ବ୍ରହ୍ମପୁର: ୨୦୨୨-୨୩ ଆର୍ଥିକ ବର୍ଷର ଖରିଫ୍ ଧାନକ୍ରୟ ପାଇଁ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହୋଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇ ସାରିଛି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ମୋଟ ୧ଲକ୍ଷ ୩୨ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପାଇଁ ଧାନକ୍ରୟ ଟାର୍ଗେଟ ଧାର୍ଯ୍ୟ ହୋଇ ନାହିଁ। ଧାନକ୍ରୟ ପାଇଁ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହେବ। ସେହି ବୈଠକରେ ଜିଲ୍ଲା ପାଇଁ ଧାନକ୍ରୟ ଟାର୍ଗେଟ ଧାର୍ଯ୍ୟ କରାଯିବ ବୋଲି ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଗତବର୍ଷ ବିଭିନ୍ନ କାରଣ ଯୋଗୁଁ ପ୍ରାୟ ୧୦ହଜାର ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଥିଲା। ଏହାକୁ ମିଶାଇ ଜିଲ୍ଲାରେ ପ୍ରାୟ ୨୫ହଜାର ଚାଷୀ ବିଭିନ୍ନ କାରଣରୁ ଧାନକ୍ରୟ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲେ। ଗତବର୍ଷ ପ୍ରାଶାସନିକ କଳ ପଞ୍ଚାୟତ ନିର୍ବାଚନରେ ମାତିଥିଲା। ନେତାମାନଙ୍କର ମଧ୍ୟ ଚାଷୀଙ୍କ ଦୁଃଖ ବୁଝିବାକୁ ସମୟ ନଥିଲା। ଫଳରେ ବହୁ ଚାଷୀ ଧାନ ବିକ୍ରି କରି ନପାରି ଦଲାଲ୍ଙ୍କ ଜାଲରେ ପଡ଼ି ଶୋଷଣର ଶିକାର ହୋଇଥିଲେ। ତେବେ ଚଳିତ ବର୍ଷ ଧାନକ୍ରୟ ପ୍ରକ୍ରିୟା ସୁରୁଖୁରୁରେ ସମାପ୍ତ କରିବା ପ୍ରଶାସନ ପାଇଁ ଏକ ପ୍ରକାର ଚାଲେଞ୍ଜ୍ ହୋଇଛି।
ଚଳିତ ଖରିଫ୍ ଋତୁରେ ଗଞ୍ଜାମ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ କରାଯାଇଛି। ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲା। ଜୁଲାଇରେ ସ୍ବାଭାବିକ ବର୍ଷା ହୋଇଥିଲା। ଏହାପରେ ଚାଷ କାର୍ଯ୍ୟ ଜୋର ଧରିଥିଲା। ଚଳିତ ବର୍ଷ ଭଲ ଚାଷ ହୋଇଛି। ଗଞ୍ଜାମ ଜିଲ୍ଲାରେ କିଛିଟା ବିଳମ୍ବରେ ଚାଷ ହେଉଥିବାରୁ ଡିସେମ୍ବର ମାସରେ ଧାନ ଅମଳ କରିଥାନ୍ତି ଚାଷୀ। ଜାନୁଆରିରୁ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗତ ୨୦୨୧-୨୨ରେ ଧାନ ବିକ୍ରି କରିବା ପାଇଁ ୧ଲକ୍ଷ ୨୨ହଜାର ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ଚଳିତ ବର୍ଷ ୧ଲକ୍ଷ ୩୨ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଚାଷୀଙ୍କ ଠାରୁ ମୋଟ ୪୨ଲକ୍ଷ ୫୭ହଜାର କ୍ବିଣ୍ଟାଲ୍ ଧାନକ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୦-୨୧ରେ ୪୫ଲକ୍ଷ ୪୩ହଜାର କ୍ବିଣ୍ଟାଲ୍ ଧାନକ୍ରୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଚଳିତ ବର୍ଷ ଖରିଫ୍ ଧାନକ୍ରୟ ଟାର୍ଗେଟ ଚୂଡ଼ାନ୍ତ ହୋଇ ନାହିଁ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ପ୍ରାୟ ୧୦ହଜାର ବୃଦ୍ଧି ପାଇଛି।