ଭଞ୍ଜନଗର : ଗତ ୧ ତାରିଖରେ ବିଷ ପିଇ ଦେଇଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗ୍ରାମପଞ୍ଚାୟତ ଅଧିକାରୀ (ପିଇଓ) ପ୍ରମୋଦ କୁମାର ପଟ୍ଟନାୟକ ଶେଷରେ ଆଖି ବୁଜିଛନ୍ତି। ଦୀର୍ଘ ୧୨ଦିନ ପରେ ଏକପ୍ରକାର ଜୀବନ ସଂଗ୍ରାମରେ ହାରିଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ସ୍ବର୍ଗତ ପ୍ରମୋଦ ଦୀର୍ଘବର୍ଷ ହେଲା ଭଞ୍ଜନଗର ବ୍ଲକ୍ରେ ପିଇଓ ଭାବେ କାର୍ଯ୍ୟରତ ଥିଲେ। ଗତ ଦୁଇବର୍ଷ ହେଲା ସେ ଜିପିଇଓ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ। ଗତମାସ ୩୦ ତାରିଖରେ ତାଙ୍କର ପାତ୍ରପୁର ବ୍ଲକ୍କୁ ବଦଳି ହୋଇଥିଲା। ଏହାର ମାତ୍ର ଗୋଟିଏଦିନ ପରେ ସେ ଭଞ୍ଜନଗର ବ୍ଲକ୍ ଅଫିସ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ଆସିଥିଲେ। ତେବେ, ମଧ୍ୟାହ୍ନରେ ଭିସି ହଲ୍ରେ ହଠାତ୍ ସେ ବାନ୍ତିକରି ଗୁରୁତର ହୋଇପଡ଼ିବାରୁ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ପ୍ରମୋଦ କୌଣସି ବିଷାକ୍ତ ପଦାର୍ଥ ପିଇଥିବା ଡାକ୍ତର କହିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲେ ହେଁ, ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଦୀର୍ଘ ୧୨ ଦିନ ପରେ ଅର୍ଥାତ୍ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ଏହି ଖବର ପ୍ରଚାର ହେବା କ୍ଷଣି ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ନିଜ ଗାଁ ସୋରଡ଼ାକୁ ପଠାଯାଇଥିଲା।
ତେବେ, ପ୍ରମୋଦ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ? ଏହାପଛରେ ବଦଳି ନା ଅନ୍ୟ କିଛି କାରଣ ରହିଛି? ଏହିଭଳି ପ୍ରଶ୍ନ ଏବେ ଆନ୍ଦୋଳିତ କରିଛି।