ଜୟପୁର: ଜିଲ୍ଲା ଦୌରାଜଜ୍ କୋର୍ଟ ନିକଟରେ ଥିବା ଜୟପୁର ବନଖଣ୍ଡର ପେନାଙ୍ଗୀ ସଂରକ୍ଷିତ ଜଙ୍ଗଲରେ ଜୟପୁର ପୌରପାଳିକା ପକ୍ଷରୁ ସଂପ୍ରତି ପ୍ରାକୃତିକ (ନେଚର) ପାର୍କର ନିର୍ମାଣ ସରିଲାଣି। କାମ ସରିବାର ୫ ମାସ ସରିଥିବା ବେଳେ ଏହାର ଲୋକାର୍ପଣ ପାଇଁ ଅପେକ୍ଷା।

Advertisment

ସୂଚନା ମୁତାବକ, ‌ଏହି ନେଚର(ପ୍ରାକୃତିକ) ପାର୍କ ପରିସରରେ ଚିରାଚରିତ ଭାବେ ଲାଗୁଥିବା ବୃକ୍ଷ ବଦଳରେ ଔଷଧୀୟ ବୃକ୍ଷ ସବୁ ଲଗାଯାଇଛି। ପାହାଡ ଉପର ଏବଂ ଚାରିପଟେ ତଳ ପର୍ଯ୍ୟନ୍ତ   ଚାଲିବା ପାଇଁ ୧.୪କିଲୋମିଟରର ପାଦ ଚଳା ରାସ୍ତା ତିଆରି କରାଯାଇଛି। ସହରର ଲୋକେ ସକାଳୁ ଓ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପରିଧି ୯.୮୯୪୫ହେକ୍ଟରରେ ଔଷଧୀୟ ଓ ପ୍ରାକୃତିକ ପରିବେଶରେ ବୁଲି ପାରିବେ। ଔଷଧୀୟ ଗଛ ଗୁଡିକର ପ୍ରାକୃତିକ ବାସ୍ନାରେ ନିଜକୁ ସୁସ୍ଥ ଅନୁଭବ କରିବେ। ଆବଶ୍ୟକ ଅନୁଯାୟୀ ଏହି ଗଛ ଗୁଡିକରୁ ଔଷଧୀୟ ସାମଗ୍ରୀ ବି ନେଇ ପାରିବେ। ଏଭଳି ଲକ୍ଷ୍ୟ ରଖି ପୌରପାଳିକା ପକ୍ଷରୁ ଏହି ପ୍ରାକୃତିକ ପାର୍କ  ଆରମ୍ଭ ‌କରାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଏହି ପାର୍କର ସମ୍ମୁଖ ଗେଟରେ କିଛି ମାତ୍ରାରେ ସିମେଣ୍ଟ ବ୍ୟବହାର କରାଯାଇ କିଛି ଜୀବଜନ୍ତୁର ମୂର୍ତ୍ତି କରାଯାଇଛି। ଏହାର ପରିଧି ମଧ୍ୟରେ କିଛି ସିମେଣ୍ଟର ଚୈକି ପକାଯାଇଛି। ପୁରା ଅଂଚଳକୁ ପ୍ରାକୃତିକ ରୁପ ଦେବା ପାଇଁ ପୁରା ପ୍ରୟାସ କରାଯାଇଛି। ସକାଳରୁ ସଂଧ୍ୟା ନଇଁବା ପର୍ଯ୍ୟନ୍ତ ଏହି ପାର୍କ ଖୋଲା ରହିବ। ସଂଧ୍ୟା ହେବା ମାତ୍ରାକେ ଏହାକୁ ବନ୍ଦ କରି ଦିଆଯିବ। ଏହା ପରିସରରେ ଲୋକେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଔଷଧୀୟ ସବୁଜ ପରିବେଶ ତଥା ମାଟିର ମହମହ ବାସ୍ନାରେ ସମୟ କାଟି ପାରିବା ଲକ୍ଷ୍ୟ ରଖିଛି ପୌରପାଳିକା।

ପୂର୍ବରୁ ଜୟପୁର ବନଖଣ୍ଡ ଅଧିନରେ ଥିବା ସମୟରେ ଏହି ସଂରକ୍ଷିତ ଜଙ୍ଗଲ ଅସାମାଜିକ ତତ୍ତ୍ବ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଥିଲା। ଏହା ସହ ସ୍ଥାନୀୟ ବସ୍ତିବାସିନ୍ଦା ମାନେ ଏଠାରୁ ଜାଳେଣୀ କାଠ ସଂଗ୍ରହ କରିବା ସହ ଶୌଚାଳୟରେ ପରିଣତ କରିଥିଲେ। ତେବେ ପାର୍କ ନିର୍ମାଣ ପ୍ରକ୍ରିୟା ଆରମ୍ଭ ପର ଠାରୁ ଯଦିଓ ଏହା ବନ୍ଦ ରହିଛି। ଅପରପକ୍ଷରେ କେହି ଜଗା ରଖା କରୁ ନଥିବାରୁ ଅବାଧରେ ବହୁ ଛୋଟ ବଡ ପିଲା, ପ୍ରେମୀ ଯୁଗଳ ଏହା ମଧ୍ୟକୁ ପଶୁଛନ୍ତି।   ତେବେ ପାର୍କ ସୀମାର ଚାରିପାର୍ଶ୍ବରେ ତାର ଜାଲି କିମ୍ବା ଅନ୍ୟ କିଛି ଦେଇ ଭିତରକୁ ଅବାଧ ପ୍ରବେଶ ରୋକିବା ଚେଷ୍ଟା କରାଯିବାର ବି ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ନିର୍ମାଣ କାମ ସରିଛି।  ଏହାର ଲୋକାର୍ପଣକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଏହାର ସୁରକ୍ଷା ବନବିଭାଗ ଓ ମହିଳା ସ୍ବୟଂ ସହାୟକ ଦଳ ଟିକେଟ କାଉଣ୍ଟର ସମ୍ଭାଳିବାର ଯୋଜନା ରହିଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।