ସର୍ଭର ଅଚଳ, ମିଳିନି ଦରମା : ୩.୫ ଲକ୍ଷ ପେନ୍‌ସନଭୋଗୀ, ୪.୫ ଲକ୍ଷ ସରକାରୀ କର୍ମଚାରୀ ମାର୍ଚ ମାସ ଦରମାରୁ ବଞ୍ଚିତ

ଭୁବନେଶ୍ୱର : ଆଜି ଏପ୍ରିଲ ମାସର ୧୫ ତାରିଖ। କିନ୍ତୁ ଏଯାଏଁ ମାର୍ଚ ମାସର ଦରମା ମିଳିନି। ରାଜ୍ୟର ପ୍ରାୟ ୪.୫ ଲକ୍ଷ ସରକାରୀ କର୍ମଚାରୀ, ପ୍ରାୟ ୩.୫ ଲକ୍ଷ ପେନ୍‌ସନଭୋଗୀ ଦରମା ଏବଂ ପେନ୍‌ସନ ପାଇବାରୁ ବଞ୍ଚିତ।

ସାଧାରଣତଃ ମାସର ଶେଷ ତାରିଖ ବେଳକୁ ସରକାରୀ କର୍ମଚାରୀ, ପେନ୍‌ସନଭୋଗୀଙ୍କୁ ମାସକର ଦରମା ମିଳିଥାଏ। ଦରମା ତାରିଖ ଅତି ବେଶିରେ ପରବର୍ତୀ ମାସର ପ୍ରଥମ ସପ୍ତାହକୁ ଗଡ଼ିଯାଇଥାଏ। ଏଥର ମାତ୍ରାଧିକ ବିଳମ୍ବ ହୋଇଛି। ଏହାର କାରଣ ସଂପର୍କରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ବିଜୁଳି, ଘଡ଼ଘଡ଼ି ମାରିବା ଯୋଗୁଁ ଏଚ୍‌ଆରଏମ୍‌ଏସ୍‌ ଥିବା ସର୍ଭରଟି ଜଳିଯାଇଥିଲା। ଏହି ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଦରମା ସମ୍ବନ୍ଧୀୟ ଡାଟାବେସ୍‌ ରହିଥିଲା। ସେହି ଡାଟାବେସ୍‌ରୁ ତଥ୍ୟ ଟ୍ରେଜେରିକୁ ଗଲେ, କର୍ମଚାରୀଙ୍କୁ ଅନ୍‌ଲାଇନ ଯୋଗେ ଦରମା ମିଳିଥାଏ। ସର୍ଭର ଜଳିଯିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ମନ୍ତ୍ରୀଙ୍କ ବକ୍ତବ୍ୟରୁ ଧାରଣା ସୃଷ୍ଟି ହୋଇଛି। ଏ ପଟେ ଏଚ୍‌ଆରଏମ୍‌ଏସ୍‌ ସଫ୍ଟେଓ୍ଵରରେ ବୈଷୟିକ ତ୍ରୁଟି ଦେଖାଦେବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅର୍ଥ ବିଭାଗ ସୂତ୍ରରୁ ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଏଚ୍‌ଆରଏମ୍‌ଏସରୁ ଅନ୍‌ଲାଇନ ଯୋଗେ ତଥ୍ୟ ଆସିବା ପରେ ଦରମା ମିଳିଥାଏ। ମାନୁଆଲ୍‌ ବ୍ୟବସ୍ଥା ଆପାତତଃ ନାହିଁ। ଏଣୁ, ବୈଷୟିକ ତ୍ରୁଟି ସୁଧାରିବାକୁ ସମୟ ଲାଗୁଥିବାରୁ ଦରମା ମିଳିବାରେ ଏଥର ବିଳମ୍ବ ହେଉଛି।

ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ମାର୍ଚ ମାସ ଶେଷ ଆଡ଼କୁ ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ବକେୟା ଦରମା କର୍ମଚାରୀମାନଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଦରମା ପାଇଁ ସେତେଟା ଉଦ୍‌ବେଗ ନାହିଁ। ଏହାର ସୁଯୋଗରେ ଏଚ୍‌ଆରଏମ୍‌ଏସ୍‌ ଡାଟାବେସ୍‌ରେ କର୍ମଚାରୀଙ୍କ ସଂଖ୍ୟା, ବିଭାଗ, ଦରମା ଆଦି ବିଭିନ୍ନ ତଥ୍ୟାବଳୀକୁ ଅଦ୍ୟତନ ବା ଅପ୍‌ଡେଟ୍‌ କରାଯାଉଛି। ଫଳରେ ଆଗାମୀ ଦିନରେ ଦରମା ପ୍ରଦାନରେ କୌଣସି ସମସ୍ୟା ଉପୁଜିବ ନାହିଁ। ଏକାଥରକେ ଦରମା ଦେଇହେବ। ସରକାରଙ୍କ ଅଧୀନରେ କେତେସଂଖ୍ୟକ କର୍ମଚାରୀ କେଉଁ ବିଭାଗରେ ଅଛନ୍ତି ସେ ନେଇ ନିର୍ଭୁଲ ତଥ୍ୟ ଉପଲବ୍ଧ ହେବ ବୋଲି ସେ କହିଛନ୍ତିି।

ଏଚ୍‌ଆରଏମ୍‌ଏସ୍‌ ସାଧାରଣ ପ୍ରଶାସନ ବିଭାଗ ପରିଚାଳନା କରିଥାଏ। ଏଥରକ ଦରମା ପ୍ରଦାନରେ ବିଳମ୍ବ ହୋଇଥିବା ନେଇ ବିଭାଗୀୟ ପ୍ରମୁଖ ସଚିବ ଅଶୋକ କୁମାର ମୀନା ‘ସମ୍ବାଦ’କୁ କହିିଲେ, ପ୍ରତିବର୍ଷ ମାର୍ଚ ମାସର ଦରମା ଏପ୍ରିଲ ମାସର ପ୍ରଥମ ସପ୍ତାହରେ ମିଳିଥାଏ। ଏଥର ଅଧିକ ବିଳମ୍ବ ହୋଇଛି। କିଛି ଦିନ ତଳେ ବିଜୁଳି, ଘଡ଼ଘଡ଼ି ଯୋଗୁଁ ଏଚ୍‌ଆରଏମ୍‌ଏସ୍‌ ଡାଟାବେସ୍‌ ସର୍ଭର ଡାଉନ ରହିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ଏହି ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ସଂପନ୍ନ ହୋଇଛି। ଏଣୁ, ଆଗାମୀ ସପ୍ତାହର ଯେ କୌଣସି ତାରିଖରେ ଦରମା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ବିଭିନ୍ନ ବିଭାଗ ସହିତ ଏଚ୍‌ଆରଏମ୍‌ଏସ୍‌ ଡାଟାବେସ୍‌ର ଅଦ୍ୟତନ କରାଯାଇଥିବାରୁ ଏଣିକି ଆଉ ସମସ୍ୟା ଉପୁଜିବାର ସମ୍ଭାବନା ପ୍ରାୟତଃ ନାହିଁ ବୋଲି ଶ୍ରୀ ମୀନା କହିଛନ୍ତିି।

ସମ୍ବନ୍ଧିତ ଖବର