ଭୁବନେଶ୍ୱର : ହାଇକୋର୍ଟ, ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବିଭିନ୍ନ କାଗଜାତ୍ ଦାଖଲ କରିବାରେ ଅତ୍ୟଧିକ ବିଳମ୍ବ କରୁଛନ୍ତି। ଏହାର ପରିଣତି ସ୍ୱରୂପ ବିଭିନ୍ନ ସମୟରେ ଅଦାଲତ ଏକପାଖିଆ ରାୟ ଦେଉଛନ୍ତି। ସେହିପରି ଅଦାଲତଙ୍କ ନିିର୍ଦେଶନାମା କାର୍ଯ୍ୟକାରୀ କରିବାରେ ଅହେତକୁ ବିଳମ୍ବ ହେଉଛି। ଫଳରେ ଅଦାଲତ ଅବମାନନା ମାମଲା ହୋଇ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଛି।
ଏ ନେଇ କ୍ଷୋଭପ୍ରକାଶ କରି ଆଜି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ବିଭାଗୀୟ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ ସବୁ ବିଭାଗ ମୁଖ୍ୟଙ୍କୁ ତାଗିଦ୍ କରିଛନ୍ତିି। ବିଭାଗଗୁଡ଼ିକ ପକ୍ଷରୁ ଆବଶ୍ୟକ କାଗଜାତ୍ ଦାଖଲରେ ବିଳମ୍ବ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଳମ୍ବ ଅବଧି ପାଇଁ ବିଭାଗର ସଂପୃକ୍ତ କର୍ମଚାରୀଙ୍କଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବ ପଦବିଧାରୀଙ୍କ ଗ୍ରାଚ୍ୟୁଇଟି ସମେତ ପେନ୍ସନ୍ ସୁବିଧା ବନ୍ଦ କରାଯିବ। ଆଜି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ବିଭାଗକୁ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ଉଲ୍ଲେଖ କରିଛନ୍ତିି। ଯେ କୌଣସିମତେ ବିଳମ୍ବକୁ ପ୍ରଶୟ ଦିଆଯିବ ନାହିଁ ସେ କହିଛନ୍ତି।
ଶ୍ରୀ ପାଣ୍ଡେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଅନେକ ସମୟରେ ହାଇକୋର୍ଟ କି ସୁପ୍ରିମ୍ କୋର୍ଟଙ୍କ ନିିକଟରେ ବିଭିନ୍ନ ମାମଲା ଦାଏର କରାଯିବା ବେଳେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିିକ ବିଭାଗ ପକ୍ଷରୁ ସେସବୁ ବାବଦରେ କାଉଣ୍ଟର ଆପିଡେଭିଟ୍, ଅନୁଚ୍ଛେଦଓ୍ଵାରୀ ଟିପ୍ପଣୀ(ପାରାଓ୍ଵାଇଜ୍ କମେଣ୍ଟ), ସ୍ପେଶାଲ୍ ଲିଭ୍ ପିଟିସନ୍ ତଥା ଅନ୍ୟାନ୍ୟ ଆବଶ୍ୟକ କାଗଜାତ୍ ଇତ୍ୟାଦି ଦାଖଲ କରିବାରେ ଅହେତୁକ ବିଳମ୍ବ ଲକ୍ଷ୍ୟ କରାଯାଉଛି। ଏହି ବିଳମ୍ବ ଯୋଗୁଁ ମାମଲାର ସାମର୍ଥ୍ୟ ପରୀକ୍ଷା ହୋଇପାରୁନାହିଁ। ଅତ୍ୟଧିକ ବିଳମ୍ବ ହେତୁ ଅଦାଲତ ଏକପାଖିଆ ରାୟ ଦେଉଛନ୍ତି । ସେହିପରି ବିଳମ୍ବ କାରଣରୁ ଅଦାଲତ ଅବମାନନା କ୍ରମେ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଛି। ଏସବୁ ଅର୍ଥ ବିଭାଗ ଉପରେ ଚାପ ବୃଦ୍ଧିି କରୁଛି। ସିଏଜି ମଧ୍ୟ ତାଙ୍କ ଅଡ଼ିଟ୍ ରିପୋର୍ଟରେ ସରକାରଙ୍କ ଗୋଟିଏ ବିଭାଗରେ ୨୪୩ଟି ମାମଲାରୁ ୨୩୯ଟି ମାମଲାରେ କାଉଣ୍ଟର ଆଫିଡାଭିିଟ୍ ପ୍ରଦାନ କରାଯାଇନଥିବାରୁ ଏକତରଫା ରାୟ ପ୍ରଦାନ କରାଯାଇଥିବା ଦର୍ଶାଇଛନ୍ତି।
ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ କହିବାନୁସାରେ ସୁପ୍ରିମ୍ କୋର୍ଟ ଗତ ଜୁଲାଇ ୨୧ ତାରିଖରେ ଓଡ଼ିଶା ସରକାର ବନାମ ଅକ୍ଷୟ କୁମାର ମଲ୍ଲିକ ମାମଲାରେ ରାୟ ପ୍ରଦାନ କରି ଓଡ଼ିଶା ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ କୋର୍ଟ ତାଙ୍କ ରାୟରେ କହିଛନ୍ତି କି ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ପାଖରୁ କାଉଣ୍ଟର ଆଫିଡେଭିଟ୍, ସ୍ପେସାଲ୍ ଲିଭ୍ ପିଟିସନ୍ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କାଗଜାତ୍ ଇତ୍ୟାଦି ଦାଖଲରେ ଅତ୍ୟଧିକ ବିଳମ୍ବ ହେଉଛି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଅଥବା ସୁପ୍ରିମ କୋର୍ଟରେ ବିଭିନ୍ନ ସମୟରେ ଆଗତ ମାମଲାଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶାସନିିକ ବିଭାଗ ସମସ୍ତ ଆବଶ୍ୟକ କାଗଜାତ୍ ଠିକ୍ ସମୟରେ ଦାଖଲ କରିବାକୁ ଅର୍ଥ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି। ଅନ୍ଲାଇନ୍ ମାମଲା ପରିଚାଳନା ବ୍ୟବସ୍ଥା(ଏଲ୍ଏମ୍ଏସ୍) ଜରିଆରେ ସବୁ ବିଭାଗ ଓ ସରକାରୀ କାର୍ଯ୍ୟାଳୟ ସମସ୍ତ ବିଚାରାଧୀନ, ଫଇସଲା ହୋଇଥିବା ଏବଂ ନୂଆ ମାମଲାଗୁଡ଼ିକର ତଦାରଖ ଓ ପରିଚାଳନା ସୁବିଧା ଉପଯୋଗ କରିବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/pension.jpg)