ଭଞ୍ଜନଗର: ଦେଖୁ ଦେଖୁ ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳକୁ ଦୁଇସପ୍ତାହ ବିତି ସାରିଲାଣି। ହେଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କୃଷି ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ବ୍ଲକ୍ର ଚାଷୀଙ୍କ ନିକଟରେ ଏଯାବତ୍ ଆବଶ୍ୟକ ପରିମାଣ ସରକାରୀ ବିହନ ପହଞ୍ଚିପାରିନି। ବିଶେଷ କରି ସୋସାଇଟି କେନ୍ଦ୍ର ଗୁଡ଼ିକରେ ବିହନ ପହଞ୍ଚି ନଥିବା ବେଳେ କିଛି ହାତଗଣତି ବେସରକାରୀ ଡିଲର୍ ହିଁ ବିହନ ଉଠାଇଥିବା ଜଣାପଡ଼ିଛି। ଫଳରେ ଆଗାମୀ ଖରିଫ୍ ଋତୁ ପାଇଁ ଚାଷୀ ଏବେଠୁ ପ୍ରସ୍ତୁତ ହୋଇଥିବା ବେଳେ ବିହନ ଯୋଗାଣରେ ସରକାରୀ ଉଦାସୀନତା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। କେବଳ ଏତିକି ନୁହେଁ, କିଛିଦିନ ପରେ ଦକ୍ଷିଣପଶ୍ଚିମ ମୌସୁମୀ ଜଳବାୟୁ ଓଡ଼ିଶାକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ବିହନ ଅଭାବରେ ଚାଷୀ କିଭଳି ଚାଷକାର୍ଯ୍ୟ ତ୍ବରାନ୍ବିତ କରିବ, ତାକୁ ନେଇ ସଂଶୟ ଆରମ୍ଭ ହୋଇଛି।
ଭଞ୍ଜନଗର ଓ ଆଖପାଖ ବ୍ଲକ୍ର ଅଧିକାଂଶ ଚାଷଜମି ଜଳଭଣ୍ଡାରରୁ ଆସୁଥିବା ଜଳସେଚନ ପ୍ରକଳ୍ପର ପାଣି ଉପରେ ନିର୍ଭର କରିଥାନ୍ତି। ଏହି ସମୟରେ ଚାଷୀ ଧାନତଳି ପକାଇବା ସହ ବୁଣା କାର୍ଯ୍ୟ କରିଥାନ୍ତି। ଧାନଚାଷ ପାଇଁ ପୂର୍ବରୁ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ବିହନ ଯୋଗାଇ ଦିଆଯାଉଥିଲା। କିନ୍ତୁ ଗତ କିଛିବର୍ଷ ଧରି ସମବାୟ ସମିତି ସହ କିଛି ବେସରକାରୀ ଡିଲର୍ଙ୍କ ମାଧ୍ୟମରେ ଧାନ ବିହନ ଯୋଗାଣ ହେଉଛି।
କିନ୍ତୁ ଭଞ୍ଜନଗର କୃଷି ଜିଲ୍ଲା ଅଧୀନରେ ଥିବା ବୁଗୁଡ଼ା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକ୍ ମଧ୍ୟରୁ କେବଳ ବେଲଗୁଣ୍ଠା ବ୍ଲକ୍ର ୩ଟି ସୋସାଇଟିକୁ ୧୧୯ କ୍ବିଣ୍ଟାଲ୍ ବିହନ ଆସିଥିବା ବେଳେ ଅନ୍ୟ କୌଣସି ସମବାୟ ସମିତିକୁ ବର୍ତ୍ତମାନ ସୁଦ୍ଧା ବିହନ ପହଞ୍ଚି ନଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ଖରିଫ୍ ଋତୁ ପୂର୍ବରୁ ଚାଷୀଙ୍କ ନିକଟରେ ବିନା ଦ୍ବିଧାରେ ବିହନ ପହଞ୍ଚାଇବା ଜରୁରି ହୋଇପଡ଼ିଛି।
