ଭୁବନେଶ୍ବର : ଜରୁରୀକାଳୀନ ପରିସ୍ଥିତିର ବନ୍ଦୀମାନଙ୍କୁ ଉଚିତ ସମ୍ମାନ ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଜି ବିଧାନସଭାରେ ଦାବି କରିଛନ୍ତି। ସେମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ସାମିଲ୍ କରିବା ପାଇଁ ଚାଲିଥିବା ସରକାରୀ ପ୍ରକ୍ରିୟାକୁ ସେ ତୀବ୍ର ବିରୋଧ କରିଛନ୍ତି।

Advertisment

ବିଧାନସଭାର ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାୟକ କହିଲେ, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ଶାସନ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥି‌େଲ। ସେତେବେଳେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ‌ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା। ଏଥିରେ ବହୁ ଆନ୍ଦୋଳନକାରୀ ଓ ନେତା ଜେଲ୍‌ ଯାଇଥିଲେ। ସେମାନଙ୍କୁ ମିସା, ଡିଆଇଆର୍‌ ଓ ଡିଆଇଏସ୍‌ଆର୍ ଆଦି ଦଫାରେ ଗିରଫ କରାଯାଇଥିଲା। ମାସ ମାସ ଧରି ସେମାନଙ୍କୁ ଜେଲ୍‌ରେ ରହିବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ଅଣକଂଗ୍ରେସ ସରକାରମାନେ ଏହି ସଂଗ୍ରାମୀମାନଙ୍କୁ ସ୍ବାଧୀନତା ସଂଗ୍ରାମୀମାନଙ୍କ ସହ ସମକକ୍ଷ କରି ପେନ୍‌ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଓଡ଼ିଶାରେ ଗୃହ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇ ବିଭିନ୍ନ ଜେଲ୍‌କୁ ବନ୍ଦୀମାନଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଯେତିକି ତଥ୍ୟ ଆସିଲା, ତାହାକୁ ଭିତ୍ତି କରି ସରକାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ବନ୍ଦୀମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଭର୍ତ୍ତି କରିବା ପାଇଁ ପ୍ରକ୍ରିୟା ଚାଲିଛି। ସଂଗ୍ରାମୀମାନଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ମିଳିବ। ସରକାରଙ୍କର ସଂଗ୍ରାମୀମାନଙ୍କୁ ସମ୍ମାନ ଦେଲେ ନା ଅପମାନ ଦେବାକୁ ବ୍ୟବସ୍ଥା କଲେ ? ଏହି ବନ୍ଦୀମାନଙ୍କ ଭିତରେ ବିଜୁ ପଟ୍ଟନାୟକ, ବିଶ୍ବଭୂଷଣ ହରିଚନ୍ଦନଙ୍କ ପରି ବ୍ୟକ୍ତିତ୍ବ ବି ଥିଲେ। ‌ ଶାସକ ଦଳ ସଭ୍ୟ ଅମର ଶତପଥୀ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ, ଭାରତ ଛାଡ଼ ଆନ୍ଦୋଳନର ବନ୍ଦୀମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ସେହି ସଂଗ୍ରାମୀମାନଙ୍କୁ ସରକାର ନିଶ୍ଚିତ ଉଚିତ ସମ୍ମାନ ଜଣାଇବେ।