ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ ଭତ୍ତା ଉପରେ ନିର୍ଭରଶୀଳ ୫୯ ହଜାର ଲୋକ

ମଧୁବାବୁ ପେନ୍‌ସନ ଯୋଜନାରେ ଜିଲ୍ଲା ଖଣିଜ ପାଣ୍ଠିରୁ ୫.୮୭ କୋଟି ମଞ୍ଜୁର

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲାରେ ମୁଣ୍ଡପିଛା ଆୟ ସର୍ବାଗ୍ରେ ଥିବା ବେଳେ ଏଠାରେ ଦାରିଦ୍ରତା ମଧ୍ୟ ସେହି ଅନୁପାତରେ ବୃଦ୍ଧି ଘଟୁଥିବା ସରକାରୀ ଭତ୍ତାକୁ ତୁଳନା କଲେ ଜଣାପଡ଼ୁଛି। ଏବେ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକାର ଭତ୍ତା ଯୋଜନାରେ ସାମିଲ ଅଛନ୍ତି ମୋଟ ୫୯ ହଜାର ୩୮୦ ଲୋକ। ୨୦୧୧ ମସିହାରେ ଜିଲ୍ଲାର ଜନସଂଖ୍ୟା ୫ ଲକ୍ଷ ୮୦ ହଜାରକୁ ଯଦି ହିସାବକୁ ନିଆଯାଏ ତେବେ ୧୦.୨୩ ପ୍ରତିଶତ ଲୋକ ଭତ୍ତା ଉପରେ ନିର୍ଭର କରୁଥିବା ଜଣାଯାଉଛି। ଜିଲ୍ଲାରେ ହୁହୁ ହୋଇ ଶିଳ୍ପ କାରଖାନା ବୃଦ୍ଧି ପାଇଥିବା ବେଳେ ଏବେ ସେଥିରୁ ବହୁ ଶିଳ୍ପ ବନ୍ଦ ହୋଇ ଯାଇଛି। ଜିଲ୍ଲାରେ ଚାଷ ଜମି ମଧ୍ୟ ଦିନକୁ ଦିନ କମିକମି ଯାଉଛି। ତେବେ ଚାଲୁଥିବା ହାତ ଗଣତି ଶିଳ୍ପ କାରଖାନାରେ ସ୍ଥାନୀୟ ଲୋକ ଅପେକ୍ଷା ଅନ୍ୟ ରାଜ୍ୟର ଲୋକ ବେଶୀ ମାତ୍ରାରେ ନିଯୁକ୍ତ ଅଛନ୍ତି। କୋଇଲା ଖଣି ଅଞ୍ଚଳରେ ମଧ୍ୟ ସେହି ସମାନ ପରିସ୍ଥିତି। ଖଣି ଅଞ୍ଚଳରେ ମଧ୍ୟ ବାହାର ରାଜ୍ୟର ଲୋକ ବହୁ ସଂଖ୍ୟାରେ ନିଯୁକ୍ତ ଅଛନ୍ତି। ସ୍ଥାନୀୟ ଲୋକ ନିଯୁକ୍ତି ପାଉନଥିବାରୁ ଗତ ବିଧାନସଭାରେ ସରକାରୀ ଦଳର ବିଧାୟକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବାକୁ ପଛେଇ ନଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ସ୍ଥାନୀୟ ଲୋକ ଶିଳ୍ପ ଓ ଖଣିରେ ଯେତିକି ଲାଭବାନ ହେବା କଥା ହୋଇ ନାହାନ୍ତି। ସହରାଞ୍ଚଳ ଅବସ୍ଥା ମଧ୍ୟ ସମାନ ଏଠାରେ ସ୍ଥାନୀୟ ବ୍ୟବସାୟୀ ଅପେକ୍ଷା ବାହାର ବ୍ୟବସାୟୀ ବଜାର ନିୟନ୍ତ୍ରଣ କରୁଛନ୍ତି। ବାହାରୁ ଆସୁଥିବା ବଡ଼ ବଡ଼ ବ୍ୟବସାୟୀଙ୍କ ବଡ଼ ପୁଞ୍ଜି ଲଗାଣ ଆଗେରେ ସ୍ଥାନୀୟ ଛୋଟ ବ୍ୟବସାୟୀ ପ୍ରତିଯୋଗିତା କରିବା ସ୍ଥିତିରେ ନାହିଁ। ଫଳସ୍ବରୂପ ଜିଲ୍ଲାରେ ବେକାରୀ ଓ ଦ୍ରାରିଦ୍ରତା ବଢ଼ିବାରେ ଲାଗିଛି।

ଏବେ ମଧ୍ୟ ଜିଲ୍ଲାର ବିଭିନ୍ନ ବ୍ଲକର ଏହି ହଜାର ହଜାର ଲୋକ ସରକାରୀ ଭତ୍ତା ଉପରେ ନିର୍ଭରଶୀଳ ବୋଲି ଜଣାପଡ଼ିଛି। ଲୋକଙ୍କ ଅବଶ୍ୟକତାକୁ ଦେଖି ସରକାର ଜିଲ୍ଲାରେ ମୋଟ ୫୯ ହଜାର ୯୬୧ ଜଣ ଲୋକଙ୍କୁ ଭତ୍ତା ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଏଥି ମଧ୍ୟରୁ ଏବେ ୫୯ ହଜାର ୩୮୦ ଜଣ ହିତାଧିକାରୀ ଭତ୍ତା ପାଉଥିବା ସରକାରୀ ରିପୋର୍ଟ କହୁଛି। ଜିଲ୍ଲାର ମୋଟ ୫ ଗୋଟି ବ୍ଲକ ଓ ୩ ଗୋଟି ସହରାଞ୍ଚଳରେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ମୋଟ ୧୬ ହଜାର ୭୦୯ ଜଣ ହିତାଧିକାରୀଙ୍କୁ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୬ ହଜାର ୪୭୫ ଜଣ ହିତାଧିକାରୀ ଏହି ଭତ୍ତା ପାଉଛନ୍ତି। ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନାରେ ୪ ହଜାର ୬୮୦ ହିତାଧିକାରୀଙ୍କୁ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪ ହଜାର ୬୭୯ ଜଣ ହିତାଧିକାରୀଙ୍କୁ ଦିଆଯାଉଛି। ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନାରେ ମୋଟ ୧୦୫୦ ଜଣଙ୍କୁ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୭୦୪ ଜଣଙ୍କୁ ପ୍ରଦାନ କରାଯାଉଛି। ରାଜ୍ୟ ସରାକରଙ୍କ ଦ୍ବାରା ଦିଆଯାଉଥିବା ମଧୁବାବୁ ପେନ୍‌ସନ ଯୋଜନାରେ ୩୭ ହଜାର ୫୨୨ ଜଣ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇ ସମସ୍ତଙ୍କୁ ଏହି ଭତ୍ତା ପ୍ରଦାନ କରାଯାଉଛି। ତେବେ ମଧୁବାବୁ ପେନ୍ସନ ଯୋଜନାରେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରାଯାଉଥିବା ଜଣାଯାଇଛି।

ଏହି ଯୋଜନାରେ ଜିଲ୍ଲା ଖଣିଜ ପାଣ୍ଠିରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫ କୋଟି ୮୭ ଲକ୍ଷ ୯୬ ହଜାର ୪ ଶହ ଟଙ୍କା ମଞ୍ଜୁର କରାଯାଇଛି। ମଞ୍ଜୁର ଅର୍ଥ ମଧ୍ୟରୁ ଏ ପର୍ଯ୍ୟନ୍ତ ୨ କୋଟି ୯୩ ଲକ୍ଷ ୯୮ ହଜାର ୨ ଶହ ଟଙ୍କା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରଦାନ କରାଯାଇଥିବା ବେଳେ ୭୧ ଲକ୍ଷ ୩୯ ହଜାର ୨ ଶହ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ଜଣାଯାଇଛି।

ଜିଲ୍ଲାର ଝାରସୁଗୁଡ଼ା ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୨୦ ହଜାର ୫୩ ଜଣ, ବିଧବା ଭତ୍ତା ଯୋଜନାରେ ୭୦୭ ଜଣ, ଭିନ୍ନକ୍ଷମ ଭତ୍ତା ଯୋଜନାରେ ୮୦ ଜଣ ଓ ମଧୂବାବୁ ପେନ୍ସନରେ ୪ହଜାର ୫୪୫ ଜଣ ପାଉଥିବା ବେଳେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ବାର୍ଦ୍ଧକ୍ୟ ଭତ୍ତା ୭୯୧, ବିଧବା ୨୫୬, ଭିନ୍ନକ୍ଷମ ୧୭ ଓ ମଧୂବାବୁ ୪ ହଜାର ୯୬୯ ଜଣଙ୍କୁ ପ୍ରଦାନ କରାଯାଉଛି। ସେହପରି କର୍ମିରା ବ୍ଲକରେ ବାର୍ଦ୍ଧକ୍ୟ ୧୭୦୯, ବିଧବା ୪୯୦, ଭିନ୍ନକ୍ଷମ ୧୧୯ , କୋଲାବିରା ବ୍ଲକରେ ବାର୍ଦ୍ଧକ୍ୟ ୨୩୭୯, ବିଧବା ୫୯୩, ଭିନ୍ନକ୍ଷମ ୧୩୦ ଓ ମଧୂବାବୁ ୪୯୦୯, ଲଖନପୁର ବ୍ଲକରେ ବାର୍ଦ୍ଧକ୍ୟ ୫୬୨୮, ବିଧବା ୧୪୨୩, ଭିନ୍ନକ୍ଷମ ୨୧୩ ଓ ମଧୂବାବୁ ୬୮୪୬ ଜଣଙ୍କୁ ପ୍ରଦାନ କରାଯାଉଛି। ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ବାର୍ଦ୍ଧକ୍ୟ ଭତ୍ତା ୯୧୯, ବିଧବା ଭତ୍ତା ୪୧୦, ଭିନ୍ନକ୍ଷମ ଭତ୍ତା ୨୫ ଓ ମଧୂବାବୁ ପେନ୍ସନ ୪୩୦୫ ଜଣ। ବେଲପାହାଡ଼ ମ୍ୟୁନିସିପାଲିଟି ଅଞ୍ଚଳରେ ବାର୍ଦ୍ଧକ୍ୟ ଭତ୍ତା ୯୧୯, ବିଧାବା ଭତ୍ତା ୨୨୧, ଭିନ୍ନକ୍ଷମ ଭତ୍ତା ୧୦ ଓ ମଧୂବାବୁ ପେନ୍ସନରେ ୨୨୩୫ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ସରାକରୀ ରିପୋର୍ଟରେ ପ୍ରକାଶ ପାଇଛି। ଏହା ବାହାରେ ଆହୁରି ହଜାର ହଜାର ଲୋକ ଭତ୍ତା ଆଶାରେ ପ୍ରତି ଦିନ ବିଭିନ୍ନ ଦପ୍ତରକୁ ଦୌଡ଼ୁଥିବା ଦେଖା ଯାଉଛି।

ସମ୍ବନ୍ଧିତ ଖବର