ପିଠା କାର୍ଯ୍ୟକ୍ରମରେ ନକ୍ସଲଙ୍କ ଉତ୍ପାତ

ସ୍ବାଭିମାନ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କୁ ଅଟକ ରଖି ମାରପିଟ୍

ମାଲକାନଗିରି/ଚିତ୍ରକୋଣ୍ଡା : ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ଯୋଜନା ସଂପର୍କରେ ବିସ୍ତୃତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ସାରା ରାଜ୍ୟରେ ପଞ୍ଚାୟତ ସ୍ତରରେ ଚାଲିଛି। କିନ୍ତୁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ନକ୍ସଲ ସିଧାସଳଖ ବିରୋଧ କରିଛନ୍ତି। ଏପରିକି କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଟ୍ଟଗୋଳ କରି ତୁରନ୍ତ ସ୍ଥାନ ଛାଡ଼ି ଚାଲି ଯିବାକୁ ସରକାରୀ କର୍ମଚାରୀଙ୍କୁ ଧମକ ଦେଇଥିବା ସୂଚନା ମିଳିଛି। ଯାହାକୁ ନେଇ ଉଭୟ ଅଞ୍ଚଳବାସୀ ଏବଂ ସରକାରୀ କର୍ମଚାରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିକାଶ ମୂଳକ କାମକୁ ନକ୍ସଲଙ୍କ ଏମିତି ବିରୋଧ ପରେ ବିଚ୍ଛିନ୍ନାଞ୍ଚଳର ଉନ୍ନତିକୁ ନେଇ ପୁଣି ସଂଶୟ ସୃଷ୍ଟି ହୋଇଛି।।

ଚିତ୍ରକୋଣ୍ଡା ବ୍ଲକ ରାଲଗେଡା ପଞ୍ଚାୟତ ଅନ୍ତର୍ଗତ ସାରକୁବନ୍ଧ ଠାରେ ପ୍ରଶାସନ ପକ୍ଷରୁ ପିଠା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାଁ ଭାଁ ବିଚ୍ଛିନ୍ନାଞ୍ଚଳକୁ ଯାଉଥିବା ସରକାରୀ କର୍ମଚାରୀ ଏହି ଯୋଜନା ପାଇଁ ଗାଁରେ ପହଞ୍ଚିଥିଲେ। ଲୋକେ ବି ଅତି ଆଗ୍ରହ ଦେଖାଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ୧୦ରୁ ୧୨ଜଣ ମିଲିସିଆ ପହଞ୍ଚି ଯାଇ ପାଟିତୁଣ୍ଡ କରିଥିଲେ। ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଧମକ ଦେଇଥିଲେ। ସରକାର ବିରୋଧୀ ସ୍ଲୋଗାନ ଦେଇ ସରକାରଙ୍କ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପିଇଓ ଏବଂ ସିଡିପିଓଙ୍କୁ କିଛି ସମୟ ଧରି ଅଟକ ରଖିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କିଛି ସରକାରୀ କର୍ମଚାରୀଙ୍କୁ ସେମାନେ ପିଟିଥିଲେ। ନକ୍ସଲଙ୍କ ପ୍ରୋରଚନାରେ ମିଲିସିଆ ଏହି କାଣ୍ଡ ଘଟାଇଥିଲେ। ଯାହାଫଳରେ ଆତଙ୍କର ବାତାବରଣ ଖେଳି ଯାଇଥିଲା। ସରକାରୀ କର୍ମଚାରୀଙ୍କ କଥା ଶୁଣି କାର୍ଯ୍ୟକ୍ରମକୁ ଆସିଥିବାରୁ ଆଗକୁ ନକ୍ସଲଙ୍କ ଟର୍ଗେଟ ହେବାର ସମ୍ଭାବନା ଥିବାରୁ ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇଯାଇଥିଲେ। ତେବେ ମିଲିସିଆମାନେ କୌଣସି ଗ୍ରାମବାସୀଙ୍କୁ କିଛି କହି ନଥିଲେ। ବରଂ ଗ୍ରାମବାସୀଙ୍କ ସମର୍ଥନ ହାସଲ ପାଇଁ ସମସ୍ତଙ୍କୁ ଇନ୍ଦିରା ଆବାସ, ଶିକ୍ଷା, ସ୍ବାସ୍ଥ୍ୟ, ଜମି ପଟ୍ଟା ଇତ୍ୟାଦି ପ୍ରଦାନ କରିବା ନିମନ୍ତେ ଦାବି କରିଥିଲେ।

ସମ୍ବନ୍ଧିତ ଖବର