ବର୍ତ୍ତମାନ ବେଲଗୁଣ୍ଠାରେ ୩ ସୋସାଇଟି ସମେତ ୨ ଜଣ ଡିଲର୍ ୧୮୬ କ୍ବିଣ୍ଟାଲ୍ ବିହନ ଆଣିଛନ୍ତି। ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବୁଗୁଡ଼ା ସୋସାଇଟିକୁ ବିହନ ଆସିପାରି ନାହିଁ। ଭଞ୍ଜନଗରରେ ୩ ଜଣ ଡିଲର୍ ୨୩୫ କ୍ବିଣ୍ଟାଲ୍ ଓ ଜଗନ୍ନାଥପ୍ରସାଦରେ ୨ ଜଣ ଡିଲର୍ ୧୨୦ କ୍ବିଣ୍ଟାଲ୍ ବିହନ ନିଗମ ଠାରୁ ଆଣିଥିବା ଜଣାପଡ଼ିଛି। ଭଞ୍ଜନଗର ବ୍ଲକ୍ର ୧୩ଟି ସେବା ସମବାୟ ସମିତି ସମେତ ୫ ଜଣ ବେସରକାରୀ ଡିଲର୍ଙ୍କ ଜରିଆରେ ଧାନ ବିହନ ବିକ୍ରି କରାଯାଉଛି।
ସେହିପରି ଚାଷୀମାନେ ଚଳିତବର୍ଷ ନିଜର କୃଷି ଆଇଡ଼ି ସହ ମୋବାଇଲ୍ ନମ୍ବର ନେଇ ସମବାୟ ସମିତି କିମ୍ବା ଡିଲର୍ଙ୍କ ପାଖରୁ ବିହନ କିଣିବେ। ଚାଷୀମାନେ ବିହନ ପ୍ୟାକେଟ୍ ପ୍ରତି ୩୬୫୦ ଟଙ୍କା ଦେଇ କ୍ରୟ କରିବା ପରେ ୧୦ ବର୍ଷରୁ ଅଧିକା ସ୍ବର୍ଣ୍ଣ ଶ୍ରୀୟା, ଲଲାଟ ଓ ଖଣ୍ଡଗିରି ଭଳି ଧାନ ବିହନ କିସମ ପାଇଁ ୧୨୫୦ ଟଙ୍କା ଏବଂ ୧୦ ବର୍ଷରୁ କମ୍ ଡିଏସ୍ଆର୍, କଳାଚମ୍ପା, ସାମ୍ବା, ସାଗୁଆନ ଓ ହସନ୍ତ ଭଳି ଧାନ ବିହନ କିସମ ପାଇଁ ୧୫୦୦ ଟଙ୍କା ରିହାତି ସିଧାସଳଖ ଚାଷୀଙ୍କ ଖାତାକୁ ଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭଞ୍ଜନଗରରେ ସାଧାରଣତଃ ପୂଜା, ୧୦୦୧, ମସୁରୀ, ଆରଜିଏଲ୍, କେଶରୀ, ଲଲାଟ, ସ୍ବର୍ଣ୍ଣଶ୍ରୀୟା ଓ ଗଙ୍ଗାବାଲି କିସମର ଧାନ ବିହନ ଚାଷ ହୋଇଥାଏ। କିନ୍ତୁ ଚଳିତବର୍ଷ ଚାଷୀଙ୍କ ନିକଟରେ ଖରିଫ୍ ଚାଷ ପାଇଁ ଆବଶ୍ୟକ ପରିମାଣର ଦେଶୀ ବିହନ ମହଜୁଦ୍ ନାହିଁ। ଫଳରେ ଚାଷୀମାନେ ସରକାରୀ ବିହନ ଉପରେ ନିର୍ଭରଶୀଳ ହେବ। କିନ୍ତୁ ଏଯାଏ ପର୍ଯାପ୍ତ ବିହନ ପହଞ୍ଚି ନଥିବାରୁ ସମସ୍ୟା ଦେଖାଦେଇଛି। ଗତବର୍ଷ କୃଷି ଜିଲ୍ଲା ପାଇଁ ୯୦୬୫ କ୍ବିଣ୍ଟାଲ୍ ବିହନ ଆଣିବା ନେଇ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ଜଳଭଣ୍ଡାର ଗୁଡ଼ିକରେ ପାଣି ମହଜୁଦ୍ ରହିଥିବା ବେଳେ ଠିକ୍ ସମୟରେ ମୌସୁମୀ ବର୍ଷା ହେଲେ ଚାଷକାର୍ଯ୍ୟ ଭଲ ହେବ ବୋଲି ଅନୁମାନ କରାଯାଉଛି।