ହାଇକୋର୍ଟରେ ପେନସନ୍ ମାମଲା: ନିର୍ଦ୍ଦେଶ କାର୍ଯ୍ୟକାରୀ ନକଲେ ଡିଏଫ୍‌ଓଙ୍କ ଦରମା ବନ୍ଦ

କଟକ : ଅନ୍ତରୀଣ ନିର୍ଦ୍ଦେଶ ସତ୍ତ୍ବେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ ପାଇଁ ଝାରସୁଗୁଡ଼ା (କେନ୍ଦୁପତ୍ର) ଡିଭିଜନ୍ ଡିଏଫ୍‌ଓ ନିର୍ଦ୍ଦେଶ ଦେବା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଟ୍ରିବୁନାଲ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରା ନ ଯିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବା ଭଳି ବିଶୃଙ୍ଖଳିତ ମନୋଭାବ ସରକାରୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ  ଡିଏଫଓଙ୍କ ଏ ସଂପର୍କିତ ୨୦୨୦, ଡିସେମ୍ବର ୪ର ନିର୍ଦ୍ଦେଶ ଉପରେ ଅଗଷ୍ଟ ୯ ପର୍ଯ୍ୟନ୍ତ  ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ଆବେଦନକାରୀଙ୍କୁ ପେନସନ୍ ପ୍ରଦାନ ନେଇ ପୂର୍ବରୁ ପ୍ରଦାନ କରାଯାଇଥିବା ୨୦୧୫, ଜୁଲାଇ ୬ର ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି।

ପୂର୍ବ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀଙ୍କୁ ପେନସନ୍ ପ୍ରଦାନ କରାଯିବା ସହିତ ଏ ସଂପର୍କିତ କଂପ୍ଲାଏନ୍ସ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ହାଇକୋର୍ଟରେ ଦାଖଲ କରାଯିବ। ଯଦି ନିର୍ଦ୍ଦେଶ କାର୍ଯ୍ୟକାରୀ କରା ନ ଯାଏ ତେବେ ଡିଏଫଓଙ୍କୁ ଦରମା ଦିଆଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଡକ୍ଟର ଜଷ୍ଟିସ୍ ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଙ୍ଗଲ ଓ ପରିବେଶ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପଞ୍ଚାନନ ଆଚାର୍ଯ୍ୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ଭିଜିଲାନ୍ସ ମାମଲାରେ ଛନ୍ଦି ହେବା କାରଣରୁ ଆବେଦନକାରୀଙ୍କ ବିରୋଧରେ ବିଭଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଆବେଦନକାରୀ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ଙ୍କ ଦ୍ବାରସ୍ଥ ‌ହୋଇଥିଲେ। ୨୦୧୫, ଜୁଲାଇ ୬ରେ ସ୍ୟାଟ୍ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କୁ ପ୍ରୋଭିଜିନାଲ ପେନସନ୍ ପ୍ରଦାନ ପାଇଁ ସ୍ୟାଟ୍ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାମଲାର ଶୁଣାଣି ଘୁଞ୍ଚି ଚାଲିଥିବା ବେଳେ ସରକାର ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ କୌଣସି ଆବେଦନ ଦାଖଲ କରି ନଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଣଜିତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର