କଟକ : ୨୦୦୩, ଜୁନ୍ ପ୍ରଥମ ସପ୍ତାହରେ ୪ ଦିନ ଧରି ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ଯୋଗୁଁ ଉପଭୋକ୍ତମାନେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ବିଚାରକୁ ନେଇ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ସବୁ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ କଟକ ରାଜାବଗିଚା ଲେବର କଲୋନିର ବରିଷ୍ଠ ନାଗରିକ ଗିରିଜା ପ୍ରସାଦ ତ୍ରିପାଠୀ ବିଦ୍ୟୁତ୍ ବିତରଣ କମ୍ପାନିର ସେବା ଅବହେଳା ଅଭିଯୋଗ କରି ଦାୟର କରିଥିବା ଅଭିଯୋଗ ଗ୍ରହଣୀୟ ବୋଲି କମିସନ ରାୟ ଦେଇଛନ୍ତି।
କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉପେଭାକ୍ତାଙ୍କୁ ଖୋଜି ବାହାର କରିବା ବଦଳରେ କମିସନଙ୍କ ଆଇନ ସହାୟତା ପାଣ୍ଠିକୁ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ୩ ଲକ୍ଷ କ୍ଷତିପୂରଣ ବାବଦରେ ପ୍ରଦାନ କରିବ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଉପଭୋକ୍ତାଙ୍କୁ ଆଇନ ସହାୟତା ପାଇଁ ବ୍ୟବହାର ହେବ। ଏଥି ସହିତ ୨୦୦୩ରୁ ଏହି ମାମଲା ଲଢ଼ି ଆସୁଥିବା ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଓ ୫୦ ହଜାର ଟଙ୍କା ମୋକଦ୍ଦମା ଖର୍ଚ୍ଚ ବାବଦରେ ପ୍ରଦାନ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନିକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ୪୫ ଦିନ ଭିତରେ କ୍ଷତିପୂରଣ ଓ ମୋକଦ୍ଦମା ଖର୍ଚ୍ଚ ବାବଦ ଅର୍ଥ ବିଦ୍ୟୁତ୍ ବିତରଣ କମ୍ପାନି ପ୍ରଦାନ କରିବ; ନଚେତ ଏହି ରାଶି ଉପରେ ବାର୍ଷିକ ୧୨ ପ୍ରତିଶତ ସୁଧ ପଇଠ କରିବାକୁ ପଡ଼ିବ ବୋଲି କମିସନ କହିଛନ୍ତି। ଘୂର୍ଣ୍ଣିଝଡ ଦୈବୀଦୁର୍ବିପାକ ହୋଇ ପାରେ କିନ୍ତୁ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ହୋଇଥିବା କ୍ଷତି ଓ ସ୍ବାଭାବିକ ସଂଯୋଗ ପୁନଃସ୍ଥାପନ ନ କରି ପାରିବା ପ୍ରସଂଗ ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ସେବାରେ ଅବହେଳା ବୋଲି କମିସନଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଏଠାେର ଉଲ୍ଲେଖ ଯୋଗ୍ୟ, ଘୂର୍ଣ୍ଣିଝଡ ଯୋଗୁଁ ଓଡ଼ଗାଁ ଓ ଶରଣକୂଳ ଭିତରେ ଥିବା ଦୁଇଟି ସ୍ଥାନରେ ୨୨୦ କେ.ଭି. ଟାୱାର ଭାଙ୍ଗି ଯାଇଥିଲା। ଫଳରେ ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ୨୦୦୩, ଜୁନ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିଲା। ଏହି ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖରା ଓ ଗରମ ଭିତରେ ପ୍ରାୟ ୨୫ ଲକ୍ଷ ଲୋକ ରହିଥିଲେ। ଭାଙ୍ଗିଯାଇଥିବା ସବୁ ଟାୱାରର ଭିତ୍ତିଭୂମି ସୁଦୃଢ଼ ପାଇଁ ପୂର୍ବରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ପରାମର୍ଶ ଦେଇଥିଲେ ମଧ୍ୟ ସେସ୍କା ଓ ଗ୍ରିଡ୍କୋ ଏଥି ପ୍ରତି ଧ୍ୟାନ ଦେଇ ନଥିଲେ। ଭୁବନେଶ୍ବରର ୟୁନିଟ-୧, ୬, ଫରେଷ୍ଟପାର୍କ, ଭୁବନେଶ୍ବର କ୍ଲବ ଓ ଅନ୍ୟ କେତେକ ଭିଆଇପି ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇ ନଥିଲା। ଏହି ସବୁ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ ଆବେଦନକାରୀ ଖାଉଟି କମିସନରେ ସେସୁକୁ ପକ୍ଷଭୁକ୍ତ କରି ୨୦୦୩ରେ ଏହି ମାମଲା ଦାୟର କରିଥିଲେ। ବିଗତ ୨୦ ବର୍ଷ ଭିତରେ ୪୪ ଥର ଏହି ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର କହ୍ନେୟାଲାଲ ଶର୍ମା ମାମଲା ପରିଚାଳନା କରୁଥିଲେ।