ଗୋପ : ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକା ତ୍ରିରଙ୍ଗାକୁ ଅସମ୍ମାନ କରିବା ପୁରୀ ଜିଲ୍ଲା ଗୋପ ବ୍ଲକ୍ ଶିମିଳି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ମହଙ୍ଗା ପଡ଼ିଛି। ପୁରୀ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶର କିଛିଘଣ୍ଟା ଭିତରେ ଗୋପ ବିଡିଓ ଶ୍ରୀ ସ୍ବାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏହାର କିଛିଘଣ୍ଟା ଭିତରେ ଶ୍ରୀ ସ୍ବାଇଁଙ୍କୁ କୋଣାର୍କ ଥାନା ପୁଲିସ ଗିରଫ କରିଛି। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ଶ୍ରୀ ସ୍ବାଇଁ ତ୍ରିରଙ୍ଗା ପତାକାରେ ନିଜ କାର୍ଯ୍ୟାଳୟରେ ପଡ଼ିଥିବା ଟେବୁଲ୍, ଚେୟାର ଓ ମୋବାଇଲ୍ରୁ ଅଳିଆ ପୋଛିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ଏହାପରେ ବିଜେପି ଯୁବମୋର୍ଚ୍ଚା ଗୋପ ଥାନାରେ ଏବଂ ଶିମିଳି ପଞ୍ଚାୟତର ସମିତି ସଭ୍ୟା ମିନତୀ ସାହୁ କୋଣାର୍କ ଥାନାରେ ତାଙ୍କ ନାମରେ ଏତଲା ଦେଇଥିଲେ। କୋଣାର୍କ ପୁଲିସ ୧୩/୨୩ରେ ଏକ ମାମଲା ରୁଜୁକରି ଆଇପିସି ଦଫା ୪୨୭, ଜାତୀୟ ପତାକାକୁ ଅବମାନନା କରିବା ପାଇଁ ସେକ୍ସନ ୨(ଏ)ରେ ଆଜି ଶ୍ରୀ ସ୍ବାଇଁଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ, ଶିମିଳି ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସାହୁ ଓ ଗୋପ ବ୍ଲକ୍ ବିଜେପି ଯୁବ ମୋର୍ଚ୍ଚା ଶ୍ରୀ ସ୍ବାଇଁଙ୍କ ବିରୋଧରେ ଗୋପ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୋପ ବିଡିଓ ଦୀପ୍ତିରାଣୀ ଦାସ ଆଜି ସକାଳେ ଶ୍ରୀ ସ୍ବାଇଁଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସନ୍ଧ୍ୟାରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ଏକ ନିନ୍ଦନୀୟ କାର୍ଯ୍ୟ ବୋଲି ଗୋପ ବିଡିଓ ଶ୍ରୀମତୀ ଦାସ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାନୁଯାୟୀ, ଶ୍ରୀ ସ୍ୱାଇଁ ସବୁଦିନ ପରି ନିଜ ଟେବୁଲ୍ ଡ୍ର’ରେ ରଖିଥିବା ତ୍ରିରଙ୍ଗା ପତାକାରେ ପ୍ରଥମେ ଟେବୁଲ୍ ପୋଛିବା ପରେ ଚେୟାର ସହିତ ହାତ ଓ ମୋବାଇଲ୍ ପୋଛିଥିଲେ। ଏହାପରେ ପୁଣିଥରେ ସେ ସେହି ଡ୍ର’ରେ ରଖିଥିଲେ। ସେ କୁଆଡ଼େ ସବୁଦିନ ଏମିତି କରିଥା’ନ୍ତି। ଶୁଣାଯାଉଛି ଯେ
ସ୍ଥାନୀୟ ସରପଞ୍ଚ ବିଶ୍ୱଜିତ ସ୍ୱାଇଁ ଏଥିପାଇଁ ତାଙ୍କ ଉପରେ ବିରକ୍ତ ହୋଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ବ ଦେଇନଥିଲେ। ଶେଷରେ, ଜାତୀୟ ପତାକାକୁ ଅସମ୍ମାନ କରିବା ପରେ ସେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି।