ଗୋପ: ଭାରତୀୟ ନାଗରିକଙ୍କ ଗର୍ବ ଓ ଗୌରବ ଜାତୀୟ ପତାକା ‘ତ୍ରିରଙ୍ଗା’ରେ ଟେବୁଲ, ଚୌକି ଓ ମୋବାଇଲ ପୋଛିବା ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭାବନୀୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ସଂପୃକ୍ତ ପିଇଓ ପ୍ରଥମେ ଗିରଫ ହୋଇଛନ୍ତି। ଏହା ପରେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଗୋପ ବ୍ଲକ ଶିମିଳି ପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ପୁଲିସ ଗିରଫ କରିଛି। ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶ୍ରୀ ସ୍ବାଇଁଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।
ଟେବୁଲ୍, ଚେୟାର ଓ ମୋବାଇଲ୍ରୁ ଅଳିଆ ପୋଛିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୋପ ଥାନାରେ ବିଜେପି ଯୁବ ମୋର୍ଚ୍ଚା ଓ କୋଣାର୍କ ଥାନାରେ ଶିମିଳି ପଂଚାୟତର ସମିତି ସଭ୍ୟା ମିନତୀ ସାହୁ ତାଙ୍କ ନାମରେ ଏତଲା ଦେଇଥିଲେ। କୋଣାର୍କ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନ୍ ଦଫା ୪୨୭, ଜାତୀୟ ପତାକାକୁ ଅବମାନନା କରିବା ସେକ୍ସନ ୨ଏ ରେ ଆଜି ତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ସମାନ ଅଭିଯୋଗକୁ ଶିମିଳି ପଂଚାୟତର ସମିତି ସଭ୍ୟା ମିନତୀ ସାହୁ ଓ ଗୋପ ବ୍ଲକ ବିଜେପି ଯୁବ ମୋର୍ଚ୍ଚା ଗୋପ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ ଦେଇଛନ୍ତି। ଗୋପ ବିଡିଓ ଦିପ୍ତିରାଣୀ ଦାସ ଆଜି ସକାଳେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ସୋସିଆଲ ମିଡିଆରେ ଏହାର ଦ୍ରୁତ ଗତିରେ ଭାଇରାଲ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ତାଙ୍କୁ ବିଡିଓ ନିଲମ୍ବିତ କରିଛନ୍ତି।
ସୂଚନାନୁଯାୟୀ ଗୋପ ବ୍ଲକ ଶିିମିଳି ପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ସବୁ ଦିନ ପରି ନିଜ ଟେବୁଲ୍ ଡ୍ରରେ ରଖିଥିବା ତ୍ରିରଙ୍ଗାକୁ ପ୍ରଥମେ ଟେବୁଲ୍ ପୋଛିବା ପରେ ଚେୟାର ସମେତ ହାତ ଓ ମୋବାଇଲ୍ ପୋଛିବା ପରେ ପୁନଃ ଉକ୍ତ ଡ୍ରରେ ରଖିଥିଲେ । ଏ ନେଇ ସରପଂଚ ବିଶ୍ୱଜିତ ସ୍ୱାଇଁ ତାଙ୍କ ଉପରେ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ସେ ବେପରୁଆ ଭାବେ ନେଇଥିଲେ ଏବଂ ସରପଂଚ ଏହି ଘଟଣାକୁ ନିନ୍ଦା କରିବା ସହିତ ଗୋପ ବିଡିଓଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ। ଗୋପ ବିଡିଓ ଶ୍ରୀମତୀ ଦାସ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଏକ ସମ୍ପୂର୍ଣ ନିନ୍ଦନୀୟ ତଥା ଘୃଣିତ କାର୍ଯ୍ୟ । ଭାଇରାଲ ଭିଡିଓ ଦେଖିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଆମେ ତାଙ୍କୁ ନିଲମ୍ବିତ କରିଛୁ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସମେତ ତାଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲଗାଇ ତାଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ନିବେଦନ କରିଛନ୍ତି।