ଭୁବନେଶ୍ବର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚରମ ତ୍ୟାଗ ଓ ବଳିଦାନ ରହିଛି। ତେଣୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ। ରାଜ୍ୟ ସରକାର ‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି। ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଥମେ ସହିଦ ସ୍ତମ୍ଭରେ ପୁଷ୍ପ ପ୍ରଦାନ କରି ସହିଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment

ପରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ସଦସ୍ୟଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ସଂଗ୍ରାମ ଇତିହାସର ଏକ ପବିତ୍ର ଦିନ। ଅଗଷ୍ଟ କ୍ରାନ୍ତି ଦେଶର ଇତିହାସର ଦିଗ ପରିବର୍ତ୍ତନ କରିଥିଲା। ଆଜିର ଦିନଟି ହେଉଛି ଦେଶ ପାଇଁ ଅସୀମ ତ୍ୟାଗ କରିଥିବା ସଂଗ୍ରାମୀମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଜୀବନରୁ ପ୍ରେରଣା ନେବାର ଦିନ। ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ସାରା ଭାରତର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଥିଲା। ଭାରତଛାଡ଼ ଆନ୍ଦୋଳନ ଥିଲା ବାସ୍ତବରେ ଏକ ସର୍ବଭାରତୀୟ ଆନ୍ଦୋଳନ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଧନୀ ଗରିବ ସମସ୍ତେ ଏ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ, ଓଡ଼ିଶାରେ ମଧ୍ୟ ଏ ଆନ୍ଦୋଳନର ପ୍ରଭାବ ସର୍ବବ୍ୟାପୀ ଥିଲା। ନବକୃଷ୍ଣ ଚୌଧରୀ, ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ଆଚାର୍ଯ୍ୟ ହରିହରଙ୍କ ଭଳି ଅନେକ ନେତୃବୃନ୍ଦ ଗିରଫ ହୋଇଥିଲେ। କୋରାପୁଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ ହୋଇଥିଲା। ଶେଷରେ ଲକ୍ଷ୍ମଣ ନାୟକଙ୍କୁ ଚରମ ବଳିଦାନ ଦେବାକୁ ପଡ଼ିଥିଲା। ଏ ସଂଗ୍ରାମ ଓ ତ୍ୟାଗ ବାସ୍ତବରେ ଆଜିର ସମାଜ ପକ୍ଷରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସହିଦ ମାଧୋ ସିଂହଙ୍କ ସଂଗ୍ରାମର କାହାଣୀ ବର୍ଣ୍ଣନା କରିଥିଲେ। ଆଜି ମଧ୍ୟ ଓଡ଼ିଶାରେ ଏକ କ୍ରାନ୍ତି ଆରମ୍ଭ ହେବାକୁ ଯାଉଛି। ଓଡ଼ିଆ ଅସ୍ମିତା ଆମ ଜନମାନସକୁ ଆଚ୍ଛାଦିତ କରିଛି। ଅସ୍ମିତାକୁ ସାଥୀରେ ଧରି ବିକାଶର ମାର୍ଗରେ ଅଗ୍ରସର ହେବା ପାଇଁ ଓଡ଼ିଆ ଜାତି ଏକ ନୂଆ ଯାତ୍ରା ଆରମ୍ଭ କରିଛି। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶାର ଶତ ବାର୍ଷିକୀ ପାଳିତ ହେବ। ୨୦୪୭ରେ ସ୍ୱାଧୀନତାର ଶତ ବାର୍ଷିକୀ ମଧ୍ୟ ପାଳିତ ହେବ। ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ ଆମର ଲକ୍ଷ୍ୟ। ଏଥିପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବିକଶିତ ଓଡ଼ିଶା ପାଇଁ ଏହି ଯାତ୍ରା ଓଡ଼ିଶା ଇତିହାସରେ ‘ବିକାଶର ଏକ ନୂଆ କ୍ରାନ୍ତି’ ଆଣିବ। ଏହି କ୍ରାନ୍ତିରେ ପ୍ରତ୍ୟେକ ଓଡ଼ିଆ ହେବେ ଜଣେ ଜଣେ ସଂଗ୍ରାମୀ। ଶିକ୍ଷା, ସ୍ୱାସ୍ଥ୍ୟ, ଜ୍ଞାନ ବିଜ୍ଞାନ ଭଳି କ୍ଷେତ୍ରରେ ଓଡ଼ିଆ ଅଗ୍ରଣୀ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ଯେତେବେଳେ ସମଗ୍ର ଦେଶ ଏକାଠି ହୋଇ ବ୍ରିଟିସ ସରକାର ବିରୋଧରେ ଲଢ଼ିଲେ ସେତେବେଳେ ସ୍ୱାଧୀନତାର ରାସ୍ତା ଫିଟିଥିଲା। ଯେତେବେଳେ ଅନ୍ୟାୟ ଅତ୍ୟାଚାର ବଢ଼ିଛି, ସେତେବେଳେ କ୍ରାନ୍ତି ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ସହିଦ ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଦେଉଛି ଓ ପ୍ରୋତ୍ସାହିତ କରୁଛି। ଅନେକ ପ୍ରଚ୍ଛଦ ପଟର ସଂଗ୍ରାମୀଙ୍କୁ ଚିହ୍ନଟ କରିବାର ଦାୟିତ୍ୱ ସଂସ୍କୃତି ବିଭାଗ ଗ୍ରହଣ କରିଛି ବୋଲି ସେ କହିଥିଲେ। ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ବିରୁପାକ୍ଷ ତ୍ରିପାଠୀ ଓ ଉପେନ୍ଦ୍ର ପାଢ଼ୀ ସଞ୍ଚାଳନ କରିଥିଲେ।