ସିମୁଳିଆ: ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ୨୦ ବର୍ଷ ଧରି ତାଲା ପଡ଼ିଛି। ଦେଖିବାକୁ କିମ୍ବା ତଦାରଖ କରିବାକୁ କେହି ନାହାନ୍ତି। ମୁଖ୍ୟ କାର୍ଯ୍ୟାଳୟରେ କାହିଁ କେବେ ଅଫିସରଙ୍କ ପାଦ ପଡ଼ିଥିବାର କେହି ଦେଖିନାହାନ୍ତି। ତହୁଁ ବଳି ଯନ୍ତ୍ରୀ, କିରାଣି ଓ କର୍ମଚାରୀ। କେହି ଆସନ୍ତିନି, କିନ୍ତୁ ମାସକୁ ମାସ ଦରମା ନିଅନ୍ତି। ତେବେ ଏହି ଗୁରୁତ୍ବପୂର୍ଣ୍ଣ ସରକାରୀ ଅଫିସଟିକୁ ଦିନରାତି ଜଗିଛନ୍ତି ଜଣେ ପିଅନ। ଯିଏକି ଜଣେ ଠିକା କର୍ମଚାରୀ। ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍‌ ମାର୍କୋଣାସ୍ଥିତ ଡ୍ରେନେଜ୍‌ ବିଭାଗ କାର୍ଯ୍ୟାଳୟର ଏପ୍ରକାର ଅବସ୍ଥା ଦେଖିଲେ ସରକାରୀ ବାବୁମାନେ କେତେ ଯେ ବେପରୁଆ ଓ ଦାୟିତ୍ବହୀନ, ତାର ସ୍ପଷ୍ଟ ପ୍ରମାଣ ମିଳେ।

Advertisment

ଜଳସଂପଦ ବିଭାଗ ଅଧୀନରେ ରହିଛି ମାର୍କୋଣା ଡ୍ରେନେଜ୍‌ କାର୍ଯ୍ୟାଳୟ। ଏଠାରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ (ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍‌ ଇଞ୍ଜିନିୟର)ଙ୍କ ସମେତ ସିମୁଳିଆ ବ୍ଲକ୍‌ ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ ଓ ଖଇରା ସେକ୍ସନ୍‌ ପାଇଁ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରିଛନ୍ତି ସରକାର। ୧୬ ନମ୍ବର ଜାତୀୟ ରାଜପଥରୁ ମାତ୍ର ଶହେ ମିଟର ଦୂରରେ ରହିଛି ଡ୍ରେନେଜ୍‌ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। କବାଟ, ଝରକା ସବୁ ଭାଙ୍ଗିଗଲାଣି। ଫଳକ ବି ଅଦୃଶ୍ୟ। କାର୍ଯ୍ୟାଳୟ ପରିସର ଘାସବଣରେ ଭର୍ତ୍ତି। ବାବୁଙ୍କର ସିନା ଏଠି ଦର୍ଶନ ମିଳେନି, ଅଫିସରେ କିନ୍ତୁ ସଦାସର୍ବଦା ପିଅନ ବିରାଜମାନ। କେବଳ ନାମକୁ ମାତ୍ର ଅଫିସଟି ଚାଲିଛି।

ସହକାରୀ ନିର୍ବାହୀଯନ୍ତ୍ରୀ ଭଦ୍ରକ କାର୍ଯ୍ୟାଳୟରେ ଡ୍ୟୁଟି କରନ୍ତି, ଯଦିଓ ତାଙ୍କର ଏଠି ରହିବା କଥ‌ା। କାଁଭାଁ କେମିତି କ୍ଷେତ୍ର ପରିଦର୍ଶନ (ଫିଲ୍‌ଡ ଡ୍ୟୁଟି) ଆଳରେ ଥରେ, ଦି’ ଥର ଏ ପଟକୁ ଆସି ପୁଣି ଯାଇ ଭଦ୍ରକରେ ହାଜର। ସେପଟେ ଅଧିକାରୀ ଆସୁ ନଥିବା ଦେଖି କନିଷ୍ଠ ଯନ୍ତ୍ରୀ, କିରାଣି ବି ଅଫିସ ଆସୁନାହାନ୍ତି। ସିମୁଳିଆ ପାଇଁ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ଥିବା ବେଳେ ତାଙ୍କ ଅଫିସରେ ସବୁବେଳେ ତାଲା। ଏମିତିକି ସେ କେଉଁଠି ରହୁଛନ୍ତି, ତାଙ୍କ ନାମ, ଫୋନ୍ ନମ୍ବର ପିଅନ ମଧ୍ୟ ଜାଣିନାହିଁ। ସେହିପରି ଡ୍ରେନେଜ୍‌ ଅଫିସ ପାର୍ଶ୍ୱରେ ଥିବା ଖଇରା ସେକ୍ସନ କାର୍ଯ୍ୟାଳୟ ଆଉ ପାଦେ ଆଗରେ। ଆଜିକୁ ୨୦ ବର୍ଷ ହେଲା ଏହି ଅଫିସ ଖୋଲା ଯାଇଥିବା କେହି ଦେଖିନାହାନ୍ତି। କବାଟ, ଝରକା ଉପରେ ଉଇ ଚରିଗଲେଣି। ବିଭାଗୀୟ କନିଷ୍ଠଯନ୍ତ୍ରୀ ବି ଏଠାକୁ ଆସନ୍ତି ନାହିଁ।

ସିମୁଳିଆ ଓ ଖଇରା ବ୍ଳକ୍‌ରେ ଶହଶହ ହେକ୍ଟର ଜମି ଜଳସେଚନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ଥିବାବେଳେ ଏହି ବିଭାଗର କର୍ମଚାରୀ ଓ ପଦାଧିକାରୀ କେମିତି ସରକାରଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ଠକୁଛନ୍ତି, ତାହା ଏହି ଘଟଣାରୁ ଜଳଜଳ। ଏ ଅଞ୍ଚଳରେ ଅଧିକାଂଶ କେନାଲ୍‌, ଡ୍ରେନେଜ ଅବସ୍ଥା ଶୋଚନୀୟ। ଅଥଚ ଯନ୍ତ୍ରୀ, କର୍ମଚାରୀ କେହି ଏଠାକୁ ଆସନ୍ତିନି। କେହି ପଚାରିଲେ ସାଇଟରେ ଅଛନ୍ତି ବୋଲି ଉତ୍ତର ମିଳିଥାଏ। ଡ୍ରେନେଜ୍‌ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ, ସିମୁଳିଆ କନିଷ୍ଠଯନ୍ତ୍ରୀ ଓ ଖଇରା ସେକ୍ସନ୍‌ କନିଷ୍ଠ ଯନ୍ତ୍ରୀଙ୍କ ଦୈନନ୍ଦିନ ଅଫିସ କାମ କଣ ଏବଂ ସେମାନେ କେଉଁଠି ରହୁଛନ୍ତି, ସେ ସଂପର୍କରେ ଜବାବ ମାଗିଛନ୍ତି ସିମୁଳିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଜନମାନସରୁ ନିଖୋଜ ହୋଇ ଯାଇଥିବା ଏହି ସରକାରୀ ଅଧିକାରୀଙ୍କୁ ଖୋଜିବାକୁ ସେ ନିବେଦନ କରିଛନ୍ତି।

ଏ ସଂକ୍ରାନ୍ତରେ ସହକାରୀ ନିର୍ବାହୀଯନ୍ତ୍ରୀ ଜନ୍ମେଜୟ ଦତ୍ତଙ୍କୁ ପଚାରିବାରୁ ସେ କହିଥି‌ଲେ, ଅଫିସ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଥିରେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ନାହିଁ। ଅଫିସ କିରାଣି ପଦ ଖାଲି ପଡ଼ିଥିବା ବେଳେ ଜୁନ୍‌ ୨୦୨୦ରୁ କନିଷ୍ଠଯନ୍ତ୍ରୀ ବଦଳି ହେବା ପରେ ଭଦ୍ରକ-ବାସୁଦେବପୁର କନିଷ୍ଠଯନ୍ତ୍ରୀ ଅତିରିକ୍ତ ଦାୟିତ୍ବରେ ଅଛନ୍ତି।