍ଭିକ ସୂଚନା ଏବଂ ସୁଜାତା ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର