ସାମାଜିକ ସୁରକ୍ଷା ପେନ୍‌ସନ୍ ସିଧାସଳଖ ଆକାଉଣ୍ଟ୍‌କୁ ଯିବ, ନଭେମ୍ବରରୁ ପର୍ଯ୍ୟାୟକ୍ରମେ ଲାଗୁ ହେବ

ଭୁବନେଶ୍ବର : ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ପେନ୍‌ସନ୍ ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯିବ। ଏ ନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଆଉ ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ସବୁ ସହରାଞ୍ଚଳ ଓ ବ୍ଲକ୍‌ ମୁଖ୍ୟାଳୟରେ ଲାଗୁ ହେବ। ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ବି ଲାଗୁ କରାଯିବ। ଏ ନେଇ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଓ ମଧୁବାବୁ ପେନ୍‌ସନ୍ ଯୋଜନାରେ ମିଳୁଥିବା ପେନ୍‌ସନ୍ ନଭେମ୍ବର ମାସରୁ ସମସ୍ତ ସହରାଞ୍ଚଳର ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯିବ। ଡିସେମ୍ବର ମାସରୁ ସବୁ ବ୍ଲକ୍‌ ମୁଖ୍ୟାଳୟରେ ଥିବା ପଞ୍ଚାୟତଗୁଡ଼ିକର ହିତାଧିକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯେହେତୁ ନଭେମ୍ବର ମାସର ପେନ୍‌ସନ୍ ସେହି ମାସର ୩୦ ତାରିଖ ପରେ ଯିବ ତେଣୁ ତାହା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟ୍‌, ଆଧାର ଲିଙ୍କ୍‌ ଓ ବ୍ୟାଙ୍କ କାଗଜପତ୍ରର ଡିଜିଟାଇଜେସନ୍ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଆକାଉଣ୍ଟ୍‌ ନାହିଁ, ସେମାନଙ୍କ ନୂଆ ଆକାଉଣ୍ଟ୍‌ ଖୋଲିବାକୁ କୁହାଯାଇଛି। ନଭେମ୍ବର ୧୫ ତାରିଖରେ ହିତାଧିକାରୀମାନେ ପେନ୍‌ସନ୍ ନେବାକୁ ପଞ୍ଚାୟତ ମୁଖ୍ୟାଳୟକୁ ଆସିବା ସମୟରେ ସେମାନଙ୍କୁ ବ୍ୟାଙ୍କ୍‌ ପାସ୍‌ବୁକ୍ ଓ ଆଧାର କାର୍ଡ ଆଣିବା ପାଇଁ କୁହାଯିବ। ସେଠାରେ ସେସବୁର ଜେରକ୍ସ କରିବାକୁ ବନ୍ଦୋବସ୍ତ କରିବା ପାଇଁ କୁହାଯାଇଛି। ସେହିଦିନ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ସେଠା‌କୁ ଡକାଯାଇ ହିତାଧିକାରୀମାନଙ୍କ ଆକାଉଣ୍ଟ୍‌ ଖୋଲାଯିବା ଓ ଅପ୍‌ଡେଟ୍‌ କରିବା ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ।

ନଭେମ୍ବର ୧୫ ସୁଦ୍ଧା ସବୁ ସହରାଞ୍ଚଳ ଓ ଡିସେମ୍ବର ୧୫ ତାରିଖ ସୁଦ୍ଧା ବ୍ଲକ୍‌ ମୁଖ୍ୟାଳୟ ପଞ୍ଚାୟତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ସମସ୍ତ ପଞ୍ଚାୟତରେ ୨୦୨୦ ଜାନୁଆରି ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ତେବେ ବ୍ୟାଙ୍କିଙ୍ଗ୍ ସୁବିଧା ନ ଥିବା ଗ୍ରାମାଞ୍ଚଳରେ ଯଦି ହିତାଧିକାରୀ ନଗଦ ଅର୍ଥ ନେବାକୁ ଚାହିଁବେ, ତେବେ ପଞ୍ଚାୟତରେ ପୂର୍ବ ପରି ତାହା ପ୍ରଦାନ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର