ବାଲେଶ୍ୱର: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଗାଁ ଶ୍ମଶାନରେ ଅନୁଷ୍ଠିତ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପୁଅର ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଶାନ୍ତଙ୍କ ମରଶରୀର ଆଜି ଭୋର୍‌ ସମୟରେ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଈଶାଣୀ ଗ୍ରାମରେ ପହଞ୍ଚିଥିଲା। ଏହି ସମୟରେ ଶେଷଦର୍ଶନ ପାଇଁ ଚାହିଁ ବସିଥିବା ପରିବାର, ବନ୍ଧୁବାନ୍ଧବ, ଗ୍ରାମବାସୀ ଓ ସହକର୍ମୀଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା। ପ୍ରଶାନ୍ତ ଶତପଥୀ ଅମର ରହେ... ଭାରତ ମାତାକି ଜୟ... ଆତଙ୍କବାଦ ମୁର୍ଦ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ... ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମରଶରୀରକୁ ଶୋଭାଯାତ୍ରାରେ ଘରକୁ ଏବଂ ପରେ ଗାଁ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ଏକମାତ୍ର ପୁଅ ତନୁଜ ଶତପଥୀ ମୁଖାଗ୍ନି ଦେଇଥିଲେ।

Advertisment

କାନ୍ଦବୋବାଳିରେ ଫାଟିପଡ଼ିଲା ଈଶାଣୀ ଗାଁ
‘ପାକିସ୍ତାନ ମୁର୍ଦ୍ଦାବାଦ’ ଧ୍ବନିରେ କମ୍ପିଲା ଅଞ୍ଚଳ
ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ପତ୍ନୀଙ୍କୁ ଚାକିରି ଓ ୨୦ ଲକ୍ଷ ସହାୟତା ଘୋଷଣା
ପୁଅର ପାଠପଢ଼ା କଥା ବୁଝିବେ ସରକାର

ପ୍ରଶାନ୍ତଙ୍କ ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ସହର ଉପକଣ୍ଠସ୍ଥିତ ପଦ୍ମାବତୀ ପାର୍କରେ ସକାଳ ପ୍ରାୟ ୮ଟା ବେଳେ ପହଞ୍ଚିଥିଲେ। ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଈଶାଣୀ ଗାଁ’କୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବିଜେପି ଜିଲ୍ଲା ସଭାପତି ଈଶ୍ବର ଚନ୍ଦ୍ର ବେହେରା ଓ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖ ରହିଥିଲେ। ସମସ୍ତେ ପ୍ରଶାନ୍ତଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ପ୍ରଶାନ୍ତଙ୍କ ଶବାଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ପରିବହନ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଏବଂ ଅନ୍ୟ ନେତାମାନେ ସାମିଲ ହୋଇଥିଲେ। ସେମାନେ ଚାଲିଚାଲି ଶ୍ମଶାନକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଶାନ୍ତଙ୍କ ମୃତ୍ୟୁକୁ ନେଇ ସେ ମର୍ମାହତ। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରୁଛି। ଉଗ୍ରପନ୍ଥୀମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ ବର୍ବରୋଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହାର ଦୃଢ଼ ଜବାବ ଦେବେ ବୋଲି ସେ କହିଥିଲେ।