ପୂର୍ବ କାର୍ଯ୍ୟକାଳ ବିଚାରକୁ ନେଇ ସମବାୟ ସମିତି ନିରୀକ୍ଷକଙ୍କୁ ଅବସରକାଳୀନ ସୁବିଧା ଦେବାକୁ ନିର୍ଦେଶ

କଟକ : କୋ-ଅପରେଟିଭ ସୋସାଇଟି ଅଧିନରେ ଦୀର୍ଘ ବର୍ଷ କାର୍ଯ୍ୟ କରି ସରକାରଙ୍କ ଅଧିନରେ ସମବାୟ ସମିତି ନିରୀକ୍ଷକ ପଦବିରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସମୟରେ ସେମାନଙ୍କ ମୂଳ ଚାକିରି କାର୍ଯ୍ୟକାଳ ମଧ୍ୟ ବିଚାରକୁ ନିଆଯିବ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ସମିତି ନିରୀକ୍ଷକ ଭାବେ ଚାକିରି ପାଇଥିବା ଏଭଳି କର୍ମଚାରୀ ପୂର୍ବରୁ କୋ-ଅପରେଟିଭ୍‌ ସୋସାଇଟି ଅଧିନରେ କାର୍ଯ୍ୟ କରିଥିବା ଅବଧିକୁ ସରକାର ବିଚାରକୁ ନେଇ ଅବସରକାଳୀନ ସବୁଧା ସୁଯୋଗ ପ୍ରଦାନ କରିବେ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ.ଦଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ସତ୍ୟଜିତ ବେହେରା ତାଙ୍କ ସହାୟତା କରୁଥିଲେ। ସ୍ୟାଟଙ୍କ ଏପରି ରାୟ ପରେ ଶତାଧିକ ନିରୀକ୍ଷକ ଉପକୃତ ହେବେ।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ସୋସାଇଟି ଅଧିନରେ ଥିବା କୋଅପରେଟିଭ ଉନ୍ନୟନ ବ୍ୟାଙ୍କ ବିଭିନ୍ନ ଜିଲ୍ଲାରେ ଥିବାବେଳେ ଏହି ବ୍ୟାଙ୍କରେ ସଂପାଦକ, ସୁପରଭାଇଜର ଆଦି ନାନା ପଦବିରେ ଅନେକ ଲୋକ ୧୯୭୨ ମସିହାଠାରୁ କାର୍ଯ୍ୟ କରିଆସୁଥିଲେ। ୧୯୯୭, ଅକ୍ଟୋବର ୩ରେ ସରକାର କୋ-ଅପରେଟିଭ ଇନ୍ସପେକ୍ଟର(ସମବାୟ ସମିତି ନିରୀକ୍ଷକ) ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ପଦବିରେ ନିଯୁକ୍ତି ପାଇଁ ସୋସାଇଟି ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଦର୍ଶାଯାଇଥିଲା। କିଛି କର୍ମଚାରୀ ପରୀକ୍ଷା ଦେବା ପରେ ସମବାୟ ସମିତି ନିରୀକ୍ଷକ ପଦବିରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ମନୋନୀତ ହୋଇଥିବା କର୍ମଚାରୀଙ୍କୁ ନିରୀକ୍ଷକ ପଦବିରେ ନିଯୁକ୍ତି ପ୍ରଦାନ କରିଥିଲେ। ନୂତନ ନିଯୁକ୍ତି ସମୟରୁ ସେମାନଙ୍କ ଚାକିରି କାର୍ଯ୍ୟକାଳ ଆରମ୍ଭ ହୋଇଥିଲା ବୋଲି ଗ୍ରହଣ କରାଯାଇଥିଲା। ଏପରି ପରିସ୍ଥିତିରେ ଏହି ନିରୀକ୍ଷକଙ୍କ ପୂବର କାର୍ଯ୍ୟକାଳ ବିଚାରକୁ ନିଆଯାଇ ନଥିଲା। ଫଳରେ ଅବସର ସମୟରେ ସେମାନେ ପାଇବାକୁ ଥିବା ପ୍ରାପ୍ୟ, ପେନସନ୍‌ ଓ ଅନ୍ୟ ଦେୟ ପ୍ରଭାବିତ ହେବାର ସମ୍ଭାବନା ଦେଖା ଦେଇଥିଲା।

ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସମୟରେ ସେମାନଙ୍କ ପୂର୍ବ କାର୍ଯ୍ୟକାଳକୁ ଚାକିରି କାର୍ଯ୍ୟକାଳ ଭାବେ ଗଣନା କରିବାକୁ ପ୍ରାର୍ଥନା କରି ସାରଦା ପ୍ରସାଦ ରାଉତରାୟ, ଗଗନ ବିହାରୀ ରାଉତ, ସୁଧାଂଶୁ ନାୟକ, ବାଲୁଙ୍କେଶ୍ୱର ରାଉତ, ସୀତାରାମ ସେନାପତି ପ୍ରମୁଖ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର