ମଦନପୁର ରାମପୁର ବ୍ଳକରେ ଯୋଗ୍ୟ ହିତାଧିକାରୀ ବି ଅଯୋଗ୍ୟ; କାହା ସ୍ୱାର୍ଥରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା

ଭବାନୀପାଟଣା : ଗରିବ ସୀମା ରେଖା ତଳେ ଥିବା ପରିବାରଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରିବା ସହ ଗରିବଙ୍କ ସ୍ୱାର୍ଥ ସାଧନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟରେ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀମାନେ ଉକ୍ତ ଯୋଜନାରୁ ବଂଚିତ ହେଉଛନ୍ତି । ବୟସର ଅପରାହ୍ନରେ ସରକାରୀ ସହାୟତା ପାଇଁ ଦୌଡ଼ି ଦୌଡ଼ି ଦେହ ଅବସନ୍ନ ହୋଇ ପଡୁଥିଲେ ବି ପ୍ରତିକାର ବଦଳରେ ମିଳୁଛି କେବଳ ଶସ୍ତା ପ୍ରତିଶୃତି। ଯାହା ଗରିବ ଅସହାୟଙ୍କ ପାଇଁ ଅଦରକାରୀ। ଏଭଳି ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ନୂନପୁର ପଂଚାୟତ ଅଧିନସ୍ଥ ଢେକୁନ୍ କୁପା ଗ୍ରାମର ଗାଉଁଟିଆ ପଡ଼ାରେ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନୂନପୁର ପଂଚାୟତର ଢେକୁନ୍ କୁପା ଗ୍ରାମର ସତଦେଇ ଭୋଏ(୬୦) ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ସମୟ ହେବାକୁ ଯାଉଛି ବିଧବା ହୋଇ ଜୀବନ ବିତାଉଛନ୍ତି। ସ୍ୱାମୀ ବିଶେଶ୍ୱର ଭୋଏଙ୍କ ଦେହାନ୍ତ ପରେ ସନ୍ତାନ ସନ୍ତତି କେହି ନ ଥିବାରୁ ଏକାକୀ ବିଧବା ଯନ୍ତ୍ରଣା ଛଟପଟ ହୋଇ ଅତିକଷ୍ଟରେ ଜୀବନ ଜୀଇଁ ଆସିଛନ୍ତି । ତାଙ୍କ କଷ୍ଟକୁ ଦୁଇ ଗୁଣିତ କରିଛି ଏବେ ବାର୍ଦ୍ଧକ୍ୟ ଯନ୍ତ୍ରଣା। ରୋଗ ଶୋକ କବଳିତ କରି ବୃଦ୍ଧାଙ୍କୁ ଶଯ୍ୟାଶାୟୀ କରିଥିବା ବେଳେ ପର ଆଶ୍ରିତ ହୋଇ ଦିନ କାଟୁଛନ୍ତି ସତଦେଇ। ଦଇବର ଅଜବ ଖେଳ ଯୋଗୁଁ ପନ୍ଦର ବର୍ଷ ତଳେ ବିଧବା ହୋଇ ଥିଲେ ମଧ୍ୟ ସରକାରୀ ସହାୟତା କହିଲେ କେବଳ ମାସକୁ ୫କିଲୋ ଚାଉଳ। ନା ମିଳିଛି ବିଧବା ସହାୟତା ନା ବିଧବା ଭତ୍ତା। ବର୍ତ୍ତମାନ ବୟସର ଅପରାହ୍ନରେ, ବୟସ ଷାଠିଏ ଉପରେ ହୋଇଥିଲେ ବି ମିଳିପାରି ନାହିଁ ବାର୍ଦ୍ଧକ୍ୟ ଭତ୍ତା। ଦୀର୍ଘ ଦୁଇବର୍ଷ ହେଲା ବିଡ଼ିଓଙ୍କୁ ଏ ସମ୍ପର୍କରେ ଲିଖିତ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧବା ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିବା ନେଇ ଅଭିଯୋଗ କରିଛନ୍ତି। ଏଣୁ ଏଭଳି ସନ୍ତାନ ସନ୍ତତିହୀନ ଅସହାୟ ବିଧବା ବୃଦ୍ଧାଙ୍କୁ ପରିବାର କଲ୍ୟାଣ ଯୋଜନାରୁ ସରକାରୀ ସହାୟତା ମିଳୁ ନ ଥିବା ବେଳେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ରାଜ୍ୟ ସରକାରଙ୍କ ଫାଇଭ ଟି ଓ ମୋ ସରକାର ଆଧାରରେ ବିଭାଗୀୟ କାର୍ଯ୍ୟ ଖସଡ଼ା କାର୍ଯ୍ୟକାରୀ ନ ହେଉଥିବା ଯୋଗୁଁ ଏ ଭଳି ଅନେକ ବ୍ୟତିକ୍ରମମାନ ଦେଖାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ବୃଦ୍ଧ ଅସହାୟ ମହିଳା ସତଦେଇ ଭୋଏଙ୍କୁ ଭତ୍ତା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର