ନୂଆଗାଁ ବ୍ଲକ୍ରେ ଭତ୍ତା ଦୁର୍ନୀତି : କେଉଁଠି ଭେଣ୍ତିଆ ପାଉଛନ୍ତି ତ ଆଉ କେଉଁଠି ମଲା ଲୋକଙ୍କ ନାଁରେ ହେଉଛି ଟଙ୍କା ହଡ଼ପ
ନୂଆଗାଁ : ନୂଆଗାଁ ବ୍ଲକ୍ରେ ଭତ୍ତା ଦୁର୍ନୀତିର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। କେଉଁଠି ଭେଣ୍ତିଆ ପାଉଛନ୍ତି ତ ଆଉ କେଉଁଠି ମଲା ଲୋକଙ୍କ ନାଁରେ ଟଙ୍କା ହଡ଼ପ ହୋଇଛି। ଆଉ ଏବେ ଦିବ୍ୟାଙ୍ଗ ସାଜି ଭତ୍ତା ଟଙ୍କାକୁ ହାତେଇବାରେ ଲାଗିଛନ୍ତି। ଏହି ଦୁର୍ନୀତି କେବଳ ଗୋଟିଏ ପଞ୍ଚାୟତରେ ହୋଇଛି ତାହା ନୁହେଁ ପ୍ରତି ପଞ୍ଚାୟତରେ ଏଭଳି ଘୋଟାଲା ହୋଇଥିବା ନଜରକୁ ଆସିଛି। ଏହା ପଛରେ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲକ୍ର ଢେଙ୍କଣା ପଞ୍ଚାୟତକୁ ଅନୁଧ୍ୟାନ କଲେ, ମୋଟ ୫ ଶହ ୩୩ ଜଣଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଥିଲା। ମଧୁବାବୁ ସିନିୟର ପେନସନ ଯୋଜନାରେ ୫୭ ଜଣ, ମଧୁବାବୁ ପେନସନ ବାର୍ଦ୍ଧକ୍ୟ ଭତ୍ତା ୨ ଶହ ୪୬, ମଧୁବାବୁ ଭିନ୍ନକ୍ଷମ ଭତ୍ତା ୪୫ ଏବଂ ମଧୁବାବୁ ସଂପୂର୍ଣ୍ଣ ଭିନ୍ନକ୍ଷମ ଯୋଜନାରେ ୫୩ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବରିଷ୍ଠ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୨୩ ଜଣ, ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ୫୪, ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ୩୫ ଏବଂ ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ଭତ୍ତା ୨୦ ଜଣଙ୍କୁ ଦିଆଯାଉଛି। ଏବେ ଢେଙ୍କଣା ପଞ୍ଚାୟତକୁ ୨୯ ଜଣ ଦିବ୍ୟାଙ୍ଗ ଥିବା ଦର୍ଶାଇ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ସମସ୍ତ ଦିବ୍ୟାଙ୍ଗ ଗତ ଜୁଲାଇ ମାସରୁ ସେପ୍ଟେମ୍ବର ୩ ମାସରେ ଜଣକା ୨୧ ଶହ ଟଙ୍କା ଲେଖାଏଁ ନେଇ ସାରିଛନ୍ତି।
ବଡ଼ କଥା ହେଉଛି, ପଞ୍ଚାୟତକୁ ମୋଟ ୨୯ ଜଣ ଦିବ୍ୟାଙ୍ଗ ପାଇଁ ପେନସନ ମଂଜୁରୀ ହୋଇଥିଲା ବେଳେ ବଳଭଦ୍ରପୁର ଗ୍ରାମର ଏକକାଳୀନ ୨୦ ଜଣ ଏହି ତାଲିକାରେ ରହିଛନ୍ତି। ତେବେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବାକୁ ୫ ରୁ ୭ ହଜାର ଟଙ୍କା ଲେଖାଏଁ କାରବାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଢେଙ୍କଣା ପଞ୍ଚାୟତ ନୁହେଁ ମାଳିସାହି, ବଡ଼ଗୋଠ, ଗୁମୀ, ଉଦୟପୁର, ମାଈଛେଳି ଆଦି ପଞ୍ଚାୟତରେ ଅଧିକାଂଶ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରି ଭତ୍ତା ପାଉଛନ୍ତି। ଏହା ପଛରେ ଏକ ବଡ଼ ଧରଣର ରାକେଟ କାମ କରୁଥିବା ଜଣାପଡ଼ିଛି। ତେବେ ଦିବ୍ୟାଙ୍ଗମାନଙ୍କୁ ଅର୍ଥ ଲାଳସାରେ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିବା କିଛି ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି। ଏହାର ଖୋଳତାଡ଼ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।