ବାଲେଶ୍ବରରେ ଶାନ୍ତି ଫେରୁଛି: କୋହଳ ହେଲା କର୍ଫ୍ୟୁ କଟକଣା

ବାଲେଶ୍ୱର: ବାଲେଶ୍ୱର ସୁନହଟଠାରେ ଗୋଷ୍ଠୀ ସଂଘର୍ଷ ପରେ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପର୍ଯ୍ୟାୟକ୍ରମେ କୋହଳ କରିଛି ପ୍ରଶାସନ। ଗତକାଲି ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିଲା। ଶନିବାର ମଧ୍ୟରାତ୍ର (ରବିବାର)ରୁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏଥିସହ ଟାଉନ ଥାନା ଅଞ୍ଚଳରେ ପୂର୍ବପରି ସକାଳ ୫ରୁ ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ ବୋଲି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସହରରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ଶନିବାରଠାରୁ ଲ୍ୟାଣ୍ଡଲାଇନ୍‌ ଜରିଆରେ ବ୍ରଡ୍‌ବ୍ୟାଣ୍ଡ, ୱାଇଫାଇ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ସେବା ଉପରେ ପୂର୍ବ ପରି ଅଙ୍କୁଶ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗୋଷ୍ଠୀ ସଂଘର୍ଷ ମାମଲାରେ ଏଯାବତ ୧୯ଟି ମାମଲା ରୁଜୁ କରାଯାଇ ୭୫ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସାଗରିକା ନାଥ କହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ଯୋଗେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ଆସୁଥିବା ଗୁଜବ ଓ ମିଥ୍ୟା ଖବର ଉପରେ ନଜର ରଖାଯାଇ ସାଇବର ପାଟ୍ରୋଲିଂ ଆରମ୍ଭ ହୋଇଛି। ରାଜ୍ୟର ଅଭିଜ୍ଞ ଅଧିକାରୀ ଓ ଜିଲ୍ଲା ସାଇବର ସେଲର ଅଧିକାରୀଙ୍କୁ ଏହି ପାଟ୍ରୋଲିଂରେ ସାମିଲ କରାଯାଇଛି। କୌଣସି ପ୍ରକାର ଗୁଜବ ତଥା ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ଏସ୍‌ପି ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିଥିବା ଜଣେ ବ୍ୟକ୍ତିବିଶେଷଙ୍କୁ ସାଇବର ସେଲ୍‌ ପକ୍ଷରୁ ଠାବ କରାଯାଇଛି। ଖୁବଶୀଘ୍ର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋଷ୍ଠୀ ସଂଘର୍ଷରେ ଅଧିକାଂଶ ନାବାଳକ ସାମିଲ ଥିବା ଏସ୍‌ପି ପ୍ରକାଶ କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କ କାର୍ଯ୍ୟକଳାପ ଓ ଚାଲିଚଳନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସୁଦର୍ଶନ ଜେନା, ପ୍ରାକ୍ତନ ସାଂସଦ ଅନନ୍ତ ସେଠୀ ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସର୍ବଦଳୀୟ ବୈଠକ ଡାକିବାକୁ ପରାମର୍ଶ ଦେଇଛନ୍ତି। ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ବାଲେଶ୍ବର ଭଳି ଭାଇଚାରା ସହରରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ବୋଲି ଅଭିଯୋଗ କରି ଏହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